ନୂଆଦିଲ୍ଲୀ: ଭାରତ ବାଂଲାଦେଶକୁ ନେଇ ଏକ ବଡ ଘୋଷଣା କରିଛି। ଦେଶ ପକ୍ଷରୁ ବାଂଲାଦେଶକୁ ଦିଆଯାଉଥିବା ଲ୍ୟାଣ୍ଡ କଷ୍ଟମ ଷ୍ଟେସନସ୍(ଏଲସିଏସଏସ)କୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯାହାଫଳରେ ବାଂଲାଦେଶ ଏବେ ଆଉ ପୂର୍ବଭଳି ବିଭିନ୍ନ ତୃତୀୟ ପକ୍ଷ ଦେଶ ଗୁଡିକ ସହ ବାଣିଜ୍ୟ କାରବାର କରିପାରିବ ନାହିଁ। ଏହି ରୁଟ୍ ରେ ଥିବା ଭାରତର ବିମାନ ବନ୍ଦର ଓ ପୋତାଶ୍ରୟ ମାଧ୍ୟମରେ ବାଂଲାଦେଶ ମୁଖ୍ୟତଃ ବିଭିନ୍ନ ତୃତୀୟ ପକ୍ଷ ଦେଶ ଗୁଡିକୁ କର୍ଗୋ ସାମଗ୍ରୀ ରପ୍ତାନି କରୁଥିଲା।
ସୂଚନା ମୁତାବକ, ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଗତ ସପ୍ତାହରେ ଚୀନ ଗସ୍ତରେ ଯାଇଥିଲେ। ସେଠାରେ ସେ ଚାଇନା ସରକାରଙ୍କୁ ବାଂଲାଦେଶକୁ ଆସିବାକୁ ନିମନ୍ତ୍ରଣ ଦେଇଥିଲେ। ଭାରତ ପାଇଁ ରଣନୈତିକ ଦୃଷ୍ଟିରୁ ଗୁରୁତ୍ତ୍ୱପୂର୍ଣ୍ଣ ପୂର୍ବୋତ୍ତର ଅଞ୍ଚଳ ନିକଟରେ ବାଣିଜ୍ୟ କରିବାକୁ ସେ ଚୀନକୁ ପ୍ରସ୍ତାବ ଦେବା ସହ ଏହି ଅଞ୍ଚଳକୁ ଲ୍ୟାଣ୍ଡଲକ ବୋଲି ଅଭିହିତ କରିଥିଲେ। ଏହା ସହ ଉକ୍ତ ଅଞ୍ଚଳକୁ ସମୁଦ୍ର ସହ ଯୋଡିବାକୁ ବାଂଲାଦେଶ ଏକମାତ୍ର ମାଧ୍ୟମ ଓ ବାଂଲାଦେଶ ହିଁ ବଙ୍ଗୋପସାଗରର ରକ୍ଷାକର୍ତ୍ତା ବୋଲି କହିଥିଲେ। ଏହି କଥା ସାମ୍ନାକୁ ଆସିବା ପରେ ଭାରତ ସରକାର ଏହାକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।
ଆପଣଙ୍କୁ ଜଣାଇରଖୁ ଯେ ଏହି ନିୟମ ଭାରତ ପକ୍ଷରୁ ଗତ ଜୁନ ମାସ ୨୦୨୦ ମସିହାରେ ଘୋଷଣା କରାଯାଇଥିଲା। ଏହି ନିୟମ ମୁତାବକ ବାଂଲାଦେଶକୁ ନେପାଳ, ଭୂଟାନ ଓ ମ୍ୟାମାରକୁ ସାମଗ୍ରୀ ରପ୍ତାନୀ କରିବାକୁ ଭାରତୀୟ ବିମାନ ବନ୍ଦର ଓ ପାତାଶ୍ରୟ ବ୍ୟବହାର କରିବାକୁ ଅନୁମତି ରହିଥିଲା। ତେବେ ଗତ ଏପ୍ରିଲ୍ ୮ ତାରିଖ ଦିନ ପରୋକ୍ଷ କର ଓ କଷ୍ଟମ କେନ୍ଦ୍ରିୟ ବୋର୍ଡ(ସିବିଆଇସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। "୨୯ ଜୁନ୍, ୨୦୨୦ ତାରିଖର ... ସର୍କୁଲାର ...କୁ ତୁରନ୍ତ ପ୍ରଭାବରେ ସଂଶୋଧିତ କରି ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ଭାରତରେ ପ୍ରବେଶ କରିଥିବା କାର୍ଗୋକୁ ସେହି ସର୍କୁଲାରରେ ଦିଆଯାଇଥିବା ପ୍ରକ୍ରିୟା ଅନୁସାରେ ଭାରତୀୟ ଅଞ୍ଚଳରୁ ବାହାରକୁ ଯିବାକୁ ଅନୁମତି ଦିଆଯିବ," ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ଏହି ନିୟମ ରଦ୍ଧ ହେବା ପରେ ଭାରତକୁ ବାଣିଜ୍ୟିକ ସେକ୍ଟରରେ ଲାଭ ହେବାକୁ ଯାଉଛି ବୋଲି ବିଭିନ୍ନ ବାଣିଜ୍ୟ ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି। ଖାସକରି ବସ୍ତ୍ର, ଫୁଟୱେୟାର ଓ ରତ୍ନ ପଥର ଏବଂ ଅଳଙ୍କାର ବିପଣନ କ୍ଷେତ୍ରରେ ଭାରତକୁ ଲାଭ ମିଲିବ ବୋଲି ଆଶା କରାଯାଉଛି।