ନୂଆଦିଲ୍ଲୀ: ବୁଧବାର ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ଗାଜା ଷ୍ଟ୍ରିପ୍ରେ ହୋଇଥିବା ଇସ୍ରାଏଲୀ ବିମାନ ଆକ୍ରମଣରେ ଅତି କମରେ ୨୩ ଜଣ ନିହତ ହୋଇଛନ୍ତି। ଯେଉଁଥିରେ ଗୋଟିଏ ପରିବାରର ୧୦ ଜଣ ରହିଛନ୍ତି ବୋଲି ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ଏହି ଆକ୍ରମଣ ଖାନ୍ ୟୁନିସ୍ର ମାୱାସି ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ, ଜାତିସଂଘ ଗାଜାରେ ଇସ୍ରାଏଲର ଛଅ ସପ୍ତାହ ଧରି ଚାଲିଥିବା ଅବରୋଧ ଯୋଗୁଁ ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ପ୍ରବେଶ ବନ୍ଦ ଉପରେ ଚିନ୍ତା ପ୍ରକାଶ କରିଛି।
ଜାତିସଂଘର ମାନବୀୟ କାର୍ଯ୍ୟାଳୟ (OCHA) ଅନୁଯାୟୀ, ଗାଜାର ୨୦ ଲକ୍ଷରୁ ଅଧିକ ଲୋକ ବର୍ତ୍ତମାନ ଖାଦ୍ୟ ପାଇଁ ସମ୍ପୂର୍ଣ୍ଣ ରୂପେ ଦାତବ୍ୟ ସଂସ୍ଥାଗୁଡ଼ିକ ଉପରେ ନିର୍ଭର କରୁଛନ୍ତି। ଗାଜା ଚ୍ୟାରିଟି କିଚେନ୍ର ସହ-ପ୍ରତିଷ୍ଠାତା ହାନି ଆଲମାଧୁନ୍ କହିଛନ୍ତି ଯେ ତାଙ୍କ ରୋଷେଇ ଘରେ ଆଉ ମାତ୍ର ତିନି ସପ୍ତାହ ପାଇଁ ଖାଦ୍ୟ ବଳକା ରହିଛି। ଯଦି ବାହାରୁ ସହାୟତା ନପହଞ୍ଚେ ତେବେ ଏହାପରେ ସେ ଆଉ କୌଣସି ପ୍ରକାରରେ ଲୋକଙ୍କୁ ଖାଦ୍ୟ ଯୋଗାଇ ପାରିବେ ନାହିଁ ବୋଲି କହିଛନ୍ତି।
ଅନ୍ୟପଟେ ଇସ୍ରାଏଲୀ ସେନା ଦାବି କରିଛି ଯେ ସେମାନେ ନିଜ ବନ୍ଧକ ଥିବା ନାଗରିକମାନଙ୍କୁ ହମାସ୍ କ୍ଷତି ନ ପହଞ୍ଚାଇବା ପାଇଁ ଏହି ଚେଷ୍ଟା କରୁଛନ୍ତି। ଗାଜାର ନାଗରିକଙ୍କର ମୃତ୍ୟୁ ପାଇଁ ସେନା ହମାସ୍କୁ ଦାୟୀ କରିଛି। କାରଣ ହମାସ୍ ଏହି ଆବାସିକ ଅଞ୍ଚଳରେ ନିଜ ଅପରେସନ ଜାରି ରଖିଛି। ତେବେ ଏହି ସାମ୍ପ୍ରତିକ ଆକ୍ରମଣ ଉପରେ ହମାସ୍ ପକ୍ଷରୁ କୌଣସି ମନ୍ତବ୍ୟ ଜାରି କରାଯାଇ ନାହିଁ।
ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲର ଆକ୍ରମଣରେ ଏପର୍ଯ୍ୟନ୍ତ ୫୧,୦୦୦ରୁ ଅଧିକ ପାଲେଷ୍ଟାଇନୀ ନିହତ ହୋଇଛନ୍ତି। ଯେଉଁଥିରେ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି। ଇସ୍ରାଏଲ ଦାବି କରିଛି ଯେ ସେମାନେ ୨୦,୦୦୦ ଆତଙ୍କୀଙ୍କୁ ହତ୍ୟା କରିଛନ୍ତି। କିନ୍ତୁ ଇସ୍ରାଏଲୀ ସେନା ଏହାର ପ୍ରମାଣ ଦେଇ ପାରି ନାହିଁ। ଏହି ଯୁଦ୍ଧ ଗାଜାର ବିସ୍ତୀର୍ଣ୍ଣ ଅଞ୍ଚଳକୁ ଧ୍ୱଂସବିଧ୍ୱଂସ କରିଦେଇଛି। ତେଣୁ ଗାଜାର ଖାଦ୍ୟ ଉତ୍ପାଦନ କ୍ଷମତା ପ୍ରାୟ ନଷ୍ଟ ହୋଇଯାଇଛି। ତେଣୁ ଗାଜା ବାହାରୁ ଆସୁଥିବା ଖାଦ୍ୟ ସାମଗ୍ରୀ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ହେବାକୁ ପଡୁଛି। କିନ୍ତୁ ଇସ୍ରାଏଲ ସେନା ଚାରିଆଡୁ ଅବରୋଧ ଜାରି ରଖିଥିବାରୁ ବାହାରୁ କୈଣସି ଖାଦ୍ୟ ପଦାର୍ଥ କିମ୍ୱା ଅତ୍ୟାବଶ୍ୟକ ସାମଗ୍ରୀ ଭିତରେ ପହଞ୍ଚି ପାରୁନାହିଁ।
ଆପଣଙ୍କୁ ଜଣାଇରଖୁ ଯେ, ଏହି ସଂଘର୍ଷ ୨୦୨୩ ଅକ୍ଟୋବର ୭ ତାରିଖରେ ହମାସ୍ର ଇସ୍ରାଏଲ ଉପରେ ଆକ୍ରମଣରୁ ଆରମ୍ଭ ହୋଇଥିଲା। ଯେଉଁଥିରେ ୧,୨୦୦ ଲୋକ ନିହତ ହୋଇଥିଲେ ଏବଂ ହମାସ୍ ପକ୍ଷରୁ ୨୫୧ ଜଣଙ୍କୁ ବନ୍ଦୀ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୫୯ ଜଣ ବନ୍ଦୀ ଗାଜାରେ ରହିଛନ୍ତି, ଯେଉଁଥିରୁ ୨୪ ଜଣ ଜୀବିତ ଥିବା ବିଶ୍ୱାସ କରାଯାଉଛି।
ଜାତିସଂଘ ଏବଂ ଅନ୍ୟାନ୍ୟ ମାନବାଧିକାର ସଂଗଠନମାନେ ଏହି ଅବରୋଧକୁ "ମାନବୀୟ ସଙ୍କଟ" ବୋଲି ଅଭିହିତ କରିଛନ୍ତି। ତୁରନ୍ତ ଖାଦ୍ୟ ଓ ଚିକିତ୍ସା ସାମଗ୍ରୀ ଯୋଗାଣ ପାଇଁ ସେମାନେ ଇସ୍ରାଏଲକୁ ଆହ୍ୱାନ ଦେଇଛନ୍ତି ବୋଲି ଜଣାପଡିଛି।