ନୂଆଦିଲ୍ଲୀ: ଆମେରିକାରୁ ଏକ ବଡ଼ ଖବର ଏବେ ସାମ୍ନାକୁ ଆସୁଛି। ଏଠାରେ ଜଣେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଡାକ୍ତରଙ୍କୁ ଆମେରିକାରେ ସ୍ୱାସ୍ଥ୍ୟସେବାରେ ବଡ଼ ଧରଣର ଠକେଇ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଦୋଷୀ ସାବ୍ୟସ୍ତ ହୋଇଥିବା ଡାକ୍ତରଙ୍କ ପରିଚୟ ନୀଲ କେ ଆନନ୍ଦ ବୋଲି ଜଣାପଡିଛି। ରୋଗୀ ମାନଙ୍କୁ ଅତ୍ୟଧିକ ଏବଂ ଅନାବଶ୍ୟକ ଔଷଧ ଦେଇ କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ୪୮ ବର୍ଷୀୟ ଆନନ୍ଦ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ଶୁଣାଣି ସମୟରେ, କୋର୍ଟ ଡାକ୍ତର ଆନନ୍ଦଙ୍କ ବିରୁଦ୍ଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି, ଯେପରିକି ସ୍ୱାସ୍ଥ୍ୟସେବା ଏବଂ ତାର ଠକେଇ ପାଇଁ ଷଡ଼ଯନ୍ତ୍ର, ସ୍ୱାସ୍ଥ୍ୟସେବା ଠକେଇର ତିନୋଟି ଅଭିଯୋଗ, ମନି ଲଣ୍ଡରିଂର ଗୋଟିଏ ଅଭିଯୋଗ, ଅବୈଧ ଆର୍ଥିକ କାରବାରର ଚାରିଟି ଅଭିଯୋଗ ଏବଂ ନିଷିଦ୍ଧ ଔଷଧ ବଣ୍ଟନର ଷଡ଼ଯନ୍ତ୍ର।
ସୂଚନା ଅନୁସାରେ ଦୋଷୀ ସାବ୍ୟସ୍ତ ହେବା ପରେ ଡାକ୍ତର ଆନନ୍ଦଙ୍କୁ ଏହି ମାମଲା ଗୁଡ଼ିକରେ ଅଗଷ୍ଟ ୧୯ ରେ ଦଣ୍ଡ ଦିଆଯିବ। ତେବେ ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ପାଇଁ ତାଙ୍କୁ ସର୍ବାଧିକ ୧୩୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ହୋଇପାରେ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଡାକ୍ତର ଆନନ୍ଦ ତାଙ୍କ କ୍ଲିନିକ୍ରେ ରୋଗୀ ମାନଙ୍କୁ ଗୁଡି ବ୍ୟାଗ୍ (ଔଷଧ ଭର୍ତ୍ତି ବ୍ୟାଗ୍) ଦେବାକୁ ଯୋଜନା କରିଥିଲେ। ଏହି ଔଷଧ ଗୁଡ଼ିକ ସେମାନଙ୍କ ନିଜସ୍ୱ ଫାର୍ମାସିରୁ ଯୋଗାଇ ଦିଆଯାଇଥିଲା। ରୋଗୀ ମାନଙ୍କୁ ଏହି ଔଷଧ ଗୁଡ଼ିକର ଆବଶ୍ୟକତା ନଥିଲା କିମ୍ବା ସେମାନେ ସେଗୁଡ଼ିକୁ ନେବାକୁ ଚାହୁଁ ନଥିଲେ, କିନ୍ତୁ ବୀମା କମ୍ପାନୀ ଗୁଡ଼ିକ ଠାରୁ ଟଙ୍କା ଆଦାୟ କରିବା ପାଇଁ ସେମାନଙ୍କୁ ଔଷଧ ଦିଆଯାଉଥିଲା। ଏହା ସହିତ, ଏହି ମାମଲାରେ ଏହା ସାମ୍ନାକୁ ଆସିଥିଲା ଯେ ଆନନ୍ଦ କୌଣସି ବୈଧ କାରଣ ବିନା ରୋଗୀ ମାନଙ୍କୁ ଅକ୍ସିକୋଡୋନ୍ ଭଳି ନିଶା ଔଷଧ ଦେଇଥିଲେ ।