ନୂଆଦିଲ୍ଲୀ: ଫ୍ଲୋରିଡା ଷ୍ଟେଟ୍ ବିଶ୍ୱବିଦ୍ୟାଳୟ (ଏଫଏସୟୁ) ର ତାଲାହାସୀ କ୍ୟାମ୍ପସରେ ଗୁରୁବାର ମଧ୍ୟାହ୍ନରେ ଏକ ସକ୍ରିୟ ବନ୍ଧୁକଧାରୀ କ୍ୟାମ୍ପସ ଭିତରକୁ ପଶି ଗୁଳିଚାଳନା କରିଛନ୍ତି। ଯେଉଁଥିରେ ଅନ୍ୟୂନ ୬ ଜଣ ଆହତ ହୋଇଛନ୍ତି ବୋଲି ସୂଚନା ରହିଛି। ତାଲାହାସୀ ମେମୋରିଆଲ ହେଲଥକେୟାର ଅନୁଯାୟୀ, ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଥିରେ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ମିଳିଥିବା ଖବର ଅନୁସାରେ, ସନ୍ଦିଗ୍ଧ ବ୍ୟକ୍ତିକୁ ପୋଲିସ ଅଟକ ରଖିଛି।
ବିଶ୍ୱବିଦ୍ୟାଳୟ ପ୍ରଶାସନ ମଧ୍ୟାହ୍ନ ପ୍ରାୟ ୧୨:୦୧ ରେ ଏକ ଜରୁରୀ ସୂଚନା ଜାରି କରି କ୍ୟାମ୍ପସର ଷ୍ଟୁଡେଣ୍ଟ ୟୁନିଅନ ନିକଟରେ ସକ୍ରିୟ ବନ୍ଧୁକଧାରୀ ଦେଖାଯାଇଥିବା ସୂଚନା ଦେଇଥିଲେ। ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ନିରାପଦ ସ୍ଥାନରେ ଆଶ୍ରୟ ନେବା ସହ କବାଟ ଓ ଝରକାଗୁଡ଼ିକ ବନ୍ଦ ରଖିବାକୁ ଏବଂ ପୋଲିସର ନିର୍ଦ୍ଦେଶ ଆସିବାଯାଏ ଅପେକ୍ଷା କରିବାକୁ କୁହାଯାଇଥିଲା। ତେବେ ଫାଙ୍କା ଗୁଳିଚାଳନାରେ କିଛି ଛାତ୍ର ଓ କଲେଜ କର୍ମଚାରି ଆହତ ହୋଇଛନ୍ତି।
ଘଟଣାସ୍ଥଳରେ ଏଫଏସୟୁ ପୋଲିସ, ତାଲାହାସୀ ପୋଲିସ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିଲେ। ପ୍ରାୟ ୧୫ ମିନିଟ ଲୁଚକାଳି ଖେଳ ପରେ, ପୋଲିସ ଛାତ୍ରଛାତ୍ରୀମାନଙ୍କୁ ଷ୍ଟୁଡେଣ୍ଟ ୟୁନିଅନରୁ ବାହାରକୁ ନେଇଥିଲା। ଜଣେ ଛାତ୍ରଙ୍କ କହିବା ଅନୁସାରେ, ସେ ଜଣେ ବନ୍ଧୁକଧାରୀ ବ୍ୟକ୍ତିଙ୍କୁ କଲେଜ ପଡିଆରେ ବୁଲୁଥିବା ଦେଖିବାକୁ ପାଇଥିଲେ।
ଫ୍ଲୋରିଡାର ଗଭର୍ଣ୍ଣର ରନ ଡିସାଣ୍ଟିସ ଏବଂ ସେନେଟର ରିକ ସ୍କଟ ଏକ୍ସ ପୋଷ୍ଟ ମାଧ୍ୟମରେ ଏଫଏସୟୁ ହୋଇଥିବା ଦୁର୍ଘଟଣା ପାଇଁ ପ୍ରାର୍ଥନା କରିବା ସହ ରାଜ୍ୟ ଆଇନ ପ୍ରୟୋଗକାରୀ ସଂସ୍ଥାଗୁଡ଼ିକ ସକ୍ରିୟ ଭାବେ ଏହି ମାମଲାର ମୁକାବିଲା କରୁଥିବା ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଓଭାଲ ଅଫିସରୁ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଏହା ଏକ ଲଜ୍ଜାଜନକ ଓ ଭୟଙ୍କର ଘଟଣା।
ଏଫଏସୟୁ ଗୁରୁବାର ପାଇଁ ସମସ୍ତ କ୍ଲାସ ଓ କାର୍ଯ୍ୟକ୍ରମ ବାତିଲ କରି ଛାତ୍ରଛାତ୍ରୀମାନଙ୍କୁ କ୍ୟାମ୍ପସକୁ ନ ଆସିବାକୁ ନିର୍ଦ୍ଦେଶ ଦେଇଛି। ଏହା ପୂର୍ବରୁ ୨୦୧୪ ମସିହାରେ ମଧ୍ୟ ଏଫଏସୟୁର ଏକ ଲାଇବ୍ରେରୀରେ ହୋଇଥିବା ଗୁଳିକାଣ୍ଡରେ ତିନିଜଣ ଆହତ ହୋଇଥିଲେ।
ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି। ତେବେ ପୋଲିସ ଶୀଘ୍ର ଅଧିକ ତଥ୍ୟ ପ୍ରକାଶ କରିବ ବୋଲି ଆଶା କରାଯାଉଛି।