ନୂଆଦିଲ୍ଲୀ,୧୭।୪: ଦକ୍ଷିଣ ଭାରତୀୟ ରାଜ୍ୟରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ପ୍ରଜନନ ହାର। ଏହି କାରଣରୁ ଯେଉଁ ଜନସଂଖ୍ୟା ରହିଛି, ତାହା ବୃଦ୍ଧ ହେବାରେ ଲାଗିଛନ୍ତି। ଏହି ରାଜ୍ୟ ଗୁଡିକରେ ଏବେ ଚୀନ୍ ଓ ଜାପାନ ଭଳି ବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଫଳରେ ଆଗକୁ ଜନସଂଖ୍ୟା ସଙ୍କଟର ସାମନା କରିପାରେ। ଏଭଳି ଏକ ସୂଚନା ଦେଇଛନ୍ତି ୧୬ ତମ ଆର୍ଥିକ ଆୟୋଗର ଅଧ୍ୟକ୍ଷ ଅରବିନ୍ଦ ପନଗାଢିୟା। ସେ କହିଛନ୍ତି, ଏହି ରାଜ୍ୟରେ ପ୍ରଜନନ ହାରର ରିପ୍ଲେସମେଣ୍ଟ ଲେବଲ ତଳକୁ ଯାଇ ସାରିଛି। ଏହାର ଅର୍ଥ ଆଗାମୀ ସମୟରେ ବୃଦ୍ଧଙ୍କ ଜନସଂଖ୍ୟା ଦୀର୍ଘକାଳୀନ ସମୟ ପାଇଁ ସମାନା କରିବାକୁ ପଡିପାରେ।
ପନଗାଢିୟା ବର୍ତ୍ତମାନ ୧୫ ରୁ ୧୮ ଅପ୍ରେଲ ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶକୁ ଚାରି ଦିନିଆ ଗସ୍ତରେ ଅଛନ୍ତି। ବୁଧବାର ସେ ଆନ୍ଧ୍ର ପ୍ରଦେଶ ସଚିବାଳୟରେ ଶାସକ ଟିଡିପି ମୁଖ୍ୟ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ଏନ୍.ଚନ୍ଦ୍ରବାବୁ ନାଇଡୁଙ୍କ ସହ ଦୀର୍ଘ ସମୟ ଯାଏଁ ଚର୍ଚ୍ଚା କରିଥିଲେ। ରାଜ୍ୟର ବିକାଶ ଉପରେ ବ୍ୟାପକ ମନ୍ଥନ ମଧ୍ୟ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନାଇଡୁ ରାଜ୍ୟ ପାଇଁ ଅଧିକ ଟଙ୍କା ମାଗି ଅର୍ଥ କମିଶନର ଅଧିକାରୀଙ୍କ ଆଗରେ ଏକ ପ୍ରେଜେଣ୍ଟେସନ୍ ମଧ୍ୟ ଦେଇଥିଲେ।
ପରେ ସାମ୍ବାଦିକଙ୍କୁ ସମ୍ବୋଧିତ କରି ପନଗାଢିୟା କହିଥିଲେ, ନାଇଡୁ ଏଭଳି ତର୍କ ଦେଇଛନ୍ତି ଯେ, ମୋଟ ଜନସଂଖ୍ୟାର ପ୍ରଜନନ ହାରକୁ ରିପ୍ଲେସମେଣ୍ଟ ଲେବଲ ପର୍ଯ୍ୟନ୍ତ ଆଣିବା ପାଇଁ ରାଜ୍ୟକୁ ପୁରସ୍କୃତ କରିବାର ପରିଣାମକଚୁ ପୁଣିଥରେ ଦେଖିବା ଦରକାର। ସେ କହିଥିଲେ, ଦକ୍ଷିଣ ରାଜ୍ୟ, ଯେଉଁଠି ପ୍ରଜନନ ହାର ଖୁବ୍ ତଳକୁ ଖସି ଯାଇଛି, ସେଠାରେ ଭବିଷ୍ୟତରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ସମସ୍ୟା ରହିବ। ସେ କହିଛନ୍ତି, ଆନ୍ଧ୍ର ପ୍ରଦେଶ ସମଗ୍ର ଦୃଷ୍ଟିକୋଣକୁ ଦେଖାଇ ଜନସଂଖ୍ୟା ବୃଦ୍ଧିକୁ ୧୨.୫% ରୁ ୨୦% କରିବା ପାଇଁ ସୁପାରିଶ କରିଛି।