ହାଇଦ୍ରାବାଦ,୨୭/୦୩: ଆଜି ସନରାଇଜର୍ସ ହାଇଦ୍ରାବାଦ ଘରୋଇ ଗ୍ରାଉଣ୍ଡରେ ଦ୍ୱିତୀୟ ମ୍ୟାଚ୍ ଖେଳିବ । ପ୍ରଥମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ ହରାଇଥିବା ସନରାଇଜର୍ସ ଲକ୍ଷ୍ନୌ ସୁପରଜାଏଣ୍ଟ୍ସକୁ ଭେଟିବ । ଦଳ ବିଜୟ ଜାରି ରଖିବାକୁ ଲକ୍ଷ୍ୟ ରଖିଥିବାବେଳେ ସୁପରଜାଏଣ୍ଟ୍ସ ଖାତା ଖୋଲିବାକୁ ବ୍ୟାକୁଳ । ଫଳରେ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବା ସ୍ୱାଭାବିକ ।
ଏହି ମ୍ୟାଚ୍ରେ ଦର୍ଶକଙ୍କ ନଜର ବିସ୍ଫୋରକ ବ୍ୟାଟିଂ ଉପରେ ରହିବ । ଉପଲ୍ ଷ୍ଟାଡ଼ିୟମ୍ରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ସଂଗୃହୀତ ହୋଇଥିଲା ମୋଟ୍ ୫୨୮ ରନ୍ । ଉଭୟ ଦଳର ବ୍ୟାଟର ମାରିଥିଲେ ୩୦ଟି ଛକା ଓ ୫୧ ଚୌକା । ଆଜି ମଧ୍ୟ ବ୍ୟାଟିଂ ଉପଯୋଗୀ ପିଚ୍ରେ ବିଶାଳ ସ୍କୋର ଦେଖିବାକୁ ମିଳିବ ।
ପୂର୍ବରୁ ଉଭୟ ଦଳ ପରସ୍ପରକୁ ୪ଥର ଭେଟିଛନ୍ତି । ଏଥିରୁ ସୁପରଜାଏଣ୍ଟ୍ସ ୩ଟି ଓ ସନରାଇଜର୍ସ ଗୋଟିଏ ମ୍ୟାଚ୍ ଜିତିଛନ୍ତି । ସୁପରଜାଏଣ୍ଟ୍ସର ରେକର୍ଡ ଭଲ ରହିଥିଲେ ହେଁ ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱାଧୀନ ବର୍ତ୍ତମାନର ସନରାଇଜର୍ସ ଦଳ ଅତ୍ୟନ୍ତ ଦୁର୍ଦ୍ଧର୍ଷ । ପ୍ରତି ମ୍ୟାଚ୍ରେ ପ୍ରତିପକ୍ଷ ବୋଲରଙ୍କୁ ନିର୍ମମ ପ୍ରହାର କରିବାକୁ ବ୍ୟାଟରମାନେ ପଛାଉ ନାହାନ୍ତି ।
ପ୍ରଥମ ମ୍ୟାଚ୍ରେ ଇଶାନ କିଷନ ଶତକ ଅର୍ଜନ କରିସାରିଛନ୍ତି । ଟ୍ରେଭିସ ହେଡ୍ ଓ ଅଭିଷେକ ଶର୍ମା ମଧ୍ୟ ଧୂଆଁଧାର ବ୍ୟାଟିଂର ଝଲକ ଦେଖାଇ ସାରିଛନ୍ତି । ଏମାନଙ୍କ ବ୍ୟତୀତ ନୀତିଶ କୁମାର ରେଡ୍ଡୀ, ହେନରିକ କ୍ଲାସେନଙ୍କ ପରି ଆକ୍ରମଣାତ୍ମକ ବ୍ୟାଟର ଦଳରେ ରହିଛନ୍ତି । ତେଣୁ ସନରାଇଜର୍ସ ବ୍ୟାଟିଂ ବିଭାଗକୁ ଅଟକାଇବା ପାଇଁ ସୁପରଜାଏଣ୍ଟ୍ସକୁ ସ୍ୱତନ୍ତ୍ର ରଣନୀତି ଆପଣେଇବାକୁ ପଡ଼ିବ।
ସୁପରଜାଏଣ୍ଟ୍ସ ଦଳ ମଧ୍ୟ ବେଶ୍ ସନ୍ତୁଳିତ । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପ୍ରଥମ ମ୍ୟାଚ୍ରେ ୨୦୯ ରନ କରି ମଧ୍ୟ ଦଳ ପରାଜିତ ହୋଇଥିଲା। ବିଜୟ ଖାତା ଖୋଲିବାକୁ ହେଲେ ପ୍ରଥମେ ବୋଲିଂ ବିଭାଗ ସୁଧାରିବାକୁ ପଡ଼ିବ । ଅବଶ୍ୟ ମୟଙ୍କ ଯାଦବ, ଅଭେଶ ଖାନଙ୍କ ଭଳି ଦକ୍ଷ ବୋଲର ଆହତ ଅଛନ୍ତି । କିନ୍ତୁ ବୋଲରଙ୍କୁ ମଧ୍ୟ ସଠିକ୍ ଭାବେ ଉପଯୋଗ କରିବା ଅଧିନାୟକଙ୍କ କାର୍ଯ୍ୟ । ପ୍ରଥମ ମ୍ୟାଚ୍ରେ ୨ଟି ୱିକେଟ୍ ନେବା ସତ୍ତେ୍ୱ ସର୍ଦୁଲ ଠାକୁରଙ୍କୁ ଅଧିନାୟକ ପନ୍ତ ମାତ୍ର ୨ ଓଭର ବୋଲିଂ କରାଇଥିଲେ । ଫଳ ସ୍ୱରୂପ ସୁପରଜାଏଣ୍ଟ୍ସକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।
ଆଜି କେହି ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ସୁପରଜାଏଣ୍ଟ୍ସର ବ୍ୟାଟିଂ ବିଭାଗ ମଧ୍ୟ ବେଶ୍ ଶକ୍ତିଶାଳୀ । ମିଚେଲ ମାର୍ଶ, ଆଡେନ ମାରକ୍ରମ, ନିକୋଲାସ ପୂରନ, ଡେଭିଡ୍ ମିଲର ଓ ପନ୍ତଙ୍କ ବ୍ୟାଟିଂ ଆଗରେ ବିଶାଳ ଲକ୍ଷ୍ୟ ମଧ୍ୟ ଛୋଟ ପଡ଼ିବ । ବୋଲିଂ ବିଭାଗରେ ମଧ୍ୟ ଯଥେଷ୍ଟ ବିଭିନ୍ନତା ରହିଛି । କେବଳ ଉପଯୁକ୍ତ ରଣନୀତି ପ୍ରସ୍ତୁତ ହେବା ଜରୁରି । ଉପଲ୍ ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ । ସନରାଇଜର୍ସ ଏଥର ୩୦୦ ରନ୍ ଅର୍ଜନ କରିବା ଯୋଜନାରେ ରହିଛି ।
ଉପଲ୍ ପିଚ୍ ଏଥିପାଇଁ ଉପଯୁକ୍ତ । ରାତ୍ରିରେ ମ୍ୟାଚ୍ ହେଉଥିବାରୁ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ । ତେଣୁ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
ସମ୍ଭାବ୍ୟ ଏକାଦଶ
ସନରାଇଜର୍ସ: ଟ୍ରେଭିସ୍ ହେଡ, ଅଭିଷେକ ଶର୍ମା, ଇଶାନ କିଷନ, ନୀତିଶ କୁମାର ରେଡ୍ଡୀ, ହେନରିକ କ୍ଲାସେନ, ଅନିକେତ ବର୍ମା, ଅଭିନବ ମନୋହର, ପ୍ୟାଟ୍ କମିନ୍ସ (ଅଧିନାୟକ), ସିମରଜୀତ ସିଂହ, ହର୍ଷଲ ପଟେଲ, ମହମ୍ମଦ ସାମି, ଆଡାମ ଜାମ୍ପା ।
ସୁପରଜାଏଣ୍ଟ୍ସ: ଆଡେନ ମାରକ୍ରମ, ମିଚେଲ ମାର୍ଶ, ନିକୋଲାସ ପୂରନ, ରିଷଭ ପନ୍ତ (ଅଧିନାୟକ), ଡେଭିଡ୍ ମିଲର, ଆୟୂଷ ବାଦୋନି, ସର୍ଦୁଲ ଠାକୁର, ସାହବାଜ ଅହମ୍ମଦ, ରବି ବିଷ୍ଣୋଇ, ଦିଗଭେଶ ରାଠି, ପ୍ରିନ୍ସ ଯାଦବ, ଏମ ସିଦ୍ଧାର୍ଥ ।
ଲଗାତାର ଦ୍ୱିତୀୟ ମ୍ୟାଚ୍ ହାରିଲା ରାଜସ୍ଥାନ; କ୍ୱିଣ୍ଟନ ଡି କକ୍ ହେଲେ ମ୍ୟାନ ଅଫ ଦ ମ୍ୟାଚ୍