ଚେନ୍ନାଇ, ୨୮/୦୩: ଆଇପିଏଲ୍ର ଅଷ୍ଟମ ଲିଗ୍ ମୁକାବିଲାରେ ଆଜି ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଉଭୟ ଦଳ ବିଜୟ ସହ ସିଜନ ଆରମ୍ଭ କରିଛନ୍ତି । ଫଳରେ ଆଜି ଦୁଇ ଦଳ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିବ ।
ଆଇପିଏଲ୍ରେ ପୂର୍ବରୁ ଉଭୟ ଦଳ ୩୩ଥର ସାମ୍ନାସାମ୍ନି ହୋଇଛନ୍ତି । ଏଥିରୁ ସୁପରକିଙ୍ଗ୍ସ ୨୧ଟି ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ୧୧ଟି ମ୍ୟାଚ୍ ଜିତିଥିବାବେଳେ ଗୋଟିଏ ବିନା ଫଳାଫଳରେ ଶେଷ ହୋଇଛି । ଗତ ସିଜନରେ ଉଭୟ ଦଳ ୨ଥର ପରସ୍ପରକୁ ଭେଟିଥିଲେ ଏବଂ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିଲେ ।
ସୁପରକିଙ୍ଗ୍ସ ତା’ର ଘରୋଇ ଗ୍ରାଉଣ୍ଡ୍ (ଚିପକ୍)ରେ ଦ୍ୱିତୀୟ ମ୍ୟାଚ୍ ଖେଳିବାକୁ ଯାଉଛି । ପୂର୍ବଭଳି ଆଜି ମଧ୍ୟ ଚିପକ୍ ଷ୍ଟାଡିୟମ ହଳଦିଆ ଜର୍ସିରେ ପୂରି ଉଠିବ। ପ୍ରଥମ ମ୍ୟାଚ୍ରେ ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ୱିକେଟ୍ରେ ହରାଇଥିଲା । ସ୍ପିନର ନୂର ଅହମ୍ମଦ (୪/୧୮) ଘାତକ ବୋଲିଂ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଆଜି ମଧ୍ୟ ସ୍ପିନ ବିଭାଗ ରୟାଲ୍ ଚ୍ୟାଲେଞ୍ଜର୍ସ ବ୍ୟାଟରଙ୍କୁ ବାନ୍ଧି ରଖିବା ପାଇଁ ପ୍ରସ୍ତୁତ ଅଛନ୍ତି । ଦଳରେ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଭଳି ଦକ୍ଷ ସ୍ପିନର ରହିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରଚିନ ରବିନ୍ଦ୍ର (ଅପରାଜିତ ୬୫) ଓ ଅଧିନାୟକ ଋତୁରାଜ ଗାଏକୱାଡ (୫୩) ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ଫର୍ମରେ ଥିବା ପ୍ରମାଣିତ କରିଥିଲେ । ମାତ୍ର ମଧ୍ୟ ଭାଗ ବ୍ୟାଟର ନିରାଶ କରିଥିଲେ । ରୟାଲ୍ ଚ୍ୟାଲେଞ୍ଜର୍ସକୁ ହରାଇବାକୁ ହେଲେ ମଧ୍ୟ ଭାଗ ବ୍ୟାଟରଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ ।
ରୟାଲ୍ ଚ୍ୟାଲେଞ୍ଜର୍ସ ଗତ ୨୨ତାରିଖ ଉଦ୍ଘାଟନୀ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସକୁ ପରାଜିତ କରିଥିଲା। ଏହି ମ୍ୟାଚ୍ରେ ବିରାଟ କୋହଲି (୫୯), ଫିଲ୍ ସଲ୍ଟ (୫୬) ଅର୍ଦ୍ଧଶତକ ଅର୍ଜନ କରିଥିବାବେଳେ ଅଧିନାୟକ ରଜତ ପାତିଦାର ଦର୍ଶନୀୟ ସଟ୍ମାନ ଖେଳିଥିଲେ । ବୋଲିଂରେ କୃନାଲ ପାଣ୍ଡ୍ୟା (୩ୱିକେଟ୍) ଓ ପେସ୍ ବୋଲର ଜୋସ ହାଜେଲଉଡ୍ (୨ୱିକେଟ୍) ଘାତକ ସାବ୍ୟସ୍ତ ହୋଇଥିଲେ ।
ଚିପକ୍ ପିଚ୍ ସ୍ପିନରଙ୍କୁ ସୁହାଉଥିବାରୁ ରୟାଲ୍ ଚ୍ୟାଲେଞ୍ଜର୍ସ ଆଜି ମୋହିତ ରାଠୀ ଏବଂ ସ୍ୱପ୍ନିଲ ସିଂହଙ୍କ ମଧ୍ୟରୁ ଜଣଙ୍କୁ ଖେଳାଇବା ଆଶା କରାଯାଉଛି । ସେହିପରି ଆହତ ହେବା ଯୋଗୁ ପ୍ରଥମ ମ୍ୟାଚ୍ ଖେଳି ନଥିବା ଅଭିଜ୍ଞ ପେସ୍ ବୋଲର ଭୁବନେଶ୍ୱର କୁମାର ଏକାଦଶରେ ସ୍ଥାନ ପାଇବା ସମ୍ଭାବନା ରହିଛି ।
ପିଚ୍: ଚିପକ୍ ଷ୍ଟାଡିୟମର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ । ମାତ୍ର ପୂର୍ବ ମ୍ୟାଚ୍ (ସୁପରକିଙ୍ଗ୍ସ-ମୁମ୍ବାଇ ଇଣ୍ଡିଆନ୍ସ) ରେ ସ୍ପିନରମାନେ ମୋଟ ୯ଟି ୱିକେଟ୍ ଅକ୍ତିଆର କରିଥିଲେ । ଆଜି ମଧ୍ୟ ସ୍ପିନରମାନେ ମ୍ୟାଚ୍ ଫଳାଫଳ ନିର୍ଣ୍ଣୟ କରିବା ଆଶା କରାଯାଉଛି ।
ସମ୍ଭାବ୍ୟ ଦ୍ୱାଦଶ
ଚେନ୍ନାଇ ସୁପରକିଙ୍ଗ୍ସ: ରଚିନ ରବିନ୍ଦ୍ର, ଋତୁରାଜ ଗାଏକୱାଡ୍ (ଅଧିନାୟକ), ରାହୁଲ ତ୍ରିପାଠୀ, ଦୀପକ ହୁଡ଼ା, ଶିବମ ଦୁବେ, ସାମ କରନ, ରବୀନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂହ ଧୋନି, ରବିଚନ୍ଦ୍ରନ ଅଶ୍ୱିନ, ନାଥାନ ଏଲିସ୍, ନୂର ଅହମ୍ମଦ, ଖଲିଲ ଅହମ୍ମଦ ।
ରୟାଲ୍ ଚ୍ୟାଲେଞ୍ଜର୍ସ: ବିରାଟ କୋହଲି, ଫିଲ୍ ସଲ୍ଟ, ରଜତ ପାତିଦାର, ଦେବଦତ୍ତ ପାଡିକଲ/ମୋହିତ ରାଠୀ, ଲାଏମ ଲିଭିଙ୍ଗଷ୍ଟୋନ୍, ଜିତେଶ ଶର୍ମା, ଟିମ୍ ଡେଭିଡ୍, କୃନାଲ ପାଣ୍ଡ୍ୟା, ରସିଖ ସଲାମ/ ଭୁବନେଶ୍ୱର କୁମାର/ସ୍ୱପ୍ନିଲ ସିଂହ, ଜୋସ ହାଜେଲଉଡ୍, ୟଶ୍ ଦୟାଲ, ସୂୟାଶ ଶର୍ମା ।
IPL 2025: ସନରାଇଜର୍ସ ହାଇଦ୍ରାବାଦ ନିରାଶ, ଲକ୍ଷ୍ନୌର ପ୍ରଥମ ବିଜୟ