ନୂଆଦିଲ୍ଲୀ,୨୦/୦୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧ ଦିନକୁ ଦିନ ଅଧିକ ଘନେଇ ଚାଲିଛି । ଷ୍ଟିଲ୍ ଏବଂ ଆଲୁମିନିୟମ ପରେ ଏବେ ଟ୍ରମ୍ପ ଅଟୋମୋବାଇଲ, ସେମିକଣ୍ଡକ୍ଟର ଏବଂ ଔଷଧ ଆମଦାନିରେ ୨୫% କିମ୍ବା ଅଧିକ ଶୁଳ୍କ କଷିବାକୁ ଧମକ ଦେଲେଣି । ଏପ୍ରିଲ ୨ରୁ ଏହାକୁ କାର୍ଯ୍ୟକାରୀ କରିବାକୁ ସେ ବୁଧବାର ଘୋଷଣା କରିଛନ୍ତି । ଯଦି ଏହା ହୁଏ ତେବେ ଆମେରିକାର ଔଷଧ ବଜାରରେ ବଡ଼ ଉପସ୍ଥିତି ଥିବା ଭାରତୀୟ କମ୍ପାନିଗୁଡ଼ିକ ମୁଣ୍ଡରେ ପଡ଼ିବ ଚଡ଼କ । କାରଣ ସେଠାକୁ ୪୭% ଔଷଧ ଯୋଗାଇଥାନ୍ତି ଭାରତୀୟ କମ୍ପାନି । ଏହି ଶୁଳ୍କ ଲାଗୁ ହେବା ଦ୍ୱାରା ଭାରତୀୟ ଫାର୍ମା କମ୍ପାନିଙ୍କ ଖର୍ଚ୍ଚ ବଢ଼ିବା ସହ ସେମାନଙ୍କ ଲା
ହେବ । କାରଣ ସେମାନଙ୍କ ଉତ୍ପାଦ ଲାଗି ଆମେରିକା ଏକ ବଡ଼ ବଜାର । ସେଠାକାର ବଜାରରେ ଭାରତୀୟ ଫାର୍ମା କମ୍ପାନିଙ୍କ ପ୍ରତିସ୍ପର୍ଦ୍ଧା କମିବ ।
ଭାରତୀୟ ଫାର୍ମା ଉତ୍ପାଦର ଏକ ବଡ଼ ଆମଦାନିକାରୀ ହେଲା ଆମେରିକା । ଆମେରିକାରୁ ବୃହତ୍ ରାଜସ୍ୱ ହାସଲ କରିଥାନ୍ତି ଭାରତୀୟ ଔଷଧ କମ୍ପାନି । ୨୦୨୩-୨୪ ଆର୍ଥିକବର୍ଷରେ ୟୁଏସ୍କୁ ଭାରତୀୟ ଫାର୍ମା ରପ୍ତାନି ପରିମାଣ ରହିଥିଲା ୮୭୩ କୋଟି ଡଲାର । ଆଲୋଚ୍ୟ ଆର୍ଥିକବର୍ଷରେ ଶିଳ୍ପର ମୋଟ ରପ୍ତାନିରେ ଆମେରିକାକୁ ରପ୍ତାନି ପରିମାଣ ପ୍ରାୟ ୩୧% ରହିଥିଲା । ଆମେରିକାରେ ଶସ୍ତାରେ ମାନଯୁକ୍ତ ଔଷଧ ଯୋଗାଇବାରେ ଭାରତୀୟ ଫାର୍ମା କମ୍ପାନିଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ସେଠାକାର ରୋଗୀମାନଙ୍କ ପାଇଁ ଭାରତ ପ୍ରାୟ ୪୭% ଔଷଧ ଯୋଗାଉଛି । ଅର୍ଥନୀତିଜ୍ଞଙ୍କ ମତରେ, ଔଷଧ ଉପରେ ୨୫% କିମ୍ବା ଅଧିକ ଶୁଳ୍କ ଲାଗୁ ହେବା ଦ୍ୱାରା ଭାରତ ବଡ଼ ଆକାରରେ ପ୍ରଭାବିତ ହେବ ।
ସନ୍ଫାର୍ମା, ଡକ୍ଟର ରେଡ୍ଡି, ସିପ୍ଲା, ଅରୋବିନ୍ଦ ଫାର୍ମା, ବାୟୋକନ୍, ଲୁପିନ୍ ଏବଂ ଗ୍ଲେନ୍ମାର୍କ ଫାର୍ମା ଭଳି ଭାରତୀୟ କମ୍ପାନିଗୁଡ଼ିକର ଆମେରିକାରେ ବଡ଼ ଉପସ୍ଥିତି ରହିଛି । କମ୍ପାନିଗୁଡ଼ିକର ମୋଟ ରାଜସ୍ୱରୁ ଆମେରିକାରୁ ଆସୁଛି ୩୦ରୁ ୪୫% । ଟ୍ରମ୍ପଙ୍କ ଘୋଷଣା ପରେ ଏସବୁ କମ୍ପାନି ଏବେ ଚିନ୍ତାରେ । ଭାରତର ସୁଲଭ ଔଷଧ ଯୋଗୁ ଆମେରିକାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବୃହତ୍ ସଞ୍ଚୟ ହେଉଛି । ଅର୍ଥନୀତିଜ୍ଞମାନଙ୍କ କହିବାନୁସାରେ, ଯଦି ଶୁଳ୍କ ଲାଗୁ ହୁଏ ତେବେ ଆମେରିକା ବି ବର୍ତ୍ତିବନି । ଆମେରିକୀୟଙ୍କ ପାଇଁ ଔଷଧ ମହଙ୍ଗା ହୋଇଯିବ ଏବଂ ସେଠାରେ ମୁଦ୍ରାସ୍ଫୀତି ମୁକାବିଲା ପ୍ରଭାବିତ ହେବ । ଇଣ୍ଡିଆନ୍ ଫାର୍ମାସ୍ୟୁଟିକାଲ ଆଲିଆନ୍ସ(ଆଇପିଏ)ର ମହାସଚିବ ସୁଦର୍ଶନ ଜୈନ କହିଛନ୍ତି ଯେ,ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା କରାଯାଇ ଏହି ମାମଲାର ସମାଧାନ ହେବା ଦରକାର ।
ଫାର୍ମା ଉପରେ ଟ୍ରମ୍ପଙ୍କ ଟାରିଫ୍ ଘୋଷଣା ପରେ ନିଫ୍ଟି ଫାର୍ମାରେ ୧୦% ହ୍ରାସ ଦେଖିବାକୁ ମିଳିଛି । ଔଷଧ କମ୍ପାନିଗୁଡ଼ିକର ସେୟାର ମୂଲ୍ୟ ବଡ଼ ଆକାରରେ ଖସିଛି । ଭାରତୀୟ ଫାର୍ମା କମ୍ପାନିଗୁଡ଼ିକ ବର୍ତ୍ତମାନ ଏହି ପ୍ରସଙ୍ଗ ଉପରେ ଅନୁଧ୍ୟାନ କରୁଛନ୍ତି ଏବଂ ସମ୍ଭାବ୍ୟ କ୍ଷତିକୁ ନିୟନ୍ତ୍ରଣ କରିବାକୁ ରଣନୀତିକୁ ପରଖୁଥିବା ଜଣାପଡ଼ିଛି । ତେବେ ଭାରତ ଆମେରିକାକୁ ମାତ୍ର ୦.୨% କାର ରପ୍ତାନି କରୁଥିବାରୁ ଅଟୋମୋବାଇଲ ଉପରେ ଘୋଷଣା କରାଯାଇଥିବା ଆମଦାନି ଶୁଳ୍କର ସେଭଳି ବଡ଼ ଧରଣର ପ୍ରଭାବ ଭାରତ ଉପରେ ପଡ଼ି ନ ପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି ।
ପ୍ରକାଶଯୋଗ୍ୟ, ଯେସାକୁ ତେସା ଶୁଳ୍କ ନୀତି ମାଧ୍ୟମରେ ଟ୍ରମ୍ପ ସହଯୋଗୀ ରାଷ୍ଟ୍ରଗୁଡ଼ିକ ଉପରେ ମୋଟା ଶୁଳ୍କ ଲଦିବାକୁ ଘୋଷଣା କରିଆସୁଛନ୍ତି । ଯିଏ ଯେତିକି ଶୁଳ୍କ ଲଗାଇବ, ଆମେରିକା ବି ସମାନ ମାତ୍ରାରେ ଶୁଳ୍କ କଷିବ ବୋଲି ସେ କହିଛନ୍ତି । ପୂର୍ବରୁ ଚୀନ୍ ଉପରେ ୧୦%ର ଅତିରିକ୍ତ ଶୁଳ୍କ ଲଦିସାରିଛି ଆମେରିକା । ଏହା ସହିତ କାନାଡ଼ା ଏବଂ ମେକ୍ସିକୋ ଉପରେ ୨୫% ଶୁଳ୍କ ଘୋଷଣା କରି ଏହାକୁ ମାର୍ଚ୍ଚ ୪ ଯାଏ ସ୍ଥଗିତ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ରାଷ୍ଟ୍ରଗୁଡ଼ିକୁ ଆମେରିକାରେ ଫ୍ୟାକ୍ଟ୍ରି ଖୋଲିବା ପାଇଁ କହି ଆସୁଛନ୍ତି । ସେ କହିଛନ୍ତି ଯେ, ଆମେରିକାରେ କାରଖାନା ଖୋଲିଲେ ହିଁ ଶୁଳ୍କ ବାଣରୁ ରାଷ୍ଟ୍ରଗୁଡ଼ିକ ବର୍ତ୍ତିପାରିବେ ।
ଆମେରିକାରେ ବିମାନ ଦୁର୍ଘଟଣା, ୨ ମୃତ