ନୂଆଦିଲ୍ଲୀ: ଗାଜା ଅସ୍ତ୍ରବିରତି ଚୁକ୍ତିନାମାର ଉଲ୍ଲଂଘନକୁ ନିଷ୍ଠୁର ଏବଂ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ବାସ୍ତବରେ,ଚୁକ୍ତିନାମାର ଅଂଶ ଭାବରେ ହମାସ ଦ୍ୱାରା ପଠାଯାଇଥିବା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ ଭୁଲ ବୋଲି ଜଣାପଡ଼ିଲା। ହମାସ ପଠାଇଥିବା ମହିଳାଙ୍କ ମୃତଦେହ ଇସ୍ରାଏଲର ଦୁଇ ସନ୍ତାନର ମାଆ ଶିରି ବିବାସଙ୍କର ନଥିଲା। ଉଗ୍ରବାଦୀ ସଂଗଠନ ଶିରିଙ୍କ ମୃତଦେହ ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲା।
ଏହି ଘଟଣା ଯୁଦ୍ଧବିରତିର ଭବିଷ୍ୟତ ଉପରେ ପ୍ରଶ୍ନ ଉଠାଇଛି। ୧୫ ମାସର ଯୁଦ୍ଧ ପରେ ଏକ ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ଆସନ୍ତାକାଲି (ଶନିବାର) ଆଉ ଛଅ ଜଣ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରାଯିବ। ଗୁରୁବାର ଦିନ ହମାସ ଇସ୍ରାଏଲକୁ ଚାରୋଟି ମୃତଦେହ ପଠାଇଛି। ଇସ୍ରାଏଲୀ ଅଧିକାରୀଙ୍କ ଅନୁଯାୟୀ, ଶିରି ବିବାସଙ୍କ ଦୁଇ ପିଲା, କଫିର ଏବଂ ଏରିଏଲ୍ ବିବାସ ଏବଂ ୮୩ ବର୍ଷୀୟ ଓଡେଡେ ଲିଫସିଜ୍ଙ୍କ ମୃତଦେହକୁ ସଠିକ୍ ଭାବରେ ଚିହ୍ନଟ କରାଯାଇଥିଲା। ଯେତେବେଳେ କି ଚତୁର୍ଥ ମୃତଦେହଟି ଶିରି ବିବାସଙ୍କର ନୁହେଁ ବରଂ ଗାଜାର ଜଣେ ମହିଳାଙ୍କର ଥିଲା।
ଏହା ଉପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି ଯେ, ଆମେ ଆମର ସମସ୍ତ ଜୀବିତ ଏବଂ ମୃତ ବନ୍ଧକଙ୍କ ସହିତ ଶିରିକୁ ଘରକୁ ଆଣିବା ପାଇଁ ଦୃଢ଼ ସଂକଳ୍ପ ସହିତ କାମ କରିବୁ ଏବଂ ନିଶ୍ଚିତ କରିବୁ ଯେ ହମାସ ଚୁକ୍ତିନାମାର ଏହି ନିଷ୍ଠୁର ଏବଂ ଦୁର୍ଭାଗ୍ୟପୂର୍ଣ୍ଣ ଉଲ୍ଲଂଘନର ମୂଲ୍ୟ ଦେଉ।
ସୂଚନାଥାଉକି, ଜାନୁଆରୀ ମାସରେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଏକ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା, ଯାହା ଅଧୀନରେ ବନ୍ଧକଙ୍କ ମୁକ୍ତି ବଦଳରେ ଇସ୍ରାଏଲୀ ଜେଲରୁ ଶହ ଶହ ପାଲେଷ୍ଟାଇନୀଙ୍କୁ ମୁକ୍ତ କରାଯାଇଥିଲା। ଗୁରୁବାର ଦିନ ବନ୍ଧକ ମାନଙ୍କୁ ମୁକ୍ତ କରିବା ପରେ ହମାସ ପ୍ରଥମ ଥର ପାଇଁ ମୃତ ବନ୍ଧକଙ୍କ ମୃତଦେହ ଫେରାଇଛି।