ନୂଆଦିଲ୍ଲୀ,୨୧/୦୨: ଏବେ ନାସା କ’ଣ କେବଳ ଚନ୍ଦ୍ର ଅଭିଯାନରେ ଅଛି, ନା ଏହାର ପରବର୍ତ୍ତୀ ବଡ଼ ପଦକ୍ଷେପ ସିଧା ମଙ୍ଗଳ ଗ୍ରହକୁ ଯିବ? ଏହି ପ୍ରଶ୍ନ ଏଥିପାଇଁ ଉଠିିଛି, କାରଣ ନାସା ଏହାର ମହତ୍ୱାକାଂକ୍ଷୀ ମିଶନ 'ଆର୍ଟେମିସ୍'ରୁ ଓହରି ଯାଉଥିବା ଦେଖିବାକୁ ମିଳିଛି। ଆର୍ଟେମିସ୍ ମିଶନର ଲକ୍ଷ୍ୟ ହେଉଛି ଚନ୍ଦ୍ରରେ ମାନବ ବସତି ସ୍ଥାପନ କରିବା। ବୁଧବାର ବିଳମ୍ବିତ ରାତିରେ, ନାସା ହଠାତ୍ ଦୀର୍ଘକାଳୀନ ସହଯୋଗୀ ମହାକାଶଚାରୀ ଜିମ୍ ଫ୍ରିଙ୍କ ଅବସର ଘୋଷଣା କରିଥିଲା, ଫେବୃଆରୀ ୨୦ ତାରିଖ ତାଙ୍କର ନାସାରେ ଶେଷ କାର୍ଯ୍ୟ ଦିବସ ଥିଲା। ପ୍ରାୟ ୩୦ ବର୍ଷ ପରେ ଜିମ୍ ଫ୍ରିଙ୍କୁ ହଠାତ୍ ନାସାରୁ କାହିଁକି ଅବସର ଦିଆଗଲା ତାହାର କୌଣସି କାରଣ ଉଲ୍ଲେଖ କରାଯାଇ ନାହିଁ। ଜିମ୍ ଫ୍ରି ଆର୍ଟେମିସ୍ ମିଶନର ସମର୍ଥକ ରହିଆସିଛନ୍ତି। ତେବେ କ’ଣ ଏହି କାରଣରୁ ଜିମ୍ ଫ୍ରେଙ୍କୁ ଏବେ ନାସାରୁ ଅବସର ଦିଆଯାଇଛି ବୋଲି ପ୍ରଶ୍ନ ଉଠିଲାଣି।
ନାସାର ବଡ଼ ଅଧିକାରୀଙ୍କ ଇସ୍ତଫା ପରେ ଅନେକ ଚର୍ଚ୍ଚା:
ଜଣେ ଶ୍ରେଷ୍ଠ ମହାକାଶଚାରୀ ହଠାତ୍ ନାସାରୁ ଅବସର ଦେବା ଏବଂ ବୋଇଂର ଚନ୍ଦ୍ର ରକେଟରେ କାମ କରୁଥିବା ଶହ ଶହ କର୍ମଚାରୀଙ୍କୁ ଛଟେଇ କରିବାର ଯୋଜନା ପରେ ଟ୍ରମ୍ପ ପ୍ରଶାସନ ନାସାର ଆର୍ଟେମିସ୍ ମିଶନକୁ ବାତିଲ କରିପାରେ ବୋଲି ଅନୁମାନ କରାଯାଉଛି। ତଥାପି, ଆର୍ଟେମିସ୍ ମିଶନର ପରିକଳ୍ପନା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ କରାଯାଇଥିଲା। ଏବେ ଲାଗୁଛି ଯେ ସେ ଚନ୍ଦ୍ରକୁ ଯିବାର ଯୋଜନା ବାତିଲ କରି ସିଧାସଳଖ ମଙ୍ଗଳ ଗ୍ରହକୁ ଯିବାକୁ ଚିନ୍ତା କରୁଛନ୍ତି। ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏବଂ ସ୍ପେସଏକ୍ସ ମାଲିକ ଏଲନ ମସ୍କଙ୍କ କାରଣରୁ ରାଷ୍ଟ୍ରପତି ଟ୍ରମ୍ପ ଚନ୍ଦ୍ର ବଦଳରେ ମିଶନ ମାର୍ସ ଯୋଜନା କରିଥିବା ଆଲୋଚନା ହେଉଛି।
ଆର୍ଟେମିସ୍ ମିଶନ ବନ୍ଦ ହେବ !
ଏଲନ ମସ୍କଙ୍କ ସ୍ପେସଏକ୍ସ ଭବିଷ୍ୟତର ମଙ୍ଗଳ ମିଶନ ପାଇଁ ଏହାର ପ୍ରୋଟୋଟାଇପ୍ ଷ୍ଟାରସିପ୍ ରକେଟ୍ ଉପରେ ବହୁତ ବାଜି ଲଗାଉଛି। ଟ୍ରମ୍ପ ତାଙ୍କର ପରବର୍ତ୍ତୀ ନାସା ମୁଖ୍ୟ ଭାବରେ ସ୍ପେସଏକ୍ସ ସହିତ ଦୁଇଥର ମହାକାଶକୁ ଉଡ଼ିଥିବା ଏଲନ ମସ୍କଙ୍କ ଘନିଷ୍ଠ ସହଯୋଗୀ, ଘରୋଇ ମହାକାଶଚାରୀ ଏବଂ ଇ-ପେମେଣ୍ଟ କୋଟିପତି ଜାରେଡ ଆଇଜାକମ୍ୟାନଙ୍କୁ ମଧ୍ୟ ବାଛିଛନ୍ତି। ଏଲନ ମସ୍କଙ୍କ ମଙ୍ଗଳ ମିଶନ ଯୋଗୁଁ, ନାସାର ଆର୍ଟେମିସ୍ ମିଶନ ପଛରେ ପଡ଼ିଯାଇଥିବା ପରି ମନେ ହେଉଛି। ଯଦିଓ ଆର୍ଟେମିସ୍ ମିଶନକୁ ବନ୍ଦ କରିବା ସମ୍ପର୍କରେ କୌଣସି ସରକାରୀ ସୂଚନା ଦିଆଯାଇ ନାହିଁ, ତଥାପି ସୂଚନା ମିଳୁଛି ଯେ ଆମେରିକା ଏବେ ଚନ୍ଦ୍ରକୁ ନୁହେଁ, ମଙ୍ଗଳକୁ ଏହାର ପରବର୍ତ୍ତି ଉଡ଼ାଣ ଭରିବ।
ଚନ୍ଦ୍ରଯାନ ମିଶନରେ ହୋଇପାରେ ବଡ଼ ଛଟେଇ:
ଯଦି ଆର୍ଟେମିସ୍ ମିଶନର ଗତି ହ୍ରାସ କରାଯାଉଛି, ତେବେ ଏହି ମିଶନରେ ନିୟୋଜିତ ବୋଇଂ ଦଳର କ'ଣ ହେବ? ବୋଇଂ ଏହି ମାସରେ କର୍ମଚାରୀମାନଙ୍କୁ କହିଛି ଯେ ଏହା "ଆର୍ଟେମିସ୍ ମିଶନରେ ପରିବର୍ତ୍ତନ ଏବଂ ମୂଲ୍ୟ ଆଶା ଅନୁଯାୟୀ" ଏହାର ସ୍ପେସ୍ ଲଞ୍ଚ ସିଷ୍ଟମ୍ ରକେଟ୍ ପ୍ରୋଗ୍ରାମରୁ ପାଖାପାଖି ୪୦୦ ଜଣଙ୍କୁ ଚାକିରିରୁ ଛଟେଇ କରିପାରେ। ଏହି ମହାକାଶ ଜଏଣ୍ଟ ନ୍ୟୁଜ୍ ଏଜେନ୍ସି ଏଏଫପିକୁ କହିଛି ଯେ "ଏଥିପାଇଁ ନିୟମ ଅନୁଯାୟୀ ଆଗାମୀ ସପ୍ତାହଗୁଡ଼ିକରେ ପ୍ରଭାବିତ କର୍ମଚାରୀମାନଙ୍କୁ ଅନିଚ୍ଛାକୃତ ଛଟେଇ ପାଇଁ ୬୦ ଦିନର ନୋଟିସ୍ ଜାରି କରିବାକୁ ପଡିବ।" ଟ୍ରମ୍ପ ଦ୍ବିତୀୟ ଥର ଆମେରିକାରେ ରାଷ୍ଟ୍ରପତି ହେବା ପରେ ଏବଂ ଏଲନ ମସ୍କଙ୍କ ସହିତ ତାଙ୍କର ଘନିଷ୍ଠତା ବଢ଼ିବା ପରେ ସେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇଚାଲିଛନ୍ତି। ଏହାକୁ ମସ୍କଙ୍କ ସହିତ ଟ୍ରମ୍ପଙ୍କର ବ୍ୟକ୍ତିଗତ ସ୍ବାର୍ଥ ବୋଲି ଆମେରିକାର ବୁଦ୍ଧିଜୀବୀ ଏବଂ ବିରୋଧୀ ଗୋଷ୍ଠି ଅଭିଯୋଗ ଆଣିଛନ୍ତି।