ନୂଆଦିଲ୍ଲୀ,୨୦/୦୨:ଆମେରିକାରେ ଗୋଟିଏ ପରେ ଗୋଟିଏ ହେଉଛି ବିମାନ ଦୁର୍ଘଟଣା।ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଆଉ ଏକ ଘଟଣା ।ଯେଉଁଥିରେ ଆମେରିକାର ଏରିଜୋନା ରାଜ୍ୟର ମାରାନା ଆଞ୍ଚଳିକ ବିମାନବନ୍ଦରରେ ଦୁଇଟି ଛୋଟ ବିମାନ ମଝି ଆକାଶରେ ଧକ୍କା ହୋଇଛି। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।
ଅଧିକାରୀଙ୍କ ସୂଚନା ଅନୁଯାୟୀ, ଉଭୟ ବିମାନ ମଝି ଆକାଶରେ ଧକ୍କା ହୋଇଥିଲା ଯାହା ବହୁତ ଭୟଙ୍କର ଥିଲା। ଆମେରିକାର ଜାତୀୟ ପରିବହନ ସୁରକ୍ଷା ବୋର୍ଡ ଅନୁଯାୟୀ, ବୁଧବାର ସକାଳେ ରନୱେ ୧୨ ରେ ଏକ ସେସ୍ନା 172S ଏବଂ ଏକ ଲ୍ୟାଙ୍କେୟାର ୩୬୦ ଏମକେ II କ୍ରସ୍ ମଧ୍ୟରେ ଧକ୍କା ହୋଇଥିଲା। ସୂଚନା ଅନୁଯାୟୀ, ସେସନା ବିମାନଟି କୌଣସି ଅଘଟଣ ବିନା ଅବତରଣ କରିଥିବା ବେଳେ ଲାନକେୟାର ବିମାନଟି ଧକ୍କା ପରେ ନିଆଁ ଲାଗିଯାଇଥିଲା। ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଜଣଙ୍କ ଜୀବନ ଗଲା। ତଥାପି, ବାକି ଖବର ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ତେବେ ଏଭଳି ଭୟଙ୍କର ବିମାନ ଦୁର୍ଘଟଣା ଏହା ପ୍ରଥମ ଥର ନୁହେଁ। ଗୋଟିଏ ମାସରେ ଆମେରିକାରେ ପ୍ରାୟ ୪ଟି ବିମାନ ଦୁର୍ଘଟଣା ଘଟିଛି। କିଛି ସପ୍ତାହ ପୂର୍ବେ ଆମେରିକାରେ ଏକ ବିମାନ ଦୁର୍ଘଟଣାରେ ୬୪ଜଣ ଯାତ୍ରୀ ଏବଂ ତିନି ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ଆଉ ଏକ ବିମାନ ଦୁର୍ଘଟଣା ଘଟିଥିଲା ଯାହା କୋଠା ଉପରେ ପଡ଼ିଥିଲା। ଏହି ବିମାନ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା।