ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (IGIA) ଏବେ ବିଶ୍ୱର ଶ୍ରେଷ୍ଠ ୧୦ ବ୍ୟସ୍ତବହୁଳ ବିମାନବନ୍ଦର ତାଲିକାରେ ସାମିଲ ହୋଇଛି । ୨୦୧୯ ରେ ଏୟାରପୋର୍ଟସ୍ କାଉନସିଲ୍ ଇଣ୍ଟରନ୍ୟାସନାଲ (ACIE) ଦ୍ୱାରା ଦିଲ୍ଲୀ ବିମାନବନ୍ଦର ୧୭ତମ ସ୍ଥାନରେ ଥିଲା। ତା’ପରେ ଏହା ୨୦୨୧ରେ ୧୩ ତମ ସ୍ଥାନରେ ଏବଂ ୨୦୨୩ ରେ ୧୦ମ ସ୍ଥାନରେ ପହଞ୍ଚିଥିଲା । ଏବେ ୨୦୨୪ ମସିହାରେ ଏହା ନବମ ସ୍ଥାନ ହାସଲ କରିଛି। ଏହା ଏକ ଐତିହାସିକ ସଫଳତା।
ରିପୋର୍ଟ ଅନୁଯାୟୀ, ୨୦୨୪ ରେ ଦିଲ୍ଲୀ ବିମାନବନ୍ଦରରୁ ୭.୭ କୋଟି ଯାତ୍ରୀ ଯାତ୍ରା କରିଥିଲେ। ୨୦୨୪ରେ ସାରା ବିଶ୍ୱରେ ମୋଟ ୯.୫ ବିଲିୟନ ଯାତ୍ରୀ ବିମାନରେ ଯାତ୍ରା କରିଥିଲେ । ଯାହା ୨୦୨୩ ତୁଳନାରେ ୯ ପ୍ରତିଶତ ଅଧିକ। ଅର୍ଥାତ୍, ଲୋକମାନେ ଏବେ ପୁଣି ଥରେ ବହୁ ମାତ୍ରାରେ ବିମାନ ଯାତ୍ରା ଆରମ୍ଭ କରିଛନ୍ତି। ଦିଲ୍ଲୀ ବିମାନବନ୍ଦରକୁ ଏହି ମାନ୍ୟତା ମିଳିବା ପଛରେ ଅନେକ କାରଣ ରହିଛି ।
ଭିତ୍ତିଭୂମିରେ ସୁଧାର, ବିଶ୍ୱ ସଂଯୋଗୀକରଣ ଏବଂ ପରିବେଶ ପ୍ରତି ପ୍ରତିବଦ୍ଧତା ମୁଖ୍ୟ କାରଣ ଗୁଡ଼ିକ ମଧ୍ୟରେ ଅନ୍ୟତମ । ଦିଲ୍ଲୀ ବିମାନବନ୍ଦରରେ ନୂତନ ଟର୍ମିନାଲ, ବିସ୍ତାରିତ ରନୱେ, ସ୍ମାର୍ଟ ପ୍ରଯୁକ୍ତିଏ ବଂ ସ୍ୱୟଂଚାଳିତ ବ୍ୟାଗେଜ ସିଷ୍ଟମ ଏହାକୁ ସ୍ୱତନ୍ତ୍ର କରିଥାଏ। ଏହା ବ୍ୟତୀତ, ଦିଲ୍ଲୀରୁ ଏବେ ୧୫୦ ରୁ ଅଧିକ ଅନ୍ତର୍ଜାତୀୟ ସ୍ଥାନକୁ ସିଧାସଳଖ ବିମାନ ସେବା ଉପଲବ୍ଧ। ଏହାର ଅର୍ଥ ହେଉଛି, ବିଶ୍ୱ ଏବେ ଦିଲ୍ଲୀର ନିକଟତର ହେଉଛି ।