ପୁରୀ,୨୮/୦୫: ହୋଟେଲ୍ ରୁମ୍ ବୁକ୍ କରି ପହଞ୍ଚିଥିଲେ । ହେଲେ ପହଞ୍ଚିବାବେଳେ ରୁମ୍ ଅବସ୍ଥା ଖରାପ ଥିଲା । ଏହାକୁ ସୁଧାରିବାକୁ କହିବାରୁ ଧମକ ଦେଲେ ହୋଟେଲ୍ ମାଲିକ । ଏଭଳି ଏକ ଘଟଣା ନେଇ ବଳିଆପଣ୍ଡା ଥାନା ପୁଲିସ ମାମଲା ରୁଜୁ କରିଛି । ଏହି ଯାତ୍ରୀ ହେଲେ ଭଦ୍ରକ ଜିଲ୍ଲା ବନ୍ତଛକ ଜଗନ୍ନାଥପୁର ଗ୍ରାମର ଶର୍ମିଷ୍ଠା ପ୍ରକାଶିନୀ ବୋଇତି ।
ସେ ଅଭିଯୋଗ କରିଛନ୍ତି ଯେ, ବଳିଆପଣ୍ଡା ସ୍ଥିତ ହୋଟେଲ୍ ରାଜେଶ୍ୱରୀରେ ସେ ୩ଟି ଏସି ରୁମ୍ ବୁକ୍ କରିଥିଲେ । ଗତ ୨୬ ତାରିଖ ଅପରାହ୍ନ ସାଢ଼େ ୩ଟାରେ ଶର୍ମିଷ୍ଠା ଓ ତାଙ୍କ ପରିବାର ଲୋକେ ଏହି ହୋଟେଲ୍ରେ ପହଞ୍ଚିଥିଲେ । କିନ୍ତୁ ଏହି ରୁମ୍ରେ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇଥିବା ବେଳେ ଏସି କିମ୍ବା ଫ୍ୟାନ୍ ଚାଲୁ ନଥିଲା । ରୁମ୍ ଦେଖାଇଥିବା କର୍ମଚାରୀ ପ୍ରତାପ ଜେନାକୁ ଚାବି ଦେଇ ବିଦ୍ୟୁତ୍ ସଂଯୋଗ କରି ଏସି ଓ ଫ୍ୟାନ୍ ଚଳାଇବାକୁ କହିଥିଲେ ଶର୍ମିଷ୍ଠା । ଏହି ସମୟ ମଧ୍ୟରେ ବାହାରୁ ବୁଲାବୁଲି କରି ଫେରୁଛି ବୋଲି କହି ସେମାନେ ବେଳାଭୂମି ପଳାଇଥିଲେ ।୨ ଘଣ୍ଟା ପରେ ହୋଟେଲ୍କୁ ଫେରିବା ବେଳେ ରୁମ୍ରେ ବିଦ୍ୟୁତ୍ ସଂଯୋଗ ଦିଆଯାଇ ନଥିଲା ।
ଏଭଳି ଅବସ୍ଥାରେ ରୁମ୍ରେ ରହିହେବ ନାହିଁ କହି ବୁକିଂ କରିବା ବେଳେ ଦେଇଥିବା ଟଙ୍କା ଫେରସ୍ତ ମାଗିଥିଲେ ଶର୍ମିଷ୍ଠା । ହେଲେ ଟଙ୍କା ଫେରସ୍ତ ଦେବିନାହିଁ, କିଏ ମୋର୍ କ’ଣ କରିବ ଦେଖିବି ବୋଲି କହି ହୋଟେଲ୍ ମାଲିକ ଫୋନ୍ ଯୋଗେ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗକୁ ଭିତ୍ତି କରି ବଳିଆପଣ୍ଡା ଥାନା ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।ପର୍ଯ୍ୟଟନ ସହର ପୁରୀରେ ସମ୍ପୃକ୍ତ ହୋଟେଲ୍ରେ ଅତିଥିଙ୍କୁ ଏଭଳି ଅସମ୍ମାନ ‘ଅତିଥି ଦେବୋ ଭବଃ’ ସ୍ଲୋଗାନ୍କୁ ଉପହାସ କରୁଛି ।