ଭୁବନେଶ୍ୱର,୨୦/୦୩: ଏଠି ପ୍ରତିବାଦ କରି ଆନ୍ଦୋଳନକୁ ନଓହ୍ଲାଇଲେ ମିଳେନାହିଁ ଦରମା । ଏଥିସହ କର୍ମଚାରୀଙ୍କ ପିଏଫ ଓ ଇଏସଆଇ ଦାଖଲରେ ମଧ୍ୟ ଟାଳଟୁଳ ନୀତି ଆପଣାଉଛି ଠିକା ସଂସ୍ଥା । ସଫେଇ ପାଇଁ ଆବଶ୍ୟକୀୟ ଉପକରଣ ଠିକ୍ ସମୟରେ ଯୋଗା ଯାଉନାହିଁ ା ଏଭଳି ଅନେକ ଅଭିଯୋଗ ନେଇ ଗୁରୁବାର ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ଆଉଟସୋର୍ସିଂ ଠିକା ସଫେଇ କର୍ମଚାରୀମାନେ କାର୍ଯ୍ୟ ବନ୍ଦ କରି ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ସାମ୍ନାରେ ଧରଣାରେ ବସିଛନ୍ତି ।
ଦାୟିତ୍ୱରେ ଥିବା ଏଲ୍.ଏନ୍.କେ ନାମକ ଠିକାସଂସ୍ଥାର ଏଭଳି ମନମାନି ବିରୋଧରେ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ଲିଖିତ ଅଭିଯୋଗ କରିଥିଲେ କର୍ମଚାରୀ । ହେଲେ ଏହି ସମସ୍ୟାର କୌଣସି ସମାଧାନ ହୋଇପାରି ନଥିବା କହିଛନ୍ତି କର୍ମଚାରୀ । ଅନ୍ୟ ପଟେ କମ୍ପାନୀ ବିରୋଧରେ ସ୍ୱର ଉତ୍ତୋଳନ କଲେ ଚାକିରିରୁ ଛଟେଇ କରିଦେବାକୁ କମ୍ପାନୀ କର୍ତୃପକ୍ଷ ଧମକ ଦେଉଥିବା ଅଭିଯୋଗ ହୋଇଛି । ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଯୋଗୁଁ ମେଡିକାଲ ପରିଷରର ପରିମଳ ବ୍ୟବସ୍ଥା ବିଗିଡିବା ଆଶଙ୍କା ରହିଛି ।