ନୂଆଦିଲ୍ଲୀ: ନ୍ୟାସନାଲ ଏଗ୍ କୋର୍ଡିନେସନ୍ କମିଟି(ଏନଇସିସି)ର ଚର୍ଚ୍ଚିତ ସ୍ଲୋଗାନ - ସଣ୍ଡେ ହୋ ୟା ମଣ୍ଡେ ରୋଜ୍ ଖାଓ ଅଣ୍ଡେ । ଅର୍ଥାତ ସପ୍ତାହାର ୭ ଦିନ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପକ୍ଷେ ଭଲ । କିନ୍ତୁ ପ୍ରକୃତରେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦୟକ କି ନୁହେଁ, ସେନେଇ ବହୁ ଗବେଷଣା ହୋଇଛି ଏବଂ ତଥ୍ୟ ବି ମିଳିଛି । ତେବେ ଅଣ୍ଡା ଖାଇବା ଶରୀର ପାଇଁ ଭଲ ନା ଖରାପ ଆସନ୍ତୁ ଜାଣିବା । ଅଣ୍ଡା ଏକ ପୁଷ୍ଟିକର ଖାଦ୍ୟ ବୋଲି କୁହାଯାଏ । ଅଣ୍ଡାରେ ପ୍ରୋଟିନ, ଭିଟାମିନ ବି୧୨, ଭିଟାମିନ୍ ଡି, ଆଇରନ ଏବଂ ସୁସ୍ଥ ଚର୍ବି ଭରପୂର ମାତ୍ରାରେ ରହିଥାଏ, ଯାହା ମାଂସପେଶୀ ଗଠନ, ମସ୍ତିଷ୍କ ବିକାଶ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିବାରେ ସାହାଯ୍ୟ କରେ । କ୍ୟାଲସିୟମ ଏବଂ ପ୍ରୋଟିନରେ ଭରପୂର ଅଣ୍ଡା ଖାଇବା ଦ୍ୱାରା ହାଡ଼ ମଜଭୁତ ହୁଏ। କିନ୍ତୁ କିଛି ଗବେଷଣାରୁ ଜଣାପଡ଼ିଛି ଯେ, ଅଣ୍ଡା ଖାଇବା କିଛି ଲୋକଙ୍କ ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ।
ସ୍ୱାସ୍ଥ୍ୟ ପାଇଁ ଅଣ୍ଡା କେତେ ଲାଭଦାୟକ?
ଅଣ୍ଡାରେ ଥିବା କୋଲାଇନ୍ ମସ୍ତିଷ୍କ ଏବଂ ସ୍ମୃତି ପାଇଁ ଲାଭଦାୟକ । ଏହା ଓଜନ ହ୍ରାସ, ଦୃଷ୍ଟିଶକ୍ତି ଏବଂ ହାଡ଼କୁ ମଜଭୁତ କରିବାରେ ମଧ୍ୟ ସହାୟକ। ଏହା ସହିତ, ଏହା ଶରୀରକୁ ଶକ୍ତି ଯୋଗାଇଥାଏ, ଯାହା ଆପଣଙ୍କୁ ଦିନସାରା ସକ୍ରିୟ ଅନୁଭବ କରାଇଥାଏ ।
ଅଣ୍ଡା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ କି ?
ଅଧିକ ପରିମାଣରେ ଅଣ୍ଡା ଖାଇବା ଦ୍ଵାରା କୋଲେଷ୍ଟ୍ରଲ ବୃଦ୍ଧି ପାଇପାରେ, ବିଶେଷକରି ଯେଉଁମାନଙ୍କର ହୃଦରୋଗ ସମସ୍ୟା ଅଛି। କମ ରନ୍ଧା କିମ୍ବା କଞ୍ଚା ଅଣ୍ଡା ଖାଇବା ଦ୍ୱାରା ସାଲମୋନେଲା ସଂକ୍ରମଣର ଆଶଙ୍କା ରହିଥାଏ । କିଛି ଲୋକଙ୍କୁ ଏହା ପ୍ରତି ଆଲର୍ଜି ହୋଇପାରେ, ଯାହା ଚର୍ମ ଫୁଲା କିମ୍ବା ପେଟ ସମସ୍ୟା ସୃଷ୍ଟି କରିପାରେ। ଏହା ସହିତ, ଭଜା ଅଣ୍ଡାରେ ଅଧିକ ତେଲ କିମ୍ବା ବଟର ବ୍ୟବହାର କରିବା ଦ୍ୱାରା କ୍ୟାଲୋରି ବୃଦ୍ଧି ପାଇପାରେ । ଫଳରେ ଶରୀରର ଓଜନ ବୃଦ୍ଧି ପାଇପାରେ।
କିଏ ଅଣ୍ଡା ଖାଇବା ଉଚିତ୍ ନୁହେଁ ?
ଯେଉଁମାନଙ୍କୁ ଅଣ୍ଡା ପ୍ରତି ଆଲର୍ଜି ଅଛି ସେମାନେ ଏହାକୁ ନଖାଇବା ଉଚିତ । ଏହା ଚର୍ମ ଫୋଟକା, ପେଟ ଯନ୍ତ୍ରଣା କିମ୍ବା ଫୁଲା ସୃଷ୍ଟି କରିପାରେ । ଉଚ୍ଚ କୋଲେଷ୍ଟ୍ରଲ୍, ହୃଦରୋଗ କିମ୍ବା ଯକୃତ ସମସ୍ୟା ଥିବା ଲୋକମାନେ ଅଣ୍ଡା ଖାଇବାକୁ କମ୍ କରିବା ଉଚିତ । କିଛି ଲୋକଙ୍କୁ ଅଣ୍ଡା ହଜମ କରିବାରେ ଅସୁବିଧା ହୁଏ । ବିଶେଷକରି ବୟସ୍କ ବ୍ୟକ୍ତି, ତେଣୁ ସେମାନେ ହାଲୁକା ଖାଦ୍ୟ ଗ୍ରହଣ କରିବା ଉଚିତ । ମଧୁମେହ ରୋଗୀମାନେ ମଧ୍ୟ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଅଣ୍ଡା ଖାଇବା ଉଚିତ । ସେମାନେ ଭଜା ଅଣ୍ଡା ନଖାଇବା ଭଲ ।
ଅଣ୍ଡାର ବିକଳ୍ପ କଣ ?
ଯେଉଁମାନେ ଅଣ୍ଡା ଖାଆନ୍ତି ନାହିଁ, ସେମାନେ ପ୍ରୋଟିନ୍ ପାଇଁ ସୋୟା, ପନିର, ଡାଲି, ବାଦାମ, , କଖାରୁ ମଞ୍ଜି ଏବଂ ଚିଆ ସିଡ୍ଖାଇପାରିବେ । କ୍ଷୀର, ଦହି ଏବଂ ପନିର ଭିଟାମିନ୍ ବି୧୨ ପାଇଁ ଭଲ ବିକଳ୍ପ । ଫ୍ଲେକ୍ସ ସିଡ୍ ଏବଂ ଚିଆ ସିଡ୍କୁ ପାଣିରେ ମିଶାଇ ଅଣ୍ଡାର ବିକଳ୍ପ ଭାବେ ଖାଇ ହେବ । ଛତୁ, ଟୋଫୁ ଏବଂ ଆଭୋକାଡୋ ମଧ୍ୟ ପୋଷଣରେ ଭରପୂର ଏବଂ ଏହା ଅଣ୍ଡାର ଭଲ ବିକଳ୍ପ ହୋଇପାରେ ।
ଜଣେ ଦିନକୁ କେତେ ଅଣ୍ଡା ଖାଇବା ଉଚିତ?
ସାଧାରଣତଃ, ଜଣେ ସୁସ୍ଥ ବ୍ୟକ୍ତି ଦିନକୁ ୧-୨ଟି ଅଣ୍ଡା ଖାଇବା ଉଚିତ । ଯେଉଁମାନେ ବହୁତ ଶାରୀରିକ ପରିଶ୍ରମ କରନ୍ତି, ଯେପରିକି ଖେଳାଳି କିମ୍ବା ବଡି ବିଲ୍ଡର, ସେମାନେ ୩-୪ଟି ଅଣ୍ଡା ଖାଇପାରିବେ । ଅତ୍ୟଧିକ ଅଣ୍ଡା ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧି ପାଇପାରେ । ହୃଦରୋଗ କିମ୍ବା କୋଲେଷ୍ଟ୍ରଲ୍ ସମସ୍ୟା ଥିବା ଲୋକମାନେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ । ଭଜା ଅଣ୍ଡା ଖାଇବା ଅପେକ୍ଷା ସିଝା ଅଣ୍ଡା ଖାଇବା ସ୍ୱାସ୍ଥ୍ୟକର ।
ବୟସ ଅନୁସାରେ ଅଣ୍ଡା ଖାଇବା ଉଚିତ କି?
ବୟସ ଅନୁସାରେ ଅଣ୍ଡାର ପରିମାଣ ନିର୍ଣ୍ଣୟ କରାଯିବା ଉଚିତ । ପିଲାମାନଙ୍କ ପାଇଁ (୧-୩ ବର୍ଷ) ଅଧା ଅଣ୍ଡା, ୪-୧୦ ବର୍ଷ ବୟସର ପିଲାମାନଙ୍କ ପାଇଁ ୧ ଅଣ୍ଡା, ବୟସ୍କମାନଙ୍କ ପାଇଁ ୧-୨ ଅଣ୍ଡା ଏବଂ ବୟସ୍କମାନଙ୍କ ପାଇଁ ସପ୍ତାହକୁ ୩-୪ ଅଣ୍ଡା ଯଥେଷ୍ଟ । ବୟସ୍କ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଉଚ୍ଚ କୋଲେଷ୍ଟ୍ରଲ୍ କିମ୍ବା ହୃଦରୋଗର ଆଶଙ୍କା ଥାଏ, ତେଣୁ ସେମାନେ ସୀମିତ ପରିମାଣରେ ଅଣ୍ଡା ଖାଇବା ଉଚିତ । ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଅଣ୍ଡା ବହୁତ ଲାଭଦାୟକ ।
କେଉଁ ସମୟରେ ଅଣ୍ଡା ଖାଇବା ଅଧିକ ଲାଭଦାୟକ?
ସକାଳ ଖାଦ୍ୟରେ ଅଣ୍ଡା ସାମିଲ କରିବା ଲାଭଦାୟକ, କାରଣ ଏହା ସାରା ଦିନ ପାଇଁ ଶକ୍ତି ଯୋଗାଇଥାଏ । ମେଟାବୋଲିଜିମ୍ ବୃଦ୍ଧି କରିଥାଏ । ସକାଳ ଜଳଖିଆରେ ଅଣ୍ଡା ଖାଇବା ଦ୍ୱାରା ପେଟ ବହୁତ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରହିଥାଏ । ଏହା ଅଧିକ ଖାଇବାରୁ ଆମକୁ ରୋକିଥାଏ । ଫଳରେ ଶରୀରର ଓଜନ ନିୟନ୍ତ୍ରଣରେ ରହେ । ରାତିରେ ଅଣ୍ଡା ଖାଇବା ଦ୍ୱାରା କିଛି ଲୋକଙ୍କ ପାଇଁ ପାଚନ ସମସ୍ୟା ହୋଇପାରେ । ଯେଉଁମାନେ ବ୍ୟାୟାମ କରନ୍ତି, ସେମାନଙ୍କ ପାଇଁ ବ୍ୟାୟାମ ପରେ ପ୍ରୋଟିନ୍ ପରିପୂରକ ଭାବରେ ଅଣ୍ଡା ମଧ୍ୟ ଲାଭଦାୟକ । ତେବେ ଉପରୋକ୍ତ ସମସ୍ତ ତଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ସଂଗ୍ରହ କରାଯାଇଛି ।