ଭୁବନେଶ୍ୱର,୦୪/୦୪: ଜଙ୍ଗଲକୁ ଶିକାର କରିବାକୁ ଯାଇ ନିଜେ ହେଲେ ଶିକାର । ଶିକାରୀ ଗୁଳିରେ ଗଲା ସାଙ୍ଗର ଜୀବନ । ମୃତକ ହେଲେ କୋତ୍ତମ ଗ୍ରାମର କାଳିଆ ନାୟକ । ଥାନାରେ ୪ ଜଣଙ୍କୁ ଅଟକ ରଖି ଛାନ୍ଭିନ୍ କରୁଛି ପୋଲିସ । ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ହିନ୍ଦୋଳ ବନାଞ୍ଚଳ ଖାଲିବୋରେଇ ସେକ୍ସନ କଦଳିପାଳ ମାନପୁର ଜଙ୍ଗଲରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ସଦର ଥାନା କୋତ୍ତମ ଗାଁର ୫ ଜଣ ସାଙ୍ଗ ପ୍ରଶାନ୍ତ ନାଏକ, କାଳିଆ ନାଏକ, ନରେଶ ସ୍ବାଇଁ, ଖଣ୍ଡୁଆ ଦେହୁରୀ ଓ ସନ୍ତୋଷ ନାଏକ ଶିକାର କରିବାକୁ ମନସ୍ଥ କରିଥିଲେ । ଶୁକ୍ରବାର ସକାଳୁ ସମସ୍ତେ ମିଶି ହିନ୍ଦୋଳ ବନାଞ୍ଚଳ ଖାଲିବୋରେଇ ସେକ୍ସନ କଦଳିପାଳ ମାନପୁର ଜଙ୍ଗଲକୁ ଯାଇଥିଲେ । ତେବେ ୫ ଜଣ ସାଙ୍ଗ ମିଶି ଶିକାର କରୁଥିବାବେଳେ ଘଟିଲା ଅଘଟଣ । ହଠାତ୍ ପ୍ରଶାନ୍ତଙ୍କ ଗୁଳିରେ ଟଳିପଡିଥିଲେ କାଳିଆ । ସେ ମରିଯାଇଥିବା ଜାଣିବା ପରେ ୪ ସାଙ୍ଗ କାଳିଆଙ୍କ ମୃତଦେହକୁ ଜଙ୍ଗଲରେ ଛାଡି ପଳାଇ ଯାଇଥିଲେ । ଖବର ପାଇ ରାସୋଳ ପୋଲିସ ମାନପୁର ଜଙ୍ଗଲରେ ପହଞ୍ଚିଥିଲା । କାଳିଆଙ୍କ ମୃତଦେହ ଜବତ ପରେ ହିନ୍ଦୋଳ ମେଡିକାଲକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।ତେବେ ଏହା ଏକ ଦୁର୍ଘଟଣା କି ସୁଚିନ୍ତିତ ହତ୍ୟା ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନି । ପ୍ରାଥମିକ ତଦନ୍ତ ପରେ ୪ ଜଣଙ୍କୁ ଅଟକ ରଖି ଛାନ୍ଭିନ୍ ଚଳାଇଛି ହିନ୍ଦୋଳ ପୋଲିସ । ସେମାନଙ୍କ ନିକଟରୁ ଅଫୁଟା ଗୁଳି ଓ ବନ୍ଧୁକ ଜବତ କରିଛି ପୋଲିସ ।