ଧାମନଗର,୨୭ା୩(ଆ.ପ୍ର): ଧାମନଗର ବ୍ଲକ ଓ ଏନ୍ଏସି ଅଞ୍ଚଳରେ ପବିତ୍ର ଇଦ୍ ଉଲ୍ ଫିତର ପର୍ବ ପାଇଁ ଧାମନଗର ପଞ୍ଚାୟତ ସମିତି ସଭାଗୃହ ପରିସରରେ ଶାନ୍ତି କମିଟି ବୈଠକ ଗୁରୁବାର ଅପରାହ୍ନରେ ଭାରପ୍ରାପ୍ତ ତହସିଲଦାର ସାଇ ସିଲାନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ଏସଡିପିଓ ତ୍ରିଲୋଚନ ସେଠୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ଏନଏସି ଅଧ୍ୟକ୍ଷା ନିବେଦିତା ଜେନା, ଏନଏସି ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ, ଶାନ୍ତି କମିଟିର ବରିଷ୍ଠ ସଦସ୍ୟ ବାସୁଦେବ ତ୍ରିପାଠୀ, ରାମଚନ୍ଦ୍ର ଜେନା, ବିରେନ୍ଦ୍ର କୁମାର ଜେନା, କୃଷ୍ଣଚନ୍ଦ୍ର ଜେନା,ଏମଡି ଇସ୍ରାଇଲ ହବିବି, ସେକ ଜାଫର ଅଲ୍ଲୀ ହବିବି, ପ୍ରତାପ ସାମଲ, ଗୋଲାମ ଜିଲାନି ହବିବି, ସେକ ଅବଦୁଲ ହାକିମ, ସୁଶାନ୍ତ କୁମାର ରାଉତ, ସ୍ୱାସ୍ଥ୍ୟ ଅଧିକାରୀ ଓ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସତ୍ୟ ସୁନ୍ଦର ପରିଡ଼ାଙ୍କ ସମେତ ବହୁ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ଉପସ୍ଥିତ ଥିଲେ । ପବିତ୍ର ଇଦ୍ ପର୍ବ ଏବଂ ଶ୍ରୀରାମ ନବମୀ କିପରି ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବ ସେନେଇ ବ୍ୟାପକ ଆଲୋଚନା ହୋଇଥିଲା ।
ଚଳିତ ମାସ ୩୧ କିମ୍ବା ଆସନ୍ତା ମାସ ୧ତାରିଖ ସକାଳ ୮ଟାରେ ଇଦଗାହ ମଇଦାନ ଠାରେ ସମୂହ ନମାଜ ପାଠ ଆରମ୍ଭ ହେବ ଏବଂ ସମସ୍ତ ମସଜିଦରେ ନମାଜ ପାଠ ୯ଟା ମଧ୍ୟରେ ସାରିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ପ୍ରଦାନ କରାଯାଇଛି । ଟ୍ରାଫିକ ସମସ୍ୟା, ଉଠା ଦୋକାନୀଙ୍କ ପାଇଁ ଜାଗା ଚିହ୍ନଟ କରିବା ସହିତ ସାନ ଓ ବଡ଼ ବଜାର ଚୂନପଡ଼ା ଛକ ମେଲଣ ପଡ଼ ିଆ ପର୍ଯ୍ୟନ୍ତ ସିସିଟିଭି, ଆଲୋକୀକରଣ ପାଇଁ ବ୍ୟବସ୍ଥା, ରାସ୍ତା ଘାଟ ସଫାସୁତୁରା ଏବଂ ସରକାରୀ ଜମିରେ ଜବରଦଖଲ ଉଛେଦ ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ ଟ୍ରାଫିକ ସମସ୍ୟା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଧାମନଗର ଆଇଆଇସି ଗୋପାଳ କୃଷ୍ଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।