ପ୍ରମୂଖ ଖବର
  • ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଗଛ, ଦିନ ହେଲା ରାତି
  • ||
  • ଭଦ୍ରକ : ଡିଜେ ଗାଡ଼ିରେ କରେଣ୍ଟ ଲାଗି ଜୀବନ ହାରିଥିଲେ ୨ ଜଣ, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ତେଲେଙ୍ଗାନାରେ ଚାଞ୍ଚଲ୍ୟ; ପାରିବାରିକ କଳହର କରୁଣ ପରିଣତି, ଦୁଇ ପିଲାଙ୍କ ଗଳା କାଟି ମା'ର ଆତ୍ମହତ୍ୟା
  • ||
  • ଗୁଡ୍‌ ଫ୍ରାଇଡେ : ଖ୍ରୀଷ୍ଟ ଧର୍ମାବଲମ୍ବୀ ପାଇଁ ପବିତ୍ର ଦିନ, ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରି ଯୀଶୁଙ୍କୁ ସ୍ମରଣ
  • ||
  • ନୂଆ ଗ୍ରହରେ ଜୀବସତ୍ତାର ମିଳିଛି ପ୍ରମାଣ, ‘କେ୨-୧୮ବି’ରେ ଜୀବନ ସହ ସଂଶ୍ଳିଷ୍ଟ ଅଣୁ ଚିହ୍ନଟ
  • ||
  • ଉତ୍ତର ଚିଲିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • IPL 2025: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, କୋହଲି- ଆୟରଙ୍କ ଉପରେ ନଜର
  • ||
  • ଫ୍ଲୋରିଡା ୟୁନିଭର୍ସିଟିରେ ଯୁବକଙ୍କ ଗୁଳିମାଡ଼, ୨ ଜଣଙ୍କ ମୃତ୍ୟୁ ଘଟିଥିବେ ବେଳେ ୫ ଗୁରୁତର ଆହତ
  • ||
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

ସରିଲା ଧାନ କିଣା; ମଣ୍ଡି ମାଡ଼ିଲେନି ୪ ହଜାର ଚାଷୀ

Published By : Bijay Swain | April 1, 2025 12:22 AM

ଢେଙ୍କାନାଳ,୩୧/୩(ଆପ୍ର): ଶେଷ ହୋଇଛି ଖରିଫ୍‌ ଧାନକିଣା। ଚଳିତ ବର୍ଷ ଢେଙ୍କାନାଳ ଜିଲ୍ଲାରେ ୧୭ ଲକ୍ଷ ୨୩ ହଜାର ୬୬୨ କୁଇଣ୍ଟାଲ ଧାନ କିଣା ଯାଇଛି। ୫୧ ହଜାର ୬୮୨ ଜଣ ଚାଷୀ ଧାନ ବିକ୍ରି କରିଥିବା ବେଳେ ଆହୁରି ପ୍ରାୟ ୪ ହଜାର ଚାଷୀ ଧାନ ବିକ୍ରି କରିନାହାନ୍ତି। ଅନେକ ଅବ୍ୟବସ୍ଥା ଭିତରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରିନପାରି ବେପାରୀଙ୍କୁ ଅଦରଦରରେ ଟେକିଦେଇଥିବା ଅଭିଯୋଗ ହୋଇଛି। 

ନୂଆ ସରକାର ଚଳିତ ବର୍ଷ ଧାନ ମୂଲ୍ୟ ବୃଦ୍ଧି କରି ୩୧ଶହ ଟଙ୍କା କରିଥିଲେ। ଯାହା ଚାଷୀଙ୍କୁ ଖୁସି ଦେଇଥିବା ବେଳେ କଟନି ଛଟନି, ଧାନ ନଉଠିବାରେ ବିଳମ୍ବ ଓ ମିଲର ମନମାନୀରେ ଅନେକ ଚାଷୀ ଦହଗଞ୍ଜ ହୋଇଛନ୍ତି। ବିଶେଷ କରି ଏଫଏକ୍ୟୁ ନାଁରେ ଅଧିକ କଟନି ଛଟନି ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଚଳିତ ବର୍ଷର ଧାନ କିଣାକୁ ଦେଖିଲେ, ଅମଳ ପୂର୍ବରୁ ବିଭିନ୍ନ ଜିଲ୍ଲା ସମେତ ଢେଙ୍କାନାଳରେ ଅଦିନିଆ ବର୍ଷା ହୋଇଥିଲା। ଧାନ ନଷ୍ଟ ହୋଇଥିଲା। ଯାହା ଏଫଏକ୍ୟୁ ମାନର ହେବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ଜାନୁଆରୀ ୮ ତାରିଖରୁ ମଣ୍ଡି ଖୋଲିବା ପରେ ଆଶଙ୍କା ସତ ହୋଇଥିଲା। ଯୋଗାଣ ମନ୍ତ୍ରୀ ଧାନ ମଣ୍ଡି ଉଦ୍‌ଘାଟନ କରିଥିଲେ ବି ଆସିଥିବା ଧାନ ଏଫଏକ୍ୟୁ ମାନର ହୋଇନଥିବାରୁ କିଣା ଯାଇପାରିନଥିଲା। ଏଫଏକ୍ୟୁ ନହେଲେ ନେବୁ ନାହିଁ ବୋଲି ମିଲର କହିବାରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା। 

ଶେଷରେ ମିଲର ଆଗରେ ଚାଷୀ ମୁଣ୍ଡ ନୁଆଇଥିଲେ। ସହମତି ଆଳରେ ୫ କେଜିରୁ ଆରମ୍ଭ କରି ୧୦ କେଜି ପର୍ଯ୍ୟନ୍ତ ଧାନ କଟନି ଛଟନି ହୋଇଥିଲା। ସେହିଭଳି ପ୍ରଶାସନ ୨ଟି ମିଲ୍‌ରେ ଚଢ଼ାଉ କରିବାରୁ ମିଲର ବିଭିନ୍ନ ଆଳ ଦେଖାଇ ଧାନ ଉଠାଇବା ବନ୍ଦ କରିଦେଲେ। ୫ ଦିନ ଧାନ ନଉଠିବାରୁ କାଇମାଟି ସମେତ ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ କଲା ପରେ ମନ୍ତ୍ରୀ, ବିଧାୟକ, ପ୍ରଶାସନ ଓ ମିଲରଙ୍କ ଆଲୋଚନା ପରେ ମିଲର ଧାନ ଉଠାଇଥିଲେ ସତ ମାତ୍ର କଟନିଛଟନି ଆହୁରି ସୀମା ଟପିଥିଲା। ବାଧ୍ୟ ହୋଇ ଚାଷୀ ନିରୂପାୟ ଭାବେ କଟନି ଛଟନି ହେଲେ ମଧ୍ୟ ଧାନ ବିକ୍ରି କରିଛନ୍ତି। ଧାନ ବିକ୍ରି ପାଇଁ ଜିଲ୍ଲାରେ ୫୪ ହଜାର ୧୫୨ ଜଣ ଚାଷୀ ପଞ୍ଜିକରଣ କରିଥିଲେ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୩ ଲକ୍ଷ ୯୫ ହଜାର କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ପରେ ପୁଣି ୨ ଲକ୍ଷ ଓ ଏହାପରେ ବି ଆବଶ୍ୟକତା ପଡ଼ିବାରୁ ପୁଣି ଆଉ ୨ ଲକ୍ଷ ବଢ଼ାଇ ୧୭ ଲକ୍ଷ ୯୫ ହଜାର କୁଇଣ୍ଟାଲକୁ ଟାର୍ଗେଟ ପହଞ୍ଚିଥିଲା। ଯେଉଁଥିରେ ୧୭ ଲକ୍ଷ ୨୩ ହଜାର ୬୬୨ କୁଉଣ୍ଟାଲ ଧାନ କିଣାଯାଇଛି। 

ଏହା ପରେ ମଧ୍ୟ ଆହୁରି ପ୍ରାୟ ୪ ହଜାର ଚାଷୀ ଧାନି ବିକ୍ରି କରିନଥିବା ତଥ୍ୟ କହୁଛି। ସମୟ ଅବଧି ଅନୁଯାୟୀ ମାର୍ଚ୍ଚ ୩୧ରେ ଧାନ କିଣା ଶେଷ ହୋଇଛି। ମାତ୍ର ଏବେ ବି ଅନେକ ଚାଷୀ ଧାନ ବିକ୍ରି କରିପାରି ନାହାନ୍ତି। ସପ୍ତାହେ ତଳେ ଭୁବନର ବିଭିନ୍ନ ମଣ୍ଡିରେ ଧାନ ଉଠିପାରିନଥିବା ଚାଷୀ ନେତା ଅଭିଯୋଗ କରିଥିଲେ। ଧାନ କିଣା ଶେଷ ବେଳକୁ ମଣ୍ଡି ବଦଳରେ ଚାଷୀ ମିଲ୍‌ ଆଗରେ ଧାନ ଗାଡ଼ି ଧରି ଧାଡ଼ି ଲଗାଇବା ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ, ନକଲି ଚାଷୀଙ୍କ ନାମରେ ପଡ଼ୋଶୀ ଜିଲ୍ଲାର ଧାନ ମଧ୍ୟ ବିକ୍ରି ହୋଇଥିବା ଚାଷୀ ନେତା ବିପ୍ରବର ସାହୁ ଅଭିଯୋଗ କରିଛନ୍ତି। ଏହିପରି କଟନି ଛଟନି, ମନମାନିରେ ଚାଷୀଙ୍କୁ ଶୋଷଣ ଭିତରେ ଧାନ କିଣା ଶେଷ ହୋଇଛି। ଏନେଇ ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁଙ୍କୁ ଯୋଗାଯୋଗ ଉଦ୍ୟମ କରାଯାଇଥିବା ବେଳେ ସମ୍ଭବ ହୋଇପାରିନି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.