ପ୍ରମୂଖ ଖବର
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

ପ୍ରଥମ ଭାରତୀୟ ଅଭିନେତ୍ରୀ; ପୂରା କରିଛନ୍ତି ବିଶ୍ୱର କଠିନ ଚ୍ୟାଲେଞ୍ଜ, ନାଁରେ କରାଇଛନ୍ତି ସ୍ୱତନ୍ତ୍ର ରେକର୍ଡ

Published By : Prameya | April 9, 2025 8:07 PM

ନୂଆଦିଲ୍ଲୀ, ୯।୪: ଜର୍ମାନୀର ଆଇରନମ୍ୟାନ୍ ଟ୍ରାଏଥଲନ୍ ୭୦.୩  । ବିଶ୍ୱର ସବୁଠୁ କଠିନ ଚ୍ୟାଲେଞ୍ଜିଂ ଗେମ୍‌ରୁ ଗୋଟିଏ । ଜର୍ମାନ ରାଜଧାନୀ ବର୍ଲିନରୁ ପ୍ରାୟ ଗୋଟିଏ ମାଇଲ ଦୂରରେ ବ୍ରାଣ୍ଡେନବର୍ଗ ଜଙ୍ଗଲ ସୀମାନ୍ତବର୍ତ୍ତୀ ଏକ ଛୋଟ ସହର ଅନୁଷ୍ଠିତ ହୁଏ ଏର୍କନରରେ ଟ୍ରାଇଥଲନ୍ । ଏହାର ନାଁ ହେଉଛି ଆଇରନମ୍ୟାନ୍ ୭୦.୩ ଏର୍କନର୍ । ଯାହାକୁ ପୂରା କରିଛନ୍ତି ଜଣେ ଭାରତୀୟ । ଏହି ଟାସ୍କ ପୂରଣ କରିବାରେ ସେ ହେଉଛନ୍ତି ଏକମାତ୍ର ଭାରତୀୟ ଅଭିନେତ୍ରୀ । ବର୍ଲିନରେ ଦେଖାଇଛନ୍ତି ନିଜ ପ୍ରତିଭା । ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ସୈୟାମି ଖେର । ନିଜ ନାଁରେ ଏହି ରେକର୍ଡ କରିବାକୁ ତାଙ୍କୁ କମ୍ ପରିଶ୍ରମ କରିବାକୁ ପଡ଼ିନଥିଲା । ସୈୟାମୀ ଫିଲ୍ମ ସୁଟିଂରୁ ସମୟ ବାହାର କରି ଏହି ସ୍ୱପ୍ନକୁ ପୂରଣ କରିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ । ଶେଷରେ ତାଙ୍କୁ ତାଙ୍କ କଠିନ ପରିଶ୍ରମର ଫଳ ମିଳିଲା ଏବଂ ସେ ଏହି ସ୍ଥାନ ହାସଲ କଲେ । ଏଥିପାଇଁ ସେ ୮ ଘଣ୍ଟାରେ ୯୦ କିମି ସାଇକେଲିଂ କରି, ୨୧ କିମି ଦୌଡ଼ି, ୧.୯ କିମି ସୁଇମିଂ କରି ଏହି ଚ୍ୟାଲେଞ୍ଜ ପୂରା କରିଥିଲେ । ଏସବୁକୁ ମିଶାଇଲେ, ତାଙ୍କୁ ଅତିକ୍ରମ କରିବାକୁ ପଡ଼ିଥଲା ୧୧୩ କିମିର ଦୂରତା । 

ସୈୟାମି ଖେର ଅନେକ ଭାରତୀୟ ଚଳଚ୍ଚିତ୍ରରେ ଚମତ୍କାର ଅଭିନୟ କରିଛନ୍ତି । ବଡ଼ ପରଦାରେ ଚ୍ୟାଲେଞ୍ଜପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ସୈୟାମି ୨୦୧୫ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ମିର୍ଜୈୟା' ସହିତ ହିନ୍ଦୀ ଚଳଚ୍ଚିତ୍ରରେ ତାଙ୍କର କ୍ୟାରିଅର୍ ଆରମ୍ଭ କରିଥିଲେ । ସୈୟାମି 'ଅଗ୍ନି'ରେ ଜଣେ ଅଗ୍ନିଶମ ବାହିନୀ ସଦସ୍ୟ ଭୂମିକାରେ ଅଭିନୟ କରୁଥିବାର ଦେଖାଯାଇଥିଲା । ଏଥିରେ ସେ ବିପଦପୂର୍ଣ୍ଣ ଷ୍ଟଣ୍ଟ ମଧ୍ୟ କରିଥିଲେ । 'ଘୁମର'ରେ ଜଣେ ଦିବ୍ୟାଙ୍ଗ ଚରିତ୍ର ଭୂମିକାରେ ସମସ୍ତଙ୍କ ହୃଦୟ ଜିତିଥିଲେ । ଏବେ କିଛି ମାସର ତାଲିମ ପରେ, ସୈୟାମି ବର୍ଲିନରେ ଆଇରନମ୍ୟାନ୍ ଦୌଡ଼ରେ ଅଂଶଗ୍ରହଣ କରିଥିଲେ ଏବଂ ସଫଳତାର ସହ ଆଇରନମ୍ୟାନ୍ ଟ୍ରାଇଥଲନ୍ ୨୦୨୪ ସମାପ୍ତ କରିଥିଲେ । ସୈୟାମି ସିନେମାରେ ଅଭିନୟ କରିବା ସହ ଦୈନିକ ୧୨-୧୪ ଘଣ୍ଟା ଧରି ଟ୍ରେନିଂ ନେଇ ହାସଲ କରିଛନ୍ତି ଆଇରନ୍ ଲେଡି ମାନ୍ୟତା ।

କହିରଖୁ କି, ସୈୟାମିଙ୍କ ପରିବାର ଅଭିନୟ ଓ ମଡେଲିଂ ସହ ଜଡ଼ିତ । କ୍ରିକେଟ ଓ ମାରାଥନରେ ସୈୟାମି ଖୁବ୍ ଆକ୍ଟିଭ । ତେବେ ଅଭିନୟରେ କ୍ୟାରିୟର ଗଢ଼ିବାକୁ ନିଷ୍ପତ୍ତି ନେବା ଏତେ ସହଜ ନଥିଲା । ୨-୩ ବର୍ଷ ଯାଏ ଅଡିସନ୍‌ରେ ତାଙ୍କୁ କେବଳ ରିଜେକ୍ସନ ମିଳିଥିଲା । ଅଭିନେତ୍ରୀ ତାଙ୍କ ଫିଲ୍ମ ଘୁମର ସ୍କ୍ରିନିଂ ପାଇଁ କାନାଡ଼ାରେ ଥିଲେ । ସେଠାରୁ ସେ ସିଧାସଳଖ ଦୌଡ଼ ପାଇଁ ଜର୍ମାନୀରେ ପହଞ୍ଚିଥିଲେ । ଏହି ଦୌଡ଼ ସମାପ୍ତ କରିବା ପରେ, ସୈୟାମି ଏକ ସାକ୍ଷାତକାରରେ କହିଥିଲେ, "ଆଇରନମ୍ୟାନ୍ ୭୦.୩ର ଶେଷ ରେଖା ଅତିକ୍ରମ କରିବା ଏବଂ ସେହି ପଦକ ପାଇବା ମୋ ଜୀବନର ସବୁଠାରୁ ଗର୍ବର ମୁହୂର୍ତ୍ତ ମଧ୍ୟରୁ ଗୋଟିଏ । ମୁଁ ବହୁତ ଖୁସି ଯେ ମୁଁ ଶେଷରେ ଏହା ସମ୍ଭବ କରି ଦେଖାଇଲି । ଜଣେ ଆଇରନମ୍ୟାନ୍ ପାଇଁ ୧୨ ରୁ ୧୪ ଘଣ୍ଟା ପାଇଁ ସୁଟିଂ କରିବା କଷ୍ଟକର ଥିଲା । ମୁଁ ଏହାକୁ ସମାପ୍ତ କଲି । ମୁଁ ଏହି ମୁହୂର୍ତ୍ତକୁ ସବୁଦିନ ପାଇଁ ମନେ ରଖିବି ।" ସୈୟାମୀଙ୍କ ବ୍ୟତୀତ, ଆଇରନମ୍ୟାନ୍ ଟ୍ରାଏଥଲନ୍‌ ରେ ଅଂଶଗ୍ରହଣ କରିଥିବା ଏକମାତ୍ର ବଲିଉଡ୍ ସେଲିବ୍ରିଟି ହେଉଛନ୍ତି ମିଲିନ୍ଦ ସୋମନ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.