ମୁମ୍ବାଇ ୧୦/୦୪: ତମନ୍ନା ଭାଟିଆଙ୍କର କିଛି ଲିକ୍‌ ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ଏଥିରେ ଏକ ଗୀତରେ ତମନ୍ନାଙ୍କୁ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି ।  ଗତ ମଙ୍ଗଳବାର ଅଜୟ ଦେବଗନଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ରେଡ୍‌-୨’ର ଟ୍ରେଲର୍‌ ରିଲିଜ୍‌  ହୋଇଛି । ଏଥିରେ ତମନ୍ନାଙ୍କ ଝଲକ୍‌ ଦେଖିବା ପରେ ତାଙ୍କର ଫଟୋ ଓ ଭିଡିଓ ଖବରର  ଶିରୋନାମା ହୋଇଛି । ‘ରେଡ୍‌-୨’ରେ ତମନ୍ନା ଏକ ଗୀତରେ ନୃତ୍ୟ ପ୍ରଦର୍ଶନ କରିଛନ୍ତି । ଫ୍ୟାନ୍‌ ଟ୍ରେଲର୍‌ରେ ଏହାର ଝଲକ୍‌ ପାଇଛନ୍ତି । ତାଙ୍କ ଗୀତ ସୁଟିଂ ବେଳର ଲିକ୍‌ ଭିଡିଓରେ ତମନ୍ନା ଧଳା ଓ ଗୋଲ୍ଡେନ୍‌ ପୋଷାକ ପିନ୍ଧିଛନ୍ତି । ସେ କ୍ୟାମେରାକୁ ପୋଜ୍‌ ଦେଉଥିବାବେଳେ ପଛରେ ନୃତ୍ୟଶିଳ୍ପୀମାନେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି । କେବଳ ଝଲକ୍‌ ନୁହେଁ, ପରଦାରେ  ତମନ୍ନାଙ୍କୁ ଅଧିକ ଦେଖିବା ପାଇଁ ଫ୍ୟାନ୍‌ ଖୁବ୍‌ ଉତ୍ସାହିତ ଅଛନ୍ତି ।

ଫିଲ୍ମରେ ତମନ୍ନାଙ୍କ ସ୍ପେଶାଲ ଡାନ୍ସ ନମ୍ବର ନୂଆ ନୁହେଁ । ଅଭିନୟ ସହିତ ସେ ଅନେକ ସାଉଥ୍‌ ଗୀତରେ ନଜର ଆସିଛନ୍ତି । ନିକଟରେ ତାଙ୍କର ‘କବାଲା’ ଏବଂ ବଲିଉଡ୍‌ ଫିଲ୍ମ ‘ସ୍ତ୍ରୀ-୨’ର ‘ଆଜ୍‌ କି ରାତ୍‌’ ଗୀତ  ଚାର୍ଟବଷ୍ଟର୍‌ ହୋଇଥିଲା । ତାଙ୍କ ଅପ୍‌କମିଙ୍ଗ ଫିଲ୍ମରେ ଅଛି ତେଲୁଗୁ ଫିଲ୍ମ ‘ଓଡେଲା-୨’ ।  ‘ରେଡ୍‌-୨’ ଆସନ୍ତା ମେ’ ୧ ତାରିଖରେ ମୁକ୍ତିଲାଭ କରିବ । ଏଥିରେ ଅଜୟ ଦେବଗନଙ୍କ  ସହ ରିତେଶ ଦେଶମୁଖ ଓ ବାନି କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।