ଭୁବନେଶ୍ୱର,୧୧/୦୨: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଚାଞ୍ଚଲ୍ୟ । ଯାତ୍ରା ଦେଖି ଯାଇଥିବା ବେଳେ ଜଣେ ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ । ଏହି ମାମଲାରେ ୪ଜଣଙ୍କୁ ଅଟକ ରଖିଛି ପୁଲିସ୍ । ମଙ୍ଗଳବାର ଉଭୟ ପୀଡି଼ତା ଏବଂ ଅଭିଯୁକ୍ତମାନଙ୍କର ଡାକ୍ତରୀ ପରୀକ୍ଷା କରାଯିବ । ତା ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଆଇଆଇସି ସୁଜ୍ଞାନୀ ସାହୁ ।
ପୁଲିସ୍ ସୂଚନା ଅନୁଯାୟୀ, ଗତ ଶନିବାର ରାତିରେ ଓଡି଼ଆପେଣ୍ଠ ପଞ୍ଚାୟତର ବିରିଗୁଡ଼ା କଲୋନିରେ ହେଉଥିଲା ବୁଢୀ ଠାକୁରାଣୀ ଯାତ୍ରା । ଏହା ଦେଖିବା ଲାଗି ପର୍ଡି଼ଗୁଡ଼ା ଅଞ୍ଚଳର ନାବାଳିକା ଜଣଙ୍କ ଗାଁର ଅନ୍ୟ କେତେକଙ୍କ ସହ ସେଠାକୁ ଯାଇଥିଲା । ବିଳମ୍ବିତ ରାତିରେ ଜଣେ ବନ୍ଧୁ ସହ କିଛି ଦୂରରେ କଥା ହେଉଥିବା ବେଳେ ସେଠାରେ ପହଞ୍ଚିଥିଲେ ୪ ଜଣ ଯୁବକ । ପ୍ରଥମେ ତାଙ୍କ ବନ୍ଧୁଙ୍କୁ ଠେଲାପେଲା କରିବା ସହ ମାଡ଼ ମାରିଥିଲେ । ପରେ ନାବାଳିକାକୁ ପାଖରେ ଥିବା ଏକ ପାହାଡ଼ ଉପରକୁ ଟେକି ନେଇଥିଲେ । ସେଠାରେ ତାକୁ ଗଣ ବଳାତ୍କାର କରିଥିଲେ । ଭୋର୍ ହେବା ଆଗରୁ ନାବାଳିକାକୁ ଛାଡ଼ି ଚମ୍ପଟ ମାରିଥିଲେ । ଏ ସଂପର୍କରେ ପୀଡ଼ିତା ଜଣକ ଥାନାରେ ଏତଲା ଦେବା ପରେ ପୁଲିସ୍ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛି।
ଏସ୍ପିଙ୍କ ନିର୍ଦ୍ଦେଶରେ ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତ ୪ ଜଣଙ୍କୁ ଧରିବାରେ ସଫଳ ହୋଇଛି । ସେମାନଙ୍କୁ ଥାନାରେ ଅଟକ ରଖାଯାଇ ବିଭିନ୍ନ ଦିଗରୁ ପଚରାଉଚରା କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ନାବାଳିକା ଜଣକ ଅଷ୍ଟମ ଶ୍ରେଣୀର ଛାତ୍ରୀ । ଅଟକ ଅଭିଯୁକ୍ତମାନେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଟିକିରି ଥାନା ତୁଳସୀଛପର ଅଞ୍ଚଳର । ଏତଲା ଅନୁଯାୟୀ ସମସ୍ତ ୪ ଜଣଙ୍କୁ ଧରିଛି ପୁଲିସ୍ । ମଙ୍ଗଳବାର ମାମଲା ସଂପର୍କରେ ସବିଶେଷ ସୂଚନା ଦିଆଯିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି ।