ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଜଳଭଣ୍ଡାରରେ ଭାସମାନ ପ୍ରକଳ୍ପ, ଉତ୍ପାଦିତ ବିଜୁଳି କିଣିବ ଗ୍ରୀଡ୍‌କୋ

Published By : prameya | February 6, 2025 1:09 PM

ଭୁବନେଶ୍ବର,୦୬/୦୨:   ଅତ୍ୟାଧୁନିକ ପଦ୍ଧତିରେ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ରାଜ୍ୟର ବିଭିନ୍ନ ଜଳଭଣ୍ଡାରରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ଭାସମାନ ସୌର ଫଟୋଭୋଲଟେକ୍‌ ବ୍ୟବସ୍ଥା । ଏଥିପାଇଁ ମାର୍ଗଦର୍ଶିକା ଆଣିଛି ଶକ୍ତି ବିଭାଗ । ବିଭିନ୍ନ ଜଳଭଣ୍ଡାରରେ ଏଭଳି ପ୍ରକଳ୍ପ ବସାଇବାକୁ ବିଭିନ୍ନ ସଂସ୍ଥା ରାଜ୍ୟ ସରକାରଙ୍କୁ ଆବେଦନ କରିଛନ୍ତି । ରାଜ୍ୟରେ ବିଦ୍ୟୁତ ଶକ୍ତିର ଚାହିଦା ବଢ଼ି ଚାଲିଛି । ପାରମ୍ପରିକ ଉତ୍ସକୁ ଛାଡ଼ି ବିକଳ୍ପ ଅଣପାରମ୍ପରିକ ବିଦ୍ୟୁତ ଉତ୍ସ ପାଇଁ ସରକାର ମେଗା ଯୋଜନା କରିଛନ୍ତି । ରାଜ୍ୟ ଅକ୍ଷୟ ଶକ୍ତି ନୀତି-୨୦୨୨ରେ ୨୦୩୦ ସୁଦ୍ଧା ରାଜ୍ୟରେ ୧୦ ଗିଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିରେ ସିଂହଭାଗ ବିଜୁଳି ଆସିବ ଭାସମାନ ସୌର ଶକ୍ତି ପ୍ରକଳ୍ପରୁ । ବର୍ଷକୁ ପ୍ରାୟ ୩ ଶହ ଦିନ ରାଜ୍ୟରେ ପାଗ ଖରାଟିଆ ରହୁଛି । ତେଣୁ ସୂର୍ଯ୍ୟ କିରଣରୁ ବିଦ୍ୟୁତ ଶକ୍ତି ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଅଛି । ମାତ୍ର ସ୍ଥଳଭାଗରେ ବିସ୍ତୀର୍ଣ୍ଣ ସୌର ଶକ୍ତି ପ୍ରକଳ୍ପ ପାଇଁ ଜମି ବାଧକ ହେଉଥିବାରୁ ଭାସମାନ ସୌର ବିଦ୍ୟୁତ ପ୍ରକଳ୍ପ ବିକଳ୍ପ ଭାବେ ଉଭା ହୋଇଛି ।

୫ ହଜାର ମେଗାୱାଟ୍‌ ଭାସମାନ ସୌର ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଏକ ପ୍ରି-ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଗ୍ରୀଡ୍‌କୋ ନୋଡାଲ୍‌ ଏଜେନ୍ସି ଭାବେ ଜଳ ସମ୍ପଦ ବିଭାଗ ସହ ମିଶି ପ୍ରକଳ୍ପକୁ ଆଗେଇନେବ । ବିଭିନ୍ନ ଦିଗକୁ ଲକ୍ଷ୍ୟ କରି ପ୍ରକଳ୍ପ ପାଇଁ ଜଳଭଣ୍ଡାର ଚିହ୍ନଟ କରାଯିବ । ଏଥିପାଇଁ ଜଳ ସମ୍ପଦ ବିଭାଗରୁ ପ୍ରଶାସନିକ ଅନୁମତି ନେବାକୁ ହେବ । ଜଳଭଣ୍ଡାରରେ ଭାସମାନ ସୌର ପ୍ରକଳ୍ପ ପାଇଁ ଗ୍ରୀଡ୍‌କୋ ଟେଣ୍ଡର ଡାକିବ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ୍ତ ସଂସ୍ଥା ସହ ଘରୋଇ ସଂସ୍ଥା ବି ଏଥିପାଇଁ ଆବେଦନ କରିପାରିବେ । ଟେଣ୍ଡରଧାରୀ ସଂସ୍ଥା ପ୍ରକଳ୍ପ ଖର୍ଚ୍ଚ ବହନ କରିବା ସହ ଏହାର ରକ୍ଷଣାବେକ୍ଷଣ କରିବ । ଉତ୍ପାଦିତ ବିଦ୍ୟୁତ ଶକ୍ତିକୁ ବିକିବ । ଗ୍ରୀଡ୍‌କୋ ଏହି ବିଜୁଳିକୁ କିଣିବ । ଯଦି ଗ୍ରୀଡ୍‌କୋ ବିଦ୍ୟୁତ ନ କିଣିବ, ତେବେ ସଂପୃକ୍ତ ସଂସ୍ଥା ଏହାକୁ ରାଜ୍ୟ ଭିତରେ କିମ୍ବା ବାହାରେ ବିକିପାରିବ । ଏହାସହ ନିଜର ବ୍ୟାବସାୟିକ କାରବାର ପାଇଁ ମଧ୍ୟ ବ୍ୟବହାର କରିପାରିବ । ଶକ୍ତି ବିଭାଗ ଅଧିକାରୀଙ୍କ କହିବାନୁସାରେ, ଏହି ପ୍ରକଳ୍ପ ପାଇଁ ଜମି ଅଭାବ ଭଳି ସମସ୍ୟା ରହିବନି । ବଡ଼ କଥା ହେଲା- ଏହା ପରିବେଶ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇବ ନାହିଁ । 

ପ୍ରକଳ୍ପ ପାଇଁ କ୍ଷୁଦ୍ର, ମଧ୍ୟମ ଓ ବୃହତ ଜଳଭଣ୍ଡାର କିମ୍ବା ଶିଳ୍ପାଞ୍ଚଳର ଜଳାଶୟକୁ ନିଆଯାଇପାରିବ । ଲୁଣା ଜଳ, ମରୁଡ଼ି ପ୍ରବଣ କିମ୍ବା ଶୁଖି ଯାଉଥିବା ଜଳାଶୟକୁ ପ୍ରକଳ୍ପ ପାଇଁ ନିଆଯାଇପାରିବ ନାହିଁ । ଯେଉଁ ସ୍ଥାନ ଚିହ୍ନଟ ହେବ, ସେଠାକୁ ସଡ଼କ ଯୋଗାଯୋଗ ରହିଥିବ । ପ୍ରକଳ୍ପ ଯେଉଁଠି ବସିବ, ତାହା ଅଧିକ ପବନ କିମ୍ବା ବାତ୍ୟା ପ୍ରବଣ ସ୍ଥାନ ହୋଇନଥିବ । ପ୍ରକଳ୍ପ ସ୍ଥାନ ଚିହ୍ନଟ ଦିଗରେ ଜଳ ସମ୍ପଦ ବିଭାଗର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିବ । ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ଜଳଭଣ୍ଡାର କମିଟି କାର୍ଯ୍ୟ କରିବ । ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ରାଜ୍ୟସ୍ତରୀୟ କମିଟିର ଅଧ୍ୟକ୍ଷ ଥିବାବେଳେ ଜିଲ୍ଲାପାଳ ଜିଲ୍ଲାସ୍ତରୀୟ କମିଟିର ମୁଖ୍ୟ ନିଯୁକ୍ତ ହୋଇଛନ୍ତି । ପ୍ରକଳ୍ପ ଚିହ୍ନଟ ପାଇଁ ଜିଆଇଏସ୍‌ ମ୍ୟାପ୍‌ ପ୍ରସ୍ତୁତ କରାଯିବ । ଏହାକୁ ଅନୁଧ୍ୟାନ କରି ଗ୍ରୀଡ୍‌କୋ ପ୍ରକଳ୍ପ ପାଇଁ ସ୍ଥାନ ପ୍ରସ୍ତାବ ଦେବ । ଜଳଭଣ୍ଡାର କମିଟି ଏହାକୁ ଅନୁଧ୍ୟାନ କରି ଜଳ ସମ୍ପଦ ବିଭାଗକୁ ରିପୋର୍ଟ ଦେବେ । ଜଳ ସମ୍ପଦ ବିଭାଗ ଏନଓସି ଦେଲେ ପ୍ରକଳ୍ପ ଆଗେଇବ । ତା’ପରେ ଗ୍ରୀଡ୍‌କୋ ଟେଣ୍ଡର ଡାକିବ । ଟେଣ୍ଡରଧାରୀ ସଂସ୍ଥା ପ୍ରଥମେ ପ୍ରକଳ୍ପ ପାଇଁ ଡିପିଆର୍‌ ପ୍ରସ୍ତୁତ କରି ଦାଖଲ କରିବ । ଟେଣ୍ଡରଧାରୀ ସଂସ୍ଥାକୁ ୩୦ ବର୍ଷ ପାଇଁ ଲିଜ୍‌ ମିଳିବ । ଶିଳ୍ପ ନୀତିରେ ପ୍ରକଳ୍ପ ପାଇଁ ପ୍ରୋତ୍ସାହନ ବ୍ୟବସ୍ଥା ବି ରହିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.