ନୂଆଦିଲ୍ଲୀ: ଇସ୍ରାଏଲ ଶୁକ୍ରବାର ଦିନ ଲେବାନନର ରାଜଧାନୀ ବେରୁଟ ଉପରେ ଏକ ବଡ଼ ଧରଣର ଆକ୍ରମଣ ଆରମ୍ଭ କରିଛି। ଏହା ନଭେମ୍ବର ମାସରେ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ପରେ ପ୍ରଥମ ବଡ଼ ଆକ୍ରମଣ ଭାବେ ପରିଗଣିତ ହେଉଛି। ଇସ୍ରାଏଲ ସେନା କହିଛି ଯେ ଏହି ଆକ୍ରମଣ ବେରୁଟର ଦକ୍ଷିଣ ଉପକଣ୍ଠରେ ଥିବା ଏକ ଡ୍ରୋନ ସଂଗ୍ରହାଳୟକୁ ଟାର୍ଗେଟ କରାଯାଇଛି। ଯାହା ଇରାନ ସମର୍ଥିତ ହିଜବୁଲ୍ଲା ସଂଗଠନର ଅଧୀନରେ ରହିଛି।
ଇସ୍ରାଏଲି ସେନାର ଏହି ଆକ୍ରମଣ ଏତେ ଭୟଙ୍କର ଥିଲା ବେରୁଟ ସହରରେ କମ୍ପନ ସୃଷ୍ଟି ହେବା ସହ ଏବଂ ଆକାଶରେ ଘନ କଳା ଧୂଆଁର ପରସ୍ତ ଛାଇ ଯାଇଥିଲା। ଆକ୍ରମଣ ପୂର୍ବରୁ ଇସ୍ରାଏଲ ସେନା ସ୍ଥାନୀୟ ଅଞ୍ଚଳରୁ ନାଗରିକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା ଏବଂ ତିନୋଟି ଛୋଟ ଡ୍ରୋନ ଆକ୍ରମଣ ମାଧ୍ୟମରେ ଚେତାବନୀ ମଧ୍ୟ ଦେଇଥିଲା। ଏହା ପରେ ସେନା ପକ୍ଷରୁ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ ହୋଇଯାଇଥିଲା।
ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟଭୀତ ହୋଇ ଇତସ୍ତତ ଭାବେ ଦଉଡୁଥିବା ଦେଖାଯାଇଥିଲା। ଏହି ଘଟଣା ପରେ ଲେବାନନ ସରକାର ସେହି ଅଞ୍ଚଳର ସମସ୍ତ ସ୍କୁଲ ଓ ବିଶ୍ୱବିଦ୍ୟାଳୟକୁ ଦିନେ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବେରୁଟର ଦକ୍ଷିଣ ଉପକଣ୍ଠ, ଯାହା ଦାହିୟେ ନାମରେ ପରିଚିତ, ହିଜବୁଲ୍ଲାର ଗଡ଼ ଭାବେ ଜଣାଶୁଣା। ଗତ ବର୍ଷ ଯୁଦ୍ଧ ସମୟରେ ଏହି ଅଞ୍ଚଳରେ ଇସ୍ରାଏଲ ପ୍ରବଳ ବୋମା ବର୍ଷଣ କରିଥିଲା। ଯେଉଁଥିରେ ହିଜବୁଲ୍ଲାର ଅନେକ ବରିଷ୍ଠ ନେତାଙ୍କ ସମେତ ସୟେଦ ହସନ ନସରଲ୍ଲାଙ୍କ ମୃତ୍ୟୁ ହୋଇଥିଲା।
ଇସ୍ରାଏଲୀ ସେନାର ମୁଖପାତ୍ର ଅଭିଚୟ ଆଦ୍ରାଏ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି, "ହିଜବୁଲ୍ଲା ଏଯାଏଁ ଶିକ୍ଷା ଗ୍ରହଣ କରିନାହିଁ ଏବଂ ସଠିକ୍ ଶିକ୍ଷା ପାଇନାହିଁ ବୋଲି ଜଣାପଡ଼ୁଛି।" ଏହା ପୂର୍ବରୁ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାତ୍ଜ କହିଥିଲେ, "ଯଦି କିର୍ୟାତ ଶ୍ମୋନା ଓ ଗାଲିଲୀ ଅଞ୍ଚଳରେ ଶାନ୍ତି ନଥିବ, ତେବେ ବେରୁଟରେ ମଧ୍ୟ ଶାନ୍ତି ରହିବ ନାହିଁ।"
ଲେବାନନର ରାଷ୍ଟ୍ରପତି ଜୋସେଫ ଆଉନ ଏହି ଆକ୍ରମଣକୁ ଯୁଦ୍ଧବିରତି ଚୁକ୍ତିର ଉଲ୍ଲଂଘନ ବୋଲି କହିଛନ୍ତି। ଏହି ଘଟଣା ଦୁଇ ପକ୍ଷ ମଧ୍ୟରେ ଥିବା ଶାନ୍ତିକୁ ଆହୁରି ବିପନ୍ନ କରିପାରେ ବୋଲି ଆଶଙ୍କା କରାଯାଉଛି।