ନୂଆଦିଲ୍ଲୀ, ୧୨/୦୨: ସାଲାଡ ଖାଇବା ଆମ ସମସ୍ତଙ୍କ ସ୍ୱାସ୍ଥ୍ୟ ପ୍ରତି ବହୁ ଲାଭଦାୟକ । ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ବିଶେଷ କରି ଖରା ଦିନେ ସାଲାଡ ଖାଇବାକୁ ପରାମର୍ଶ ଦେଇଥାନ୍ତି । ରାତିରେ ଭୋଜନ ପୂର୍ବରୁ ସାଲାଡ ଖାଇବା ବେଶ୍ ଲାଭଦାୟକ ବୋଲି ଆମେ ସମସ୍ତେ ଜାଣିଛେ । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ମଧ୍ୟ ସମାନ ମତାମତ ରହିଛି । ଋତୁ ଅନୁଯାୟୀ ସାଲାଡରେ ପନିପରିବା ମିଶ୍ରଣ କରିବା ଉଚିତ । ଯଦି ଆପଣ ଶୀତ ଦିନେ ସାଲାଡ ଖାଉଛନ୍ତି, ତେବେ ସେଥିରେ ବିଟ୍ ରୁଟ୍, ଗାଜର ଏବଂ ଶୀତ ଦିନିଆ ଫଳ ଏବଂ ପନିପରିବା ମିଳାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର । ସେହିପରି ଖରା ଦିନେ କାକୁଡ଼ି, ଟମାଟୋ ଭଳି ପନିପରିବାର ସମିଶ୍ରଣରେ ପ୍ରସ୍ତୁତ ସାଲାଡ୍ ଖାଇବା ଉଚିତ୍ । ହେଲେ କ'ଣ ଆପଣ ଜାଣିଛନ୍ତି କି, ସାଲାଡରେ କେଉଁ ଖାଦ୍ୟ ପଦାର୍ଥ ମିଶାଇ ଖାଇବା ଉଚିତ୍ ନୁହେଁ । ତେବେ ଆସନ୍ତୁ ଜାଣିବା ସାଲାଡ ଖାଇବା ବେଳେ କେଉଁ ସବୁ ଜିନିଷ ପ୍ରତି ଜତ୍ନବାନ ହେବା ଉଚିତ ।
ଲେମ୍ୱୁ-
ଆପଣ ଦେଖିଥିବେ, ସାଲାଡ୍ ପ୍ରସ୍ତୁତ କରିବା ବେଳେ ଅନେକ ଲୋକ ଲେମ୍ୱୁ ବ୍ୟବହାର କରିଥାନ୍ତି । ଆମେ ଆପଣଙ୍କୁ କହି ରଖୁଛୁ ଯେ, ସାଲାଡ୍ରେ ଲେମ୍ୱୁ ମିଶାଇବା ଅନୁଚିତ୍ । ଏହା ସାଲାଡ୍କୁ ସ୍ୱାଦିଷ୍ଟ କରିଥାଏ ସତ କିନ୍ତୁ ଏପରି କରିବା ଦ୍ୱାରା ସ୍ୱାସ୍ଥ୍ୟକୁ କୌଣସି ସୁଲାଭ ମିଳି ନଥାଏ । ଲେମ୍ୱୁରେ ଭିଟାମିନ୍ ସି ଭରପୁର ହୋଇ ରହିଥିବା କାରଣରୁ ଏହାକୁ ଆଣ୍ଟିଅକ୍ସିଡେଣ୍ଟ ବୋଲି ବିବେଚନା କରାଯାଏ । ହେଲେ କାକୁଡ଼ି ଏବଂ ଟମାଟୋ ସହ କଦାପି ଲେମ୍ୱ ମିଶାଇ ଖାଇବା ଉଚିତ୍ ନୁହେଁ । ଏହା ସ୍ୱାସ୍ଥ୍ୟପ୍ରତି ହାନିକାରକ ସାବ୍ୟସ୍ତ ହୋଇପାରେ । ତେଣୁ ସାଲାଡରେ ଲେମ୍ୱୁ ମିଶାଇ ଗ୍ରହଣ କରିବା ଅନୁଚିତ୍ ।
ଲୁଣ-
ଏହା ବ୍ୟତୀତ ସାଲାଡରେ ଲୁଣ ମଧ୍ୟ ମିଶାଇବା ଉଚିତ୍ ନୁହେଁ । ଲୁଣରେ ସୋଡିୟମ୍ ରହିଥାଏ । ଏହା ଶରୀର ପାଇଁ ଆଦୌ ଭଲ ନୁହେଁ । କାରଣ ଶରୀରରେ ସୋଡିୟମ୍ର ପରିମାଣ ଅଧିକ ଥିଲେ, ରକ୍ତଚାପର ଆଶଙ୍କା ବଢ଼ିପାରେ । ଏହା ବ୍ୟତୀତ ଡାକ୍ତରମାନେ ଖାଦ୍ୟରେ ଲୁଣ ମିଶାଇବାକୁ ମଧ୍ୟ ବାରଣ କରନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଏହା ହାଡ଼କୁ ମଧ୍ୟ ଦୁର୍ବଳ କରିପାରେ । ଶରୀରରେ ଯେତେ ଅଧିକ ସୋଡିୟମ୍ ଥାଏ, ହୃଦରୋଗର ଆଶଙ୍କା ମଧ୍ୟ ସେତେ ଅଧିକ ଥାଏ । ତେଣୁ, ସାଲାଡରେ ଲୁଣ ଏବଂ ଲେମ୍ବୁ ମିଶାଯିବା ଉଚିତ୍ ନୁହେଁ । ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ବିପଦପୂର୍ଣ୍ଣ ହୋଇପାରେ।