ଭୁବନେଶ୍ୱର,୧୬/୦୪: ମା’ କୋପ କରିଛନ୍ତି । ତେଣୁ ଝାଡ଼ାବାନ୍ତି ବ୍ୟାପୁଛି । ଧୀରେ ଧୀରେ ଏହା ସମଗ୍ର ଅଂଚଳକୁ ଗ୍ରାସିବ । ଝାଡ଼ାବାନ୍ତିରୁ ବର୍ତ୍ତିବାକୁ ମାଙ୍କୁ ସନ୍ତୁଷ୍ଟ କରିବାକୁ ପଡ଼ିବ । ତେଣୁ ରାତି ସାରା ମଙ୍ଗଳା ପୂଜା ସାଙ୍ଗକୁ କ୍ଷୀରି ପଣା ବଢ଼ା ହେବ । ଏହା କୌଣସି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳର କଥା ନୁହେଁ । ଖୋଦ ରାଜଧାନୀରେ ଝାଡ଼ାବାନ୍ତିକୁ ନେଇ ଏପରି ଅନ୍ଧବିଶ୍ୱାସ ପାଳିଛନ୍ତି ଚନ୍ଦ୍ରଶେଖରପୁର ୧୩ ନମ୍ବର ୱାର୍ଡ ନୀଳମାଧବ ନିବାସର ଅଧିବାସୀମାନେ । ଏଠାକାର ପ୍ରାୟ ୧୭୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ପ୍ରତି ପରିବାରରୁ ୨/୩ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଗୁରୁତର ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ୍ ସମେତ ଅନ୍ୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲାବେଳେ ଅନ୍ୟ ଅଧିବାସୀ ମଙ୍ଗଳା ପୂଜାକୁ ରୋଗମୁକ୍ତିର ବାଟ ଭାବେ ବାଛିନେଇଛନ୍ତି ।
ସରକାରୀ ତଥ୍ୟ ଅନୁସାରେ ନୀଳମାଧବ ନିବାସରେ ୧୨୬ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ପ୍ରକୃତ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ରୁ ଅଧିକ ବୋଲି କୁହାଯାଉଛି । ସ୍ୱାସ୍ଥ୍ୟ ବିଭାଗର ୩ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଅର୍ବାନ୍ ମେଟ୍ରୋପଲିଟାନ ସର୍ଭିଲାନ୍ସ ୟୁନିଟ୍, ମାଇକ୍ରୋବାୟୋଲୋଜିଷ୍ଟ, ଖାଦ୍ୟ ସୁରକ୍ଷା ବିଶେଷଜ୍ଞ ଓ ଏପିଡେମିଓଲୋଜିଷ୍ଟ ଘରକୁ ଘର ବୁଲି ଯାଞ୍ଚ କରୁଛନ୍ତି । ଆକ୍ରାନ୍ତଙ୍କୁ ଔଷଧ ଓ ଓଆରଏସ୍ ବିତରଣ କରାଯାଇଛି । ସେଠାରେ ଡାକ୍ତରୀ ଟିମ୍ ମଧ୍ୟ ଉପସ୍ଥିତ ଅଛନ୍ତି । ମାତ୍ର ନୀଳମାଧବ ଆବାସର ଅଧିବାସୀମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଝାଡ଼ାବାନ୍ତିରୁ ବର୍ତ୍ତିବା ପାଇଁ ମଙ୍ଗଳବାର ରାତିରୁ ମଙ୍ଗଳା ପୂଜା ଆରମ୍ଭ କରିଛନ୍ତି । ଦଳ ଦଳ ହୋଇ ମଙ୍ଗଳାଙ୍କୁ ପୂଜା କରିବା ସହିତ କ୍ଷୀରି ପଣା ଭୋଗ ଲାଗାଇଛନ୍ତି ।
ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେଠାକାର ଲୋକେ ପିଉଥିବା ପାଣି ନମୁନା ଆଣି ପରୀକ୍ଷା କରାଯାଇଛି । ସେଠାରେ ଥିବା ମୁଖ୍ୟ ଟାଙ୍କି ଦୂଷିତ ଥିବା ଜଣାପଡ଼ିବା ପରେ ବିଭାଗ ପକ୍ଷରୁ ଏହାକୁ ବିଶୋଧନ କରାଯାଇଛି । ସ୍ୱାସ୍ଥ୍ୟବିଭାଗର ୨ଟି ଟିମ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି । ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବାକୁ ବିଡିଏ ପକ୍ଷରୁ ହୋଇଥିବା ନୀଳମାଧବ ଆବାସରେ ୨୦ଟି ବ୍ଲକ୍ରେ ପ୍ରାୟ ୫୦୦ରୁ ଊଦ୍ଧ୍ୱର୍ ପରିବାର ରହୁଛନ୍ତି । ସେଠାରେ ବିଡିଏ ପକ୍ଷରୁ ପାଇପ୍ ପାଣି ଯୋଗାଇ ଦିଆଯାଉଛି । ହେଲେ ଜଳ ଯୋଗାଣ ହେଉଥିବା ମୁଖ୍ୟ ଟାଙ୍କିକୁ ଦୀର୍ଘ ଦିନ ଧରି ବିଶୋଧନ କରାଯାଇନଥିବାରୁ ଆଜି ଏଭଳି ବିସ୍ଫୋରକ ସ୍ଥିତ ଉପୁଜିଥିବା ଜଣାପଡ଼ିଛି ।
ଏହି ଖବରଟିକୁ ପଢନ୍ତୁ-କାଳବୈଶାଖୀ ପ୍ରଭାବରେ ୧୯ ଯାଏ ଝଡ଼ ବର୍ଷା, ଭୁବନେଶ୍ୱର ଏବଂ କଟକରେ ପ୍ରବଳ ବର୍ଷିବ