ଭୁବନେଶ୍ୱର,୧୬/୦୪ : କାଳବୈଶାଖୀ ପ୍ରଭାବରେ ଆସନ୍ତା ୧୯ ତାରିଖ ଯାଏ ରାଜ୍ୟରେ ବର୍ଷା ହେବ। ବୁଧବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି, ବାଲେଶ୍ୱର ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ସହିତ ୪୦ରୁ ୫୦କିମି ବେଗରେ ପବନ ହୋଇପାରେ । ୧୭ରୁ ୧୯ ତାରିଖ ଯାଏ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

ଗୁରୁବାର (୧୭ ତାରିଖ)ରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱରର ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଶୁକ୍ରବାର (୧୮ ତାରିଖ) ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ କଳାହାଣ୍ଡିରେ ବର୍ଷା ଓ ଘଡ଼ଘଡ଼ି ସହ ୪୦ରୁ ୫୦କିମି ବେଗରେ ପବନ ବହିପାରେ । ଶନିବାର (୨୦ ତାରିଖ) ବି ଏ ସବୁ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହିତ ଜୋର୍‌ରେ ପବନ ବହିଛି । କଟକରେ ସର୍ବାଧିକ ୭୭.୮ ମିମି ଓ ଦାରିଙ୍ଗିବାଡ଼ିରେ ୩୮ମିମି ବର୍ଷା ହୋଇଛି । ରାଜଧାନୀର ବିଭିନ୍ନ ସ୍ଥାନରେ ବି ପ୍ରବଳ ବର୍ଷିଛି ।

ଏହି ଖବରଟିକୁ ପଢନ୍ତୁ-IMDର ଆକଳନ : ଏଥର ରାଜ୍ୟରେ ହେବ ଭଲ ବର୍ଷା, ଦକ୍ଷିଣ ଓଡ଼ିଶାରେ ବେଶି