ଦାରିଙ୍ଗବାଡ଼ି,୧୩/୨ : ଦାରିଙ୍ଗବାଡ଼ି ଉତ୍କଳ ଗାଁ ସାଥୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଏକ ଦାବିପତ୍ର ଦାରିଙ୍ଗବାଡି ବିଡିଓ ପ୍ରିତି ରଞ୍ଜନ ରଥଙ୍କୁ ପ୍ରଦାନ କରିଛନ୍ତି । ସଂଘର ଦାବି ମୁତାବକ ମନମୁଖୀ ଗାଁ ସାଥି ଚୟନ ବନ୍ଦ କରିବା, ଗାଁ ସାଥିଙ୍କ ସେମିସ୍କିଲ୍ଡ଼ ପ୍ରାପ୍ୟ ସଠିକ୍ ଭାବେ ପ୍ରଦାନ କରିବା, ଗାଁ ସାଥିଙ୍କୁ ପର୍ଯ୍ୟାପ୍ତ ପରିମାଣର କାର୍ଯ୍ୟ ଯୋଗାଇ ଦେବା, ମନରେଗା କାର୍ଯ୍ୟରେ ଠିକାଦାର ପ୍ରଥା ବନ୍ଦ କରିବା ଭଳି ବିଡ଼ିଓଙ୍କ ପାଖରେ ଦାବି ରଖିଥିଲେ ।
ବିଡିଓ ଅଭିଯୋଗପତ୍ର ପାଇବା ପରେ ଗାଁ ସାଥିମାନଙ୍କୁ କିଛି ନିର୍ଦ୍ଦେଶ ଦେଇଥିଲେ । ମନରେଗା କାର୍ଯ୍ୟରେ ଯଦି ଦୁର୍ନୀତି ନେଇ ଅଭିଯୋଗ ଆସେ ତା’ହାଲେ ତଦନ୍ତ କରାଯିବ ଓ ପରବର୍ତ୍ତୀ ସମୟରେ ଯଦି ତଦନ୍ତରୁ ଦୁର୍ନୀତି ହୋଇଥିବା ଜଣା ପଡ଼େ ତାହାଲେ ଗାଁ ସାଥିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ସହ ସଂଘର ସଦସ୍ୟମାନଙ୍କୁ ଦୁର୍ନୀତିରୁ ଦୁରେଇ ରହିବାକୁ କହିଥିଲେ । ସଂଘ ପକ୍ଷରୁ ଦାବିପତ୍ର ଦେବା ସମୟରେ ସଭାପତି କେଶବ ଚନ୍ଦ୍ର ପ୍ରଧାନ, ସମ୍ପାଦକ ପ୍ରଦୀପ ବଳିଆରସିଂଙ୍କ ସମେତ ଅନ୍ୟ ଗାଁ ସାଥିମାନେ ଉପସ୍ଥିତି ଥିଲେ ।