ନୂଆଦିଲ୍ଲୀ: ଦିଲ୍ଲୀର ସରକାରୀ ଅଧିକାରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ବିଧାନସଭା ବାଚସ୍ପତି ବିଜେନ୍ଦର ଗୁପ୍ତା। ଏନେଇ ସେ ମୁଖ୍ୟ ସଚିବ ଧର୍ମେନ୍ଦ୍ରଙ୍କୁ ଚିଠି ଲେଖିଛନ୍ତି। ବାଚସ୍ପତି ମୁଖ୍ୟ ସଚିବଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ, ଦିଲ୍ଲୀର ଅଧିକାରୀ ମାନେ ବିଧାନସଭା ସଦସ୍ୟ (ବିଧାୟକ)ଙ୍କ ଚିଠି, ଫୋନ୍ କଲ୍ କିମ୍ବା ମେସେଜର ଉତ୍ତର ଦିଅନ୍ତି ନାହିଁ। ବାଚସ୍ପତି ମୁଖ୍ୟ ସଚିବଙ୍କୁ କହିଛନ୍ତି କି, ଦିଲ୍ଲୀ ସରକାର, ଦିଲ୍ଲୀ ପୋଲିସ, ଡିଡିଏ ଇତ୍ୟାଦିର ପ୍ରଶାସନିକ ସଚିବ ଏବଂ ବିଭିନ୍ନ ବିଭାଗର ମୁଖ୍ୟମାନଙ୍କୁ ଏ ବିଷୟରେ ସଚେତନ କରନ୍ତୁ।
ବିଜେନ୍ଦ୍ର ଗୁପ୍ତା ବୁଧବାର ମୁଖ୍ୟ ସଚିବ ଧର୍ମେନ୍ଦ୍ରଙ୍କୁ ଲେଖିଥିବା ଏକ ଚିଠିରେ ଅମଲାତନ୍ତ୍ରକୁ ଚେତାବନୀ ଦେଇଛନ୍ତି । ଗୁପ୍ତା ଲେଖିଛନ୍ତି ଯେ,"ଏପରି କିଛି ମାମଲା ମୋ ଦୃଷ୍ଟିକୁ ଆସିଛି ଯେଉଁଠାରେ ମାନ୍ୟବର ସଦସ୍ୟ ମାନଙ୍କ ଦ୍ୱାରା ଚିଠି, ଫୋନ୍ କଲ୍ କିମ୍ବା ମେସେଜ୍ ଆକାରରେ କରାଯାଇଥିବା ଯୋଗାଯୋଗକୁ ସମ୍ପୃକ୍ତ ଅଧିକାରୀ ସ୍ୱୀକାର ମଧ୍ୟ କରିନାହାଁନ୍ତି।" ଚିଠିରେ ଲେଖାଯାଇଛି ଯେ ବିଧାୟକ ମାନଙ୍କ କଥା ନ ଶୁଣିବା ଏକ ଗମ୍ଭୀର ବିଷୟ । ମୁଁ ଭାବୁଛି ଯେ ଏହି ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ, ଦିଲ୍ଲୀ ସରକାରଙ୍କ କାର୍ମିକ ଏବଂ ତାଲିମ ବିଭାଗ, ଭାରତ ସରକାରଙ୍କ ଦ୍ୱାରା ସମୟ ସମୟରେ ଜାରି କରାଯାଇଥିବା ସରକାରୀ ନିର୍ଦ୍ଦେଶ ଗୁଡ଼ିକୁ ପୁନରାବୃତ୍ତି କରିବାର ଜରୁରୀ ଆବଶ୍ୟକତା ରହିଛି।
ତେବେ ଏହି ଘଟଣାରେ ଆପ ନେତା ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସୌରଭ ଭରଦ୍ୱାଜ ବିଜେପି ଉପରେ କଟାକ୍ଷ କରିଛନ୍ତି। ସୌରଭ ଭରଦ୍ୱାଜ କହିଛନ୍ତି ଯେ, ଦଶ ବର୍ଷ ଧରି ଦିଲ୍ଲୀର ଅଧିକାରୀ ମାନଙ୍କୁ ମନ୍ତ୍ରୀ ଏବଂ ବିଧାୟକଙ୍କ କଥା ନ ଶୁଣିବାକୁ ଶିକ୍ଷା ଦିଆଯାଇଥିଲା। ବିଧାୟକ ଏବଂ ମନ୍ତ୍ରୀ ମାନଙ୍କ ଫୋନ୍ ନ ଉଠାଇବା, ଚିଠିର ଉତ୍ତର ନ ଦେବାକୁ ପରାମର୍ଶ ଦିଆଯାଇଥିଲା। ଯେଉଁମାନେ ପ୍ରତ୍ୟେକ ପ୍ରସଙ୍ଗରେ ଆମ ଆଦମୀ ପାର୍ଟିକୁ ପରାମର୍ଶ ଦେଉଥିଲେ, ସେମାନେ ଆଜି ନିଜେ ଚିନ୍ତିତ। ଏବେ ବିଜେପି ସରକାର କ୍ଷମତାକୁ ଆସିବା ପରେ, ଅଧିକାରୀଙ୍କ ସ୍ୱେଚ୍ଛାଚାରିତା ବୁଝାପଡୁଛି। ପୂର୍ବରୁ ଏହି ବିଜେପି ଏହି ଅଧିକାରୀ ମାନଙ୍କୁ ସମର୍ଥନ କରୁଥିଲା। ଏବେ ସେମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ଶିଖାଯାଉଛି। ଆଜି ବିଜେପି ବୁଝିପାରିଛି ଯେ ଗଣତନ୍ତ୍ରକୁ ଦୁର୍ବଳ କରିବା କେବଳ ଦେଶ ଏବଂ ଜନତାର କ୍ଷତି କରେ।