ଯୋଡ଼ା,୨୮ ।୩ :କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ବେହେରା ହଟିଂ ଠାରେ ଥିବା ଏକ ବନ୍ଦ ପରିତ୍ୟକ୍ତ କ୍ରସରରେ ପଡ଼ି ରହିଥିବା ଖଣିଜ ଚୋରା ଚାଲାଣ ବେଳେ ପୁଲିସ ଏକ ଟ୍ରକ ଜବତ କରିଛି। ଗୁରୁବାର ବିଳମ୍ବିତ ରାତ୍ର ସମୟରେ ଉକ୍ତ କ୍ରସରରୁ ଟ୍ରକ୍ରେ ଚୋରା ଖଣିଜ ପରିବହନ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଯୋଡ଼ା ପୁଲିସ ଘଟଣା ସ୍ଥଳରେ ଅତର୍କିତ ଚଢ଼ାଉ କରିଥିଲା । ପୁଲିସକୁ ଦେଖି ସେଠାରେ ଥିବା ଚୋର ମାନେ ଫେରାର ହୋଇ ଯାଇଛନ୍ତି। ତେବେ ଚୋରା ଖଣିଜ ବୋଝେଇ ହୋଇଥିବା ଟ୍ରକ୍ (ଟିଏସ ୩୫ଟି-୩୩୩୯)ର ଡ୍ରାଇଭର ସେଠାରୁ ଦ୍ରୁତ ଗତିରେ ଟ୍ରକ୍ ନେଇ ପଳାଉଥିବା ବେଳେ ଟ୍ରକଟି ଅନିୟନ୍ତ୍ରିତ ହୋଇ ଏକ ଗାତ ଭିତରେ ପଶି ଯାଇଥିଲା ଏବଂ ଡ୍ରାଇଭର ସେଠାରୁ ଚମ୍ପଟ ମାରିଥିଲା । ଟ୍ରକଟିରେ ପ୍ରାୟ ୨୨ ମେଟ୍ରିକ୍ ଟନ୍ ଲୁହା ପଥର ବୋଝେଇ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି ।
ସୂଚନା ଯୋଗ୍ୟ ଯେ, ଏଯାବତ୍ କେହି ଗିରଫ ହୋଇ ନାହାନ୍ତି । ଯୋଡ଼ାରୁ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ରାଜ୍ୟକୁ ଚୋରା ଖଣିଜ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ବଢ଼ୁଛି ଚୋରି। ମାସ ଧରି ଏହି ପରିତ୍ୟକ୍ତ କ୍ରସରରୁ ଅନବରତ ଖଣିଜ ଚୋର ମାନେ ଚୋରା ଚାଲାଣ କରି ଆସୁଛନ୍ତି। ଗତ ଫେବୃଆରୀ ୧୭ରେ ଗୋଟିଏ ଟ୍ରକ୍ ଜବତ ହୋଇଥିବା ବେଳେ ଓ ୨୮ ତାରିଖ ଦିନ ୨ଗାଡ଼ି ଜବତ ହେବା ସହ ନକଲି ଚାଲାଣକୁ ପୁଲିସ ଜବତ କରିଥିଲା। ଏ ସମ୍ପର୍କରେ ଯୋଡ଼ା ଥାନା ଆଇଆଇସି ସୁଶାନ୍ତ ପ୍ରଧାନ କହିଛନ୍ତି ଯେ, ଖଣିଜ ଚୋରା କାରବାରରେ ସମ୍ପୃକ୍ତ ଥିବା ଚୋର ମାନଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖି ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି।