ଆନନ୍ଦପୁର,୨୮/୩(ଆପ୍ର): ବିଦ୍ୟୁତ୍ର ଘରୋଇ କରଣ ପରେ ବିଲ୍ ବାବଦକୁ ଆଧିକ ଅର୍ଥ ଗଣୁଥିବା ଉପଭୋକ୍ତାମାନେ ନିରବଚ୍ଛିନ୍ନ ସେବା ପାଇବା ବଦଳରେ ଦହଗଞ୍ଜ ହେଉଛନ୍ତି । ସ୍ମାର୍ଟ ମିଟର୍ ଦ୍ୱାରା ଅପେକ୍ଷାକୃତ ଅଧିକ ବିଲ୍ ଉପଭୋକ୍ତାମାନଙ୍କ ପୈଠ କରିବାକୁ ପଡୁଥିବାବେଳେ ବିଦ୍ୟୁତ୍ ସେବାରେ ବ୍ୟାପକ ବିଭ୍ରାଟ ସୃଷ୍ଟି ହେବାରେ ଲାଗିଛି । ବର୍ତ୍ତମାନ ପରିସ୍ଥତିରେ ଅସହ୍ୟ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ନିୟମିତ ବ୍ୟବଧାନରେ ଘୋଷାଣାନାମା ଜାରି କରାଯାଇ ବିଦ୍ୟୁତ୍ ସରବରାହକୁ ବନ୍ଦ ରଖାଯିବା ଉପଭୋକ୍ତାଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିବାରେ ଲାଗିଛି । ବିଦ୍ୟୁତ୍ ବିଭାଗ ପକ୍ଷରୁ ଉପଭୋକ୍ତାଙ୍କ ମୋବାଇଲ୍ ନଂ କୁ ମେସେଜ୍ ପଠାଇବା ଏବଂ ଡାକବାଜି ଯନ୍ତ୍ର ଯୋଗେ ବିଦ୍ୟୁତ୍ ସେବା ବ୍ୟାଘାତ ସମ୍ପର୍କରେ ସୂଚନା ଦିଆଯାଉଛି । ତେବେ ମୋବାଇଲ୍କୁ ଆସୁଥିବା ମେସେଜ୍କୁ ଅନୁଧ୍ୟାନ କଲେ ଗୋଟିଏ ସପ୍ତାହରେ ତଥା ଗୋଟିଏ ମାସରେ ବିଦ୍ୟୁତ୍ ବିଭାଗ କେତେଥର ବିଦ୍ୟୁତ୍ ସରବରାହରେ ବ୍ୟାଘାତ ସୃଷ୍ଟି କରୁଛି ତାହା ସ୍ପଷ୍ଟ ବାରି ହୋଇପଡିବ । ସପ୍ତାହରେ ଅତିକମ୍ରେ ଦୁଇରୁ ତିନିଦିନ ଏହିଭଳି ଧାରା ବଳବତ୍ତର ରହିଛି । ଯାହାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ମରାମତି ଆଳରେ ଏଭଳି କରାଯାଉଥିବାବେଳେ ଆନନ୍ଦପୁର ସହରର ଅନେକ ସ୍ଥାନ ରହିଛି ଯେଉଁଠି ବଡ ବଡ ବୃକ୍ଷଲତାକୁ ଅନାବନା ଗଛ ବିଦ୍ୟୁତ୍ ତାର ପାଇଁ ବିପଦ ସୃଷ୍ଟି କରିଛି । ଏପରିକି ଅନେକ ବିପଦପୂର୍ଣ୍ଣ ଅଞ୍ଚଳରେ କେବୁଲର ବ୍ୟବହାର ମଧ୍ୟ କରାଯାଇପାରିନି । ଏଭଳି ଘଟଣାକୁ ଦେଖିଲେ ବିଦ୍ୟୁତ୍ ବିଭାଗ କଣ ମରାମତି କରୁଛି ବୋଲି ସାଧାରଣରେ ପ୍ରଶ୍ନ ମଧ୍ୟ ଉଠିଛି ।