ନେପିତ/ବ୍ୟାଙ୍ଗକକ୍,୨୯/୦୩: ମ୍ୟାଁମାର ଓ ଥାଇଲାଣ୍ଡରେ ଭୂକମ୍ପ ତାଣ୍ଡବ । ଏଥିରେ ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ ୮୦୦ରୁ ଅଧିକ ଆହତ ହୋଇଛନ୍ତି । ଶୁକ୍ରବାର ସକାଳୁ ୭.୭ ତୀବ୍ରତାର ଭୂକମ୍ପରେ ଥରି ଉଠିଛି ମ୍ୟାଁମାର । ଗୋଟିଏ ପରେ ଗୋଟିଏ ୬ଟି ଭୂକମ୍ପ ଝଟକା ଅନୁଭବ କରିଥିଲେ ମ୍ୟାଁମାରବାସୀ । ପ୍ରକୃତିର ଏହି ତାଣ୍ଡବରେ ମ୍ୟାଁମାରରେ ଅନ୍ୟୁନ ୧୪୪ ଜଣଙ୍କ ଜୀବନ ଯାଇଥିବା ସେନା ମୁଖ୍ୟ ମିନ୍ ଅଙ୍ଗ୍ ହଲାଇଙ୍ଗ୍ କହିଛନ୍ତି । କେତେକ ରିପୋର୍ଟରେ ମୃତ୍ୟୁସଂଖ୍ୟା ୧୯୦ ଟପିଥିବା କୁହାଯାଇଛି । ସେହିଭଳି ଥାଇଲାଣ୍ଡରେ ୯ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୧୦୦ରୁ ଅଧିକ ନିଖୋଜ ଅଛନ୍ତି । ତେବେ ଉଭୟ ଦେଶରେ ମୃତ୍ୟୁସଂଖ୍ୟା୧୦ ହଜାର ଟପିପାରେ ବୋଲି ଆମେରିକା ଜିଓଲଜିକାଲ ସର୍ଭେ ‘ପେଜର’ ରିପୋର୍ଟକୁ ଉଦ୍ଧାର କରି ବୈଜ୍ଞାନିକମାନେ ସତର୍କ କରାଇଛନ୍ତି।
ମ୍ୟାଁମାର ସେନାମୁଖ୍ୟଙ୍କ ଅନୁସାରେ ଏହି ଭୂକମ୍ପ ଯୋଗୁ ଦେଶରେ ୭୩୨ ଜଣ ଆହତ ହୋଇଛନ୍ତି । ବହୁସଂଖ୍ୟାରେ ଲୋକେ ଭଙ୍ଗାକୋଠା ତଳେ ଦବି ରହିଥିବାବେଳେ ଅନେକ ନିଖୋଜ ବି ଅଛନ୍ତି । ତେଣୁ ମୃତାହାତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ଭୂକମ୍ପର ଉତ୍ପତ୍ତିସ୍ଥଳ ମଣ୍ଡଲୟ ନିକଟସ୍ଥ ଏକ ଗ୍ରାମରେ ପ୍ରାୟ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣେ ଉଦ୍ଧାରକାରୀ କହିଛନ୍ତି । ଏହି ଅଞ୍ଚଳରେ ସର୍ବାଧିକ କ୍ଷୟକ୍ଷତି ଘଟିଛି । ଦେଶର ଏକାଧିକ ରାଜ୍ୟରେ ଏମର୍ଜେନ୍ସି ଘୋଷଣା କରାଯାଇଛି । ମ୍ୟାଁମାର ରାଜଧାନୀ ନେପିତ, ମଣ୍ଡଲୟ, ସଗାଇଙ୍ଗ ହସ୍ପିଟାଲରେ ଆହତ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ଭିଡ଼ ଜମିଛି । ଫଳରେ ସମସ୍ତଙ୍କୁ ଏକସଙ୍ଗରେ ଚିକିତ୍ସା ଯୋଗାଇବା କଷ୍ଟକର ହୋଇଛି।
ମ୍ୟାଁମାରରେ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ଟା ୫୦ରେ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଆସିଥିଲା । ଏହାର ୧୨ ମିନିଟ୍ରେ ପରେ ୬.୪ ତୀବ୍ରତାର ଆଉ ଏକ ଶକ୍ତିଶାଳୀ ଝଟକା ଲାଗିଥିଲା । କ୍ଷତିଗ୍ରସ୍ତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ଡ୍ରୋନ, କୁକୁର ଓ ବଡବଡ କ୍ରେନ୍କୁ ନିୟୋଜିତ କରାଯାଇଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ତେବେ ହସ୍ପିଟାଲରେ ଏତେ ସଂଖ୍ୟକ ଲୋକଙ୍କୁ ଚିକିତ୍ସା କରିବା ଲାଗି ସ୍ଥାନର ଅଭାବ ରହିଛି । ଫଳରେ ହସ୍ପିଟାଲ ବାହାରେ ଓ ରାସ୍ତାକଡରେ ଆହତମାନେ ପଡିରହିଛନ୍ତି ।
ଦେଶରେ ଏବେ ଖାଦ୍ୟ, ପାନୀୟ, ଔଷଧ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖାଦେଇଛି । ବିଦ୍ୟୁତ ଓ ଟେଲି ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି । ଫଳରେ ଲୋକଭାନଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ମ୍ୟାଁମାରର ସାମରିକ ଜୁଣ୍ଟା ସରକାର ବିଭିନ୍ନ ଦେଶକୁ ସହାୟତା କରିବା ଲାଗି ଅନୁରୋଧ କରିଛନ୍ତି । ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ସହାୟତା କରିବାକୁ ଘୋଷଣା କରିଛନ୍ତି । ସେହିଭଳି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ମେଡିକାଲ ସହାୟତା ପହଞ୍ଚାଇବ ବୋଲି କହିଛି । ଅନ୍ୟପକ୍ଷରେ ମ୍ୟାଁମାରର ସାମରିକ ସରକାର ପ୍ରକୃତ କ୍ଷୟକ୍ଷତିର ରିପୋର୍ଟ ଯେଭଳି ବିଶ୍ୱବାସୀଙ୍କ ନିକଟରେ ପହଞ୍ଚି ପାରିବ ନାହିଁ ସେଥିପାଇଁ ଇଣ୍ଟରନେଟ ଓ ସୋସିଆଲ ମିଡିଆକୁ ବନ୍ଦ କରିଦେଇଛନ୍ତି । କେବେଳ ସରକାରୀ ସ୍ତରରେ ଯାହାକିଛି କ୍ଷୟକ୍ଷତି ସଂକ୍ରାନ୍ତ ତଥ୍ୟ ପ୍ରଦାନ କରାଯାଉଛି ।
ସେହିଭଳି ଭୂମିକମ୍ପ ଯୋଗୁ ଥାଇଲାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍ଗକକ୍ ସର୍ବାଧିକ ପ୍ରଭାବିତ ହୋଇଛି । ବ୍ୟାଙ୍ଗକକ୍ରେ ଏକ ୩୦ ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠା ଭୁଶୁଡ଼ିପଡ଼ିଛି । ଏହି ସାଇଟ୍ରେ ୪୦୦ ଲୋକ କାମ କରୁଥିଲେ । ସେମାନଙ୍କ ମଧ୍ୟରୁ ୧୦୦ରୁ ଅଧିକ ନିଖୋଜ ଅଛନ୍ତି । ୯ ଜଣଙ୍କ ମୃତ୍ୟୁ ଘଟିଛି । ଥାଇଲାଣ୍ଡର ଅନ୍ୟ ସ୍ଥାନରେ ଶତାଧିକ ନିଖୋଜ ଅଛନ୍ତି । ଭୟଙ୍କର କ୍ଷୟକ୍ଷତିକୁ ଦେଖି ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପାଇତୋନ୍ଗାତର୍ନ ଶିନୱାତ୍ରା ଏମର୍ଜେନ୍ସି ଘୋଷଣା କରିଛନ୍ତି । କ୍ଷତିଗ୍ରସ୍ତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବ୍ୟାଙ୍ଗକକ୍ରେ ସ୍କାଇଟ୍ରେନ ଓ ସବ୍ୱେ ଟ୍ରେନ ସେବା ବନ୍ଦ ହୋଇଯାଇଛି । କେବଳ ବସ୍ ଚଳାଚଳ କରୁଛି । ବିଭିନ୍ନ ସ୍ଥାନରେ ରାସ୍ତା କ୍ଷତିଗ୍ରସ୍ତ ହୋଇଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ଗନ୍ତବ୍ୟସ୍ଥଳକୁ ଯିବା ଲାଗି ବିଭିନ୍ନ ସ୍ଥାନରେ ଲୋକମାନେ ଅପେକ୍ଷା କରିଛନ୍ତି । ଇଣ୍ଟରନେଟ ସେବା ପ୍ରଭାବିତ ହେବାରୁ ଲୋକମାନଙ୍କ ସମସ୍ୟା ଦୁଇଗୁଣ ହୋଇଯାଇଛି । ୧୮୩୯ ଆଭା ଭୂକମ୍ପ ପରେ ଏହା ଦେଶରେ ସବୁଠାରୁ ବଡ ଭୂକମ୍ପ । ପ୍ରାୟ ୨୦୦ ବର୍ଷ ତଳେ ଆସିଥିବା ୮.୩ ତୀବ୍ରତାର ଏହି ଭୂକମ୍ପରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।
ଭୂକମ୍ପରେ ମ୍ୟାଁମାରର ୫ରୁ ଊଦ୍ଧ୍ୱର୍ ସହରରେ ବହୁ ସଂଖ୍ୟାରେ କୋଠା ଭାଙ୍ଗିଯାଇଛି । ରାସ୍ତାଘାଟ, ପୋଲ ଭୁଶୁଡ଼ି ପଡ଼ିଛି । ମ୍ୟାଁମାରର ପ୍ରସିଦ୍ଧ ୯୦ ବର୍ଶ ପୁରୁଣା ଆଭା ବ୍ରିଜ୍ ମଧ୍ୟ ଭାଙ୍ଗିଯାଇଛି । ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଐତିହାସିକ ମାଣ୍ଡଲ୍ୟ ପ୍ୟାଲେସ୍ ଏବଂ ଏକ କ୍ଲକ୍ ଟାୱାର ଭାଙ୍ଗୁଥିବାର ଭିଡିଓ ଦେଖିବାକୁ ମିଳିଛି । ଭୂକମ୍ପ ବେଳର ଫଟୋ, ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି । ଏହି ବିପର୍ଯ୍ୟୟରେ ହଜାରରୁ ଊଦ୍ଧ୍ୱର୍ଙ୍କ ଜୀବନହାନି ହେବା ଏବଂ ବ୍ୟାପକ କ୍ଷୟକ୍ଷତି ହେବା ନେଇ ଏକ ଆମେରିକୀୟ ଏଜେନ୍ସି କହିଛି । ସେହିଭଳି ଆଗକୁ ଆହୁରି ବଡ ଧରଣର ଭୂକମ୍ପ ହେବ ବୋଲି ବିଶେଷଜ୍ଞମାନେ ସତର୍କ କରାଇଥିବାରୁ ଲୋକମାନେ ଭୟରେ ଘରକୁ ଯାଉନାହାନ୍ତି । ସେମାନେ ରାସ୍ତାକଡ ଓ ଖୋଲା ସ୍ଥାନରେ ରାତି ବିତାଇଛନ୍ତି ।
ଭୂମିକମ୍ପର ଝଟକା ଭାରତ ସମେତ ଚୀନ୍, ବାଂଲାଦେଶରେ ବି ଅନୁଭୂତ ହୋଇଛି । ବାଂଲାଦେଶର ଢ଼ାକା, ଚଟଗାଓଁ ଓ ଅନ୍ୟ କେତେକ ସ୍ଥାନରେ ଜୋର୍ଦାର ଝଟ୍କା ଲାଗିଥିଲା । ଭାରତର କୋଲକାତା, ଇମ୍ଫାଲ, ମେଘାଳୟ, ଇଷ୍ଟ କାର୍ଗୋ ହିଲ୍ରେ ଝଟକା ଲାଗିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ମ୍ୟାଁମାରର ମୋନୟା ସହର ଠାରୁ ୫୦ କିମି ଦୂରରେ ଥିଲା । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରାକୃତିକ ଦୁର୍ବପାକ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଉଭୟ ମ୍ୟାଁମାର ଏବଂ ଥାଇଲାଣ୍ଡକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବାକୁ ପ୍ରସ୍ତାବ ଦେଇଛନ୍ତି । ଏଥିସହ ଦୁଇ ଦେଶର ସରକାରଙ୍କ ସହ ଯୋଗାଯୋଗରେ ରହିବାକୁ ବିଦେଶ ମନ୍ତ୍ରଣାଳୟକୁ କହିଥିବା ମୋଦି ପ୍ରକାଶ କରିଛନ୍ତି । ସେହିପରି ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ସହାୟତା ଲାଗି ଏମର୍ଜେନ୍ସି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ।
ସୂଚନାଯୋଗ୍ୟ ଯେ ରିଙ୍ଗ ଅଫ୍ ଫାୟାର ନିକଟରେ ରହିଛି ମ୍ୟାଁମାର । ତେଣୁ ଏଠାରେ ସବୁବେଳେ ଭୂକମ୍ପ ଦେଖିବାକୁ ମିଳେ । ରିଙ୍ଗ ଅଫ୍ ଫାୟାର ଅଞ୍ଚଳରେ ବିଶ୍ୱର ୮୧ ପ୍ରତିଶତ ଭୂକମ୍ପ ହୋଇଥାଏ । ଆକଳନ ଅନୁସାରେ ମ୍ୟାଁମାରରେ ପ୍ରତିମାସରେ ୮ଟି ଭୂକମ୍ପ ଘଟୁଛି । ମ୍ୟାଁମାର ଭାରତୀୟ ପ୍ଲେଟ ଓ ସୁନ୍ଦା ପ୍ଲେଟ ମଝିରେ ରହିଛି । ଏହି ପ୍ଲେଟ ମଧ୍ୟରେ ସଂଘାତ ହେବା ଯୋଗୁ ମ୍ୟାଁମାରରେ ଅନେକ ସମୟରେ ଭୂକମ୍ପ ଆସୁଥିବାର ଜଣାପଡିଛି ।