ପୁରୀ, ୨୫/୦୨: ପ୍ରଦୂଷିତ ଦୟା ନଦୀ ପାଣି ବ୍ୟବହାର କରି କଣାସରେ ଡାଇରିଆ ବ୍ୟାପିବା ଯୋଗୁ ପ୍ରାୟ ୭ ଜଣଙ୍କ ମୃତ୍ୟୁ ଓ ତିନିଶହରୁ ଅଧିକ ଆକ୍ରାନ୍ତ ହେବା ମାମଲା ରାଜ୍ୟ ମାନବାଧିକାର କମିଶନଙ୍କ କୋର୍ଟରେ ପହଞ୍ଚିଛି । ସୋମବାର ଏହି ମାମଲା ଶୁଣାଣି ବେଳେ ନୋଟିସ୍ ପାଇବା ସତ୍ତେ୍ୱ ପ୍ରଶାସନିକ ଅଭିମୁଖ୍ୟ ସମ୍ପର୍କରେ ଜଣାଇବାକୁ କୌଣସି ଅଧିକାରୀ ହାଜର ହୋଇନଥିଲେ । ସ୍ୱାସ୍ଥ୍ୟ ସଚିବ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ଓ ଜିଲ୍ଲାପାଳଙ୍କୁ କଣାସ ହଇଜା ମୃତ୍ୟୁ ମାମଲାରେ ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ମାନବଧିକାର ଆୟୋଗ ନିର୍ଦ୍ଦେଶ ଦେଇଥିଲେ । କୌଣସି ଅଧିକାରୀ ନଆସିବାରୁ ଆସନ୍ତା ମାର୍ଚ୍ଚ ୩ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ରହିଛି । ସ୍ୱାସ୍ଥ୍ୟ ସଚିବ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ ଓ ଜିଲ୍ଲାପାଳ ପ୍ରମୁଖଙ୍କୁ ବ୍ୟକ୍ତିଗତ ହାଜର ହୋଇ ଅଭିମୁଖ୍ୟ ରଖିବାକୁ ନିର୍ଦ୍ଦେଶ ହୋଇଥିବା ଜଣାପଡ଼ିଛି । ସେପଟେ ଏହି ସମ୍ବେଦନଶୀଳ ଘଟଣାରେ ପ୍ରଶାସନିକ ଅଧିକାରୀମାନେ ଆୟୋଗଙ୍କ ନିର୍ଦ୍ଦେଶକୁ ଅଣଦେଖା କରିବା ହଇଜାରେ ମୃତ ବ୍ୟକ୍ତିଙ୍କ ପରିଜନଙ୍କୁ ଭିତରେ ଅସନ୍ତୋଷ ସୃଷ୍ଟି କରିଛି ।
ସୂଚନା ଥାଉକି, ଭୁବନେଶ୍ୱରରୁ ନିର୍ଗତ ନର୍ଦ୍ଦମାଜଳ ଗଙ୍ଗୁଆ ନାଳ ଯୋଗେ ଆସି ଦୟାରେ ମିଶିବା ଯୋଗୁ ଏହା ବିଷାକ୍ତ ହୋଇଯାଇଛି । ଏହାକୁ ସ୍ନାନ, ଶୌଚ, ପାନୀୟ ପ୍ରଭୃତିରେ ବ୍ୟବହାର କରି କଣାସର ବିଭିନ୍ନ ପଞ୍ଚାୟତର ଶତାଧିକ ଲୋକେ ଡାଇରିଆରେ ଆକ୍ରାନ୍ତ ହୋଇଥିଲେ । ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣଙ୍କ ମୃତ୍ୟୁ ହେବାରୁ ପ୍ରସଙ୍ଗ ଆଲୋଚନାକୁ ଆସିଥିଲା । ସରକାର ଠାରୁ କ୍ଷତିପୂରଣ ଦାବିରେ ଲୋକେ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ହଇଜାରେ ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଏପର୍ଯ୍ୟନ୍ତ ଟଙ୍କାଟିଏ ସହାୟତା ପ୍ରଶାସନ ପକ୍ଷରୁ ମିଳିନି । ଯାହା ଅସନ୍ତୋଷର ଆଉ ଏକ କାରଣ ହୋଇଛି । ଲୋକଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇ ଦେବାରେ ପ୍ରଶାସନ ଫେଲ ମାରିଥିବା ବେଳେ ପ୍ରାକୃତିକ ନଦୀ ଉତ୍ସକୁ ପ୍ରଦୂଷିତ କରିବା ସାଧାରଣରେ ଉଦ୍ବେଗର ବିଷୟ ହୋଇଛି ।