କଣାସ,୧୪/୦୨: ଦୟା ନଦୀର ସ୍ଥିତି ସୁଧୁରୁନି । ପ୍ରାୟ ତିନିମାସ ହେଲାଣି ନର୍ଦ୍ଦମା ପାଣି ଭଳି ଦିଶୁଛି । କଳା କିଟିକିଟି ପଡ଼ି ପାଣି ଭିତରେ ମଇଳା ଭାସୁଛି । ପମ୍ପ ହାଉସ୍ରୁ ଯୋଗାଣ ହେଉଥିବା ସେହି ପାଣିକୁ ପିଉଛନ୍ତି ଅନେକ ଗ୍ରାମବାସୀ ।
କୁଆଖାଇ ନଦୀର ସରଦେଇପୁରଠାରୁ ବାହାରିଥିବା ଦୟା ୩୭କିମି ବ୍ୟାପୀ ବଡ଼ଗୋଠ ଦେଇ ଚିଲିକା ପର୍ଯ୍ୟନ୍ତ ଲମ୍ବିଛି । ବର୍ଷ ତମାମ କଣାସ, ଡେଲାଙ୍ଗ, ପିପିଲି ଓ ଜଟଣୀ ବ୍ଲକ୍ର ଲକ୍ଷାଧିକ ଲୋକ ଦୟା ଉପରେ ନିର୍ଭର କରନ୍ତି । ନଦୀକୂଳିଆ ଲୋକଙ୍କ ଜୀବନ ରେଖା ବୋଲାଉଥିବା ଦୟାର ପାଇଁ କାଳ ସାଜିଛି ଗଙ୍ଗୁଆ ନାଳର ବର୍ଜ୍ୟ । ଭୁବନେଶ୍ୱର ସହରର ସ୍ୱେରେଜ୍ ପାଣି ସିଧାସଳଖ ଗଙ୍ଗୁଆ ଦେଇ ଦୟାରେ ମିଶୁଛି । ଯାହାକୁ ବ୍ୟବହାର କରିବା ଯୋଗୁଁ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ।
କଣାସ ଅଞ୍ଚଳର ଲୋକେ ଦୟାର ଦୂଷିତ ପାଣି ପିଇବା ଦ୍ୱାରା ଝାଡ଼ାବାନ୍ତି ବ୍ୟାପୀ ଥିଲା । ଶତାଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୬ଜଣଙ୍କ ମୃତ୍ୟୁ ଘଟିଥିଲା । ସରକାର ଓ ଜିଲ୍ଲା ପ୍ରଶାସନର ଅନେକ ଚେଷ୍ଟା ପରେ ଏବେ ଝାଡ଼ାବାନ୍ତି ସ୍ଥିତିରେ ସୁଧାର ଆସିଛି । ହେଲେ ଦୟା ନଦୀ ଜଳରେ କୌଣସି ପରିବର୍ତ୍ତନ ହୋଇନି । କଲିକତି ଦଳ ନଦୀରେ ଭର୍ତ୍ତି ହୋଇ ରହିଛି । ଲୋକେ ମଲା ଗାଈଗୋରୁ, ଛେଳି, ମେଣ୍ଢା, କୁକୁର, ବିଲେଇ ନଦୀରେ ଭସାଇ ଦେଉଛନ୍ତି । ମଳ, ଦଳ ଆଉ ମଢ଼ ମିଶିଯିବାରୁ ଦୟା ପାଣି ବିଷ ପାଲଟି ଯାଉଛି । ଯାହାର ପରିଣାମ ଲୋକେ ଭୋଗୁଛନ୍ତି ।
ଦଳ ଭର୍ତ୍ତି ହୋଇ ରହିବା ଯୋଗୁଁ ଜୈବିକ ଜିନିଷ ପଚି ନାଇଟ୍ରୋଜେନ୍ ସାନ୍ଧ୍ରତା ବଢ଼ି ଯାଉଛି । ଅକ୍ସିଜେନ୍ ସ୍ତର କମୁଛି । ମଢ଼ ପଚିଯିବା ଦ୍ୱାରା ସେଥିରୁ ଆମୋନିଆ ଓ ୟୁରିକ୍ ଏସିଡ୍ ନିର୍ଗତ ହେଇ ପାଣିକୁ ବିଷାକ୍ତ କରୁଛି । ଫଳରେ ମାଛମାନେ ବି ମରି ଯାଉଛନ୍ତି । ଦୟାର ବାମ ପାଶ୍ୱର୍ ବନ୍ଧ ଧାରେ ଧାରେ ୪୦ କିମି ଲମ୍ବି ଆସିଛି କଣାସ ବ୍ରାଞ୍ଚ କେନାଲ୍ । ଏଥିରେ ଲୋକମାନେ ମଲା କୁକୁଡ଼ା ଆଉ ଯାବତୀୟ ବର୍ଜ୍ୟ ପକାଉଛନ୍ତି । ଫଳରେ ଦିନକୁ ଦିନ କେନାଲ ପୋତି ହୋଇଗଲାଣି । କେନାଲରେ ପାଣି ଆସିଲେ ସବୁ ବର୍ଜ୍ୟ ଉପର ମୁଣ୍ଡରୁ କଣାସ ହାଟ ଦେଇ ଡିମିରି ସ୍ଲୁଇସ୍(ନୂଆଦୋକନ୍ଦା ନିକଟରେ) ଦୟାରେ ମିଶୁଛି ।