ନୂଆଦିଲ୍ଲୀ, ୪।୪: ଲୋକ ସଭା ପରେ, ରାଜ୍ୟ ସଭାରେ ମଧ୍ୟ ୱକଫ ସଂଶୋଧନ ବିଲ୍ ପାରିତ ହୋଇଛି । ତେବେ କଂଗ୍ରେସ ଏହି ବିଲ୍କୁ ମଞ୍ଜୁରୀ ଦେଇନଥିବା ବେଳେ ଏହାର ତୀବ୍ର ବିରୋଧ କରିଛି । ଦେଶର ସବୁଠି ପୁରୁଣା ରାଜନୈତିକ ଦଳର କହିବାନୁସାରେ, ଖୁବ୍ଶୀଘ୍ର ଏହି ବିଲ୍ ବିରୋଧରେ ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବ । କେବଳ ଏତିକି ନୁହଁ, ୱକଫ (ସଂଶୋଧନ) ବିଲ୍, ୨୦୨୪ର ସାମ୍ବିଧାନିକ ବୈଧତାକୁ ବି କୋର୍ଟରେ ଚ୍ୟାଲେଞ୍ଜ କରିବ ।
‘କଂଗ୍ରେସ ଖୁବ୍ଶୀଘ୍ର ସୁପ୍ରିମକୋର୍ଟରେ ୱକଫ ସଂଶୋଧନ ବିଲ୍, ୨୦୨୪ର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରିବ’ । ଆମର ପୂର୍ଣ୍ଣ ବିଶ୍ୱାସ ଅଛି ଏବଂ ଆମେ ଭାରତର ସମ୍ବିଧାନରେ ଥିବା ନୀତି, ବ୍ୟବସ୍ଥା ଏବଂ ଅଭ୍ୟାସ ଉପରେ ମୋଦି ସରକାରଙ୍କ ସମସ୍ତ ଆକ୍ରମଣକୁ ବିରୋଧ କରିବୁ ବୋଲି ବୋଲି ଏକ୍ସରେ ଏକ ପୋଷ୍ଟରେ ଏଆଇସିସି ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି । ରାଜ୍ୟ ସଭାରେ ୱକଫ ବିଲ୍ ଉପରେ ଆଲୋଚନା ବେଳେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ କଡ଼ା ବିରୋଧ କରାଯାଇଥିଲା, ଯେଉଁମାନେ ବିଲ୍କୁ ‘ମୁସଲମାନ ବିରୋଧୀ’ବୋଲି କହିଥିଲେ । କହିରଖୁ କି, ପୂର୍ବରୁ ଏମକେ ଷ୍ଟାଲିନ ୱକଫ ବିଲ୍ ସମ୍ପର୍କରେ କୋର୍ଟର ଦ୍ୱାରସ୍ଥ ହେବାକୁ ଘୋଷଣା କରିଥିଲେ । ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏବଂ ଡିଏମକେ ସଭାପତି ଏମକେ ଷ୍ଟାଲିନ ଗୁରୁବାର କହିଥିଲେ ଯେ, ତାଙ୍କ ଦଳ ଏହି ବିଲ୍ ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିବ ।
ଲୋକ ସଭାରେ ବିଲ୍ ପାସ୍ ହେବା ବିରୋଧରେ ପ୍ରତିବାଦ ଜଣାଇ ଏମ କେ ଷ୍ଟାଲିନ କଳାପଟି ପିନ୍ଧି ବିଧାନସଭାରେ ବିରୋଧ ପ୍ରଦର୍ଶନ କରିଥିଲେ । ସେ କହିଥିଲେ ଯେ, ‘ଭାରତର ବହୁ ସଂଖ୍ୟକ ଦଳର ବିରୋଧ ସତ୍ତ୍ୱେ, କିଛି ସହଯୋଗୀଙ୍କ ନିର୍ଦ୍ଦେଶରେ ରାତି ୨ଟାରେ ସଂଶୋଧନ ଗ୍ରହଣ କରିବା ସମ୍ବିଧାନର ଗଠନ ଉପରେ ଆକ୍ରମଣ ।‘ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ୱକଫ ବିଲ୍କୁ ବିରୋଧ କରି କହିଥିଲେ ଯେ, ଏହି ବିଲ୍ ମାଧ୍ୟମରେ ମୁସଲମାନମାନଙ୍କୁ ଦମନ କରିବାକୁ ଚେଷ୍ଟା କରି ସରକାର ବିବାଦ ଏବଂ ସଂଘର୍ଷର ମଞ୍ଜି ବୁଣୁଛନ୍ତି ।