ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ଚନ୍ଦକାରେ ଖୋଲିଲା ହାତୀଙ୍କ ପାଠଶାଳା, ମଣିଷଙ୍କ ପରି ପ୍ରାତଃଭ୍ରମଣ କରୁଛନ୍ତି ହାତୀ

ଭୁବନେଶ୍ୱର, ୩।୭: ଚନ୍ଦକା କୁମାରଖୁଣ୍ଟିରେ ଜୋରସୋରରେ ଚାଲିଛି ହାତୀଙ୍କ ପାଠଶାଳା । ହାତୀମାନେ ମଣିଷଙ୍କ ପରି ପ୍ରତିଦିନ ପ୍ରାତଃଭ୍ରମଣ କରୁଛନ୍ତି । ତା’ ସହିତ ପାଠ ପଢ଼ୁଛନ୍ତି, ଖେଳକୁଦ ସାଙ୍ଗକୁ ବ୍ୟାୟାମ ବି କରୁଛନ୍ତି । ସେମାନଙ୍କୁ ପାଠ ପଢ଼ାଉଛନ୍ତି ଆସାମରୁ ଆସିଥିବା ଟ୍ରେନରଙ୍କ ସହ ଓଡ଼ିଆ ମାହୁନ୍ତ । ଆଉ ହାତୀଙ୍କ ଖାଇବା ପିଇବା ପାଇଁ ଖୋଲି ଯାଇଛି ‘ଏଲିଫ୍ୟାଣ୍ଟ୍‌ ରେସ୍ତୋରାଁ’ । ଯେଉଁଠି କିଚେନ୍‌ ରୁମ୍‌ ଠାରୁ ଆରମ୍ଭ କରି ହାତୀଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ କୁଣ୍ଡ ଓ ପିଇବା ପାଣି କୁଣ୍ଡ ନିର୍ମାଣ ହୋଇଛି । ସେଠାରେ ହାତୀ ଛୁଆ ଚନ୍ଦୁ, ମାମା, ଜଗା, ଉମା ଓ କାର୍ତ୍ତିକ ମନଭରି ଖିଆପିଆ କରି ବେଶ୍‌ ଖୁସିରେ ସମୟ ବିତାଉଛନ୍ତି । କେମିତି ବିତୁଛି ଦିନ: ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ କୁମାରଖୁଣ୍ଟିରେ ହାତୀଙ୍କ ପାଠଶାଳାରେ ତାଲିମ ନେଉଥିବା ୫ ହାତୀ ସକାଳ ୬ଟାରେ ହାତୀଶାଳାରୁ ବାହାରି ପଡ଼ୁଛନ୍ତି । ମଣିଷଙ୍କ ପରି ସେମାନେ ଜଙ୍ଗଲ ଭିତରେ ୩ କିମି ପର୍ଯ୍ୟନ୍ତ ମର୍ଣ୍ଣିଂୱାକ କରୁଛନ୍ତି । ସେମାନଙ୍କ ଗୋଡ଼ରେ ଚେନ୍‌ ବନ୍ଧାଯାଉନି । ସାଙ୍ଗରେ ଯାଉଛନ୍ତି ମାହୁନ୍ତମାନେ । ମର୍ଣ୍ଣିଂୱାକ କରିବା ପରେ ସେମାନେ ପାଠଶାଳାକୁ ଫେରୁଛନ୍ତି । 

ସେଠାରେ ଅଧଘଣ୍ଟାଏ ବିଶ୍ରାମ ନିଅନ୍ତି । ରେସ୍ତୋରାଁରେ ବ୍ରେକ୍‌ଫାଷ୍ଟ(ସକାଳ ଜଳଖିଆ) ରେ ସେମାନଙ୍କୁ କଦଳୀ, ନଡ଼ିଆ, କଦଳୀ ଗଛ, ବତୁରା ହୋଇଥିବା ଗହମ ଖାଇବାକୁ ଦିଆଯାଇଥାଏ ।  ବ୍ରେକ୍‌ଫାଷ୍ଟ ଖାଇବାପରେ ହାତୀମାନେ ଅଧଘଣ୍ଟା ବିଶ୍ରାମ ନିଅନ୍ତି । ତା’ପରେ ସେମାନେ ବାହାରିପଡ଼ନ୍ତି ଜଙ୍ଗଲ ଭିତରକୁ । ଜଙ୍ଗଲରେ ୭ରୁ ୮ କିମି ପର୍ଯ୍ୟନ୍ତ ଯାଇ ଡାଳପତ୍ର ଖାଇଥାନ୍ତି । ସେମାନଙ୍କ ସହିତ ମାହୁନ୍ତ, ସହକାରୀ ମାହୁନ୍ତମାନ ଯାଇଥାନ୍ତି । ଦିନ ପ୍ରାୟ ସାଢ଼େ ୧୨ଟାରୁ ଗୋଟାଏ ହେଲେ ଫେରି ଆସନ୍ତି । କୁମ୍ଭାରଖୁଣ୍ଟି ଡ୍ୟାମରେ ମନଭରି ଗାଧୁଆପାଧୁଆ କରନ୍ତି । ସେମାନଙ୍କୁ ମାହୁନ୍ତମାନେ ଘଷାଘଷି କରି ଭଲରେ ଗାଧୋଇ ଦିଅନ୍ତି । ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ପର୍ଯ୍ୟନ୍ତ ଗାଧୋଇବା ପରେ ପାଣିରୁ ଉଠିଥାନ୍ତି । ସେଠାରୁ ପାଠଶାଳାକୁ ଫେରନ୍ତି ।   ପାଠଶାଳାକୁ ଫେରିବା ପରେ ସେମାନଙ୍କୁ ରନ୍ଧା ହୋଇଥିବା ଖାଦ୍ୟ ଖାଇବାକୁ ଦିଆଯାଇଥାଏ । ଲଞ୍ଚ(ମଧ୍ୟାହ୍ନ ଭୋଜନ)ରେ ପାଇଁ ମୁଗ, ଚାଉଳ, କୋଳଥ ଓ ପରିବା ମିଶାଇ ରନ୍ଧା ଯାଇଥାଏ । ସେଥିରେ ନଡ଼ିଆ, କଦଳୀ, ଗୁଡ଼ ପକାଇ ବଲ୍‌ କରାଯାଇଥାଏ । ସେହି ବଲ୍‌କୁ ହାତୀ ପାଟିରେ ମାହୁନ୍ତମାନେ ଖୁଆଇ ଦେଇଥାନ୍ତି । ହାତୀମାନେ ଅତି ଆନନ୍ଦରେ ତାକୁ ଖାଇଥାଆନ୍ତି । ଖାଇ ସାରିବା ପରେ ସେମାନେ ଅଧ ଘଣ୍ଟାଏ ଫୁଟ୍‌ବଲ୍‌ ବା ଅନ୍ୟାନ୍ୟ ଖେଳ ଖେଳନ୍ତି । ଖେଳିସାରିବା ପରେ ସେମାନେ ବ୍ୟାୟାମ କରନ୍ତି । 

ତା’ପରେ ଜଙ୍ଗଲରୁ ସାଙ୍ଗରେ ଧରି ଆସିଥିବା ଡାଳପତ୍ର ଖାଇଥାନ୍ତି । ରାତିରେ ହାତୀମାନେ ବିଶ୍ରାମାଗାରକୁ ଯାଇ ବିଶ୍ରାମ ନେଇଥାନ୍ତି । ପ୍ରତିଦିନ ଗୋଟିଏ ହାତୀ ୬ କେଜି ଗହମ, ୫ କେଜି ଚାଉଳ, ୧ କେଜି ମୁଗ, ୧ କେଜି କୋଳଥ, ୪ଟି ନଡ଼ିଆ, ୨ରୁ ୩ କେଜି ପରିବା ଓ ୫୦୦ ଗ୍ରାମ ଗୁଡ଼ ଖାଇଥାନ୍ତି ।  ଡିଏଫ୍‌ଓ ଶରତ ବେହେରାଙ୍କ କହିବା ଅନୁଯାୟୀ, ତାଲିମ ନେଇ ସାରିବା ପରେ ଏହି ତାଲିମପ୍ରାପ୍ତ ହାତୀଙ୍କୁ ଜଙ୍ଗଲ ଜଗିବା କାର୍ଯ୍ୟରେ ନିୟୋଜିତ କରାଯିବ । ଅମାନିଆ ହାତୀଙ୍କୁ ଘଉଡ଼ାଇବା ସହ କାଠ ଚୋରଙ୍କୁ ମଧ୍ୟ ଏମାନେ ଜଙ୍ଗଲରୁ ତଡ଼ିବେ । ଏଥିସହ ପର୍ଯ୍ୟଟକମାନଙ୍କୁ ପିଠିରେ ବସାଇ ବୁଲାଇବା କାର୍ଯ୍ୟରେ ଏମାନଙ୍କୁ ନିୟୋଜିତ କରାଯିବ । ଏପରିକି ହିଂସ୍ର ହେଉଥିବା ହାତୀମାନଙ୍କୁ ଟ୍ରାଙ୍କୁଲାଇଜ କରିବା କାମରେ ଏହି ହାତୀମାନଙ୍କ ସହାୟତା ନିଆଯିବ ।  ସୂଚନା ଥାଉକି, ମାର୍ଚ୍ଚ ୬ରୁ ଆରମ୍ଭ ହୋଇଥିବା ଏହି ହାତୀ ପାଠଶାଳାକୁ ଶିମିଳିପାଳ ଜେନାବିଲିରୁ ‘ଜଗା’, ନନ୍ଦନକାନନରୁ ‘ମାମା’ ଓ କପିଳାସରୁ ‘ଚନ୍ଦୁ’, ‘ଉମା’ ଏବଂ ‘କାର୍ତ୍ତିକ’ ହାତୀ ଏଠାକୁ ଆସି ପାଠ ପଢ଼ୁଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.