ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଘଣ୍ଟାର ଅପେକ୍ଷା..ରଥଖଳାରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାରରେ ଲାଗିବ ରଥତ୍ରୟ
  • ||
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

ଭୁବନେଶ୍ୱର ଶଙ୍ଖ ଦଳ ଫାଳଫାଳ...କିଏ ବିଜେପି ମୁହାଁ, ଖୋଲାଖୋଲି ଦୋଷ ଠେଲାଠେଲି

ଭୁବନେଶ୍ୱର,୦୪/୦୭: ଆରମ୍ଭ ହୋଇଗଲା ଆର୍‌ପାର ଲଢ଼େଇ । ଏପଟେ ମେଳି ତ ସେପଟେ ବୈଠକ । ଗୋଟିଏ ପଟୁ ବୟାନବାଜି ହେଲେ, ଆରପଟୁ ଆସୁଛି ମୁହଁ ତୋଡ଼ ଜବାବ । କେହି କାହାକୁ ବରଦାସ୍ତ କରିବାର ନାହିଁ । ହାଇକମାଣ୍ଡ ଡର ମନରୁ ଗାଏବ୍‌ । ଭୁବନେଶ୍ୱରରେ ବିଜେଡି ଫାଳଫାଳ ସ୍ଥିତିରେ ।

ବିଜେଡି କର୍ପୋରେଟର ଭାଗ ଭାଗ । ଖୋଦ୍‌ କର୍ପୋରେଟର କହିଲେଣି, ବିଜେଡିକୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର ଚାଲିଛି । ଉଭୟ ପକ୍ଷ ପରସ୍ପରକୁ ବିଭୀଷଣ କହୁଛନ୍ତି । ସ୍ଥିତି ଏମିତି ଯେ, ରାଜନୈତିକ ମହଲରେ ଚର୍ଚ୍ଚା-ଭାଙ୍ଗିଯିବ କି ଭୁବନେଶ୍ୱର ବିଜେଡି? ଏଭଳି ସ୍ଥିତିରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସିରେ) କେମିତି ଶାସନ ଚଳାଇବ ବିଜେଡି? ଗୋଷ୍ଠୀ ବିବାଦରେ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ପାଇଁ ବଢ଼ିବ କି ଅଡ଼ୁଆ?

ବୁଧବାର ଅପରାହ୍ଣରେ ଭୁବନେଶ୍ୱର ବିଜେଡିରେ ହଲ୍‌ଚଲ୍‌ ବଢ଼ିଥିଲା । ଗୋଟିଏ ପଟେ ଦଳର ବରିଷ୍ଠ ନେତା ପ୍ରତାପ କେଶରୀ ଦେବଙ୍କ ବାସଭବନରେ ବସିଥିଲା ବୈଠକ । ଉପସ୍ଥିତ ଥିଲେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ, ଉତ୍ତର ଭୁବନେଶ୍ୱର ବିଧାୟକ ତଥା ଭୁବନେଶ୍ୱର ଜିଲ୍ଲା ସଭାପତି ସୁଶାନ୍ତ ରାଉତ ପ୍ରମୁଖ । ସେଠାରେ ପହଞ୍ଚିଥିଲେ ବିଜେଡି କର୍ପୋରେଟର ଅମରେଶ ଜେନା । ବୈଠକରେ କ’ଣ ଆଲୋଚନା ହେଲା, କେହି କିଛି କହିଲେନି । କିନ୍ତୁ ବୈଠକରେ ଭୁବନେଶ୍ୱରକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା କୁହାଯାଉଛି । ଦଳ କେମିତି ଏକାଠି ରହିବ, ସେ ନେଇ ସମାଧାନ ବାଟ ବାହାର କରିବାକୁ ଚିନ୍ତନ କରାଯାଇଥିବା ସୂତ୍ରରୁ ଖବର ମିଳିଛି ।

ଅନ୍ୟପଟେ ଜନପଥର ଏକ ହୋଟେଲରେ ଏକାଠି ହୋଇଥିଲେ ବିଜେଡିର ୨୫ କର୍ପୋରେଟର । ଅଧିକାଂଶ ଥିଲେ ମଧ୍ୟ ଓ ଏକାମ୍ର ନିର୍ବାଚନମଣ୍ଡଳୀର । ବୈଠକରେ ମହାମାୟା ସ୍ୱାଇଁ, ନୃପେଶ ନାୟକ, ଶ୍ରୀଧର ଜେନା, ଭରତ ଲେଙ୍କା, ଶ୍ରୀଧର ବେହେରା, ପଦ୍ମଜା ପ୍ରିୟଦର୍ଶିନୀ, ରାଜକିଶୋର ଦାସ ପ୍ରମୁଖ ଥିଲେ । ପଚାରିବାରୁ ନୃପେଶ ଓ ମହାମାୟା କହିଲେ, ବିଜେଡି ଏକାଠି ଅଛି । ଯେଉଁମାନେ ଅନ୍ୟକୁ ବିଭୀଷଣ କହୁଛନ୍ତି, ସେମାନେ ହିଁ ବିଭୀଷଣ । ଯେଉଁ ଦୁଇଜଣ ଦଳ ଭାଙ୍ଗିବା କଥା କହୁଛନ୍ତି, ସେମାନେ କ୍ଷମତା ପାଇଁ ଦଳ ଡେଇଁବାକୁ ବାଟ ଖୋଜୁଛନ୍ତି । ବିଜେପିକୁ ଯିବା ପାଇଁ ଏମିତି ମିଛ କଥା କହି ସେମାନେ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ।

ଅନ୍ୟପକ୍ଷରେ ବିଜେପି ବିଧାୟକ ବାବୁ ସିଂଙ୍କୁ କର୍ପୋରେଟର ଅମରେଶ ଜେନା, ବିରଞ୍ଚି ମହାସୁପକାର ଓ ତାଙ୍କ ସମର୍ଥକମାନେ ଫୁଲତୋଡ଼ା ଦେଇ ଜନ୍ମଦିନ ଶୁଭେଚ୍ଛା ଜଣାଉଥିବା ଫଟୋ ବିଜେଡି ମହଲରେ ଭାଇରାଲ ହୋଇଛି । ଏହାକୁ ନେଇ ମଧ୍ୟ ଉଭୟ ପକ୍ଷ କଥା କଟାକଟି ହୋଇଛନ୍ତି ।

ଅନ୍ୟପଟେ ଅମରେଶ କହିଛନ୍ତି, ଦଳ ଭିତରେ ବିଭୀଷଣ ବାହାରିଛନ୍ତି । ଯେଉଁମାନେ ୫୭ କର୍ପୋରେଟରଙ୍କ ଭିତରୁ ୨୦ଜଣଙ୍କୁ ଡାକି ମେଳି କରୁଛନ୍ତି, ସେମାନେ ଦଳ ଭାଙ୍ଗିବାକୁ ଷଡ଼ଯନ୍ତ୍ର କରିଛନ୍ତି । ବିଏମ୍‌ସିରେ ମେୟରଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିବାକୁ ଲାଗିଛନ୍ତି । ପ୍ରଥମ ଥର ବିଏମସିରେ ଷ୍ଟାଣ୍ଡିଂ କମିଟି ପାଇଁ ବିଜେଡି ଭିତରେ ନିର୍ବାଚନ ହେଲା । ଏକାମ୍ରର ପୂର୍ବତନ ବିଧାୟକ ଓ ତାଙ୍କ ସହ ଥିବା କିଛି କର୍ପୋରେଟର ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଯୋଗାଯୋଗରେ ଅଛନ୍ତି । କର୍ପୋରେଟର ନୃପେଶ ନାୟକ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗାଡ଼ିରେ ବୁଲୁଥିବା ପ୍ରମାଣ ଅଛି । ହେଲେ ବିଜେଡିକୁ ଭାଙ୍ଗିବାକୁ ଦିଆଯିବନି ବୋଲି ଅମରେଶ କହିଛନ୍ତି । ବିଜେପି ବିଧାୟକଙ୍କ ସହ ତାଙ୍କ ଫଟୋ ସମ୍ପର୍କରେ ଅମରେଶ କହିଛନ୍ତି, ଏକ ରକ୍ତଦାନ ଶିବିରକୁ ଉଭୟଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହି ଅବସରରେ ଜନ୍ମଦିନ ଶୁଭେଚ୍ଛା ଜଣାଇବାରେ କିଛି ଅସୁବିଧା ନାହିଁ ।

ଅମରେଶଙ୍କ ଅଭିଯୋଗ ସମ୍ପର୍କରେ ନୃପେଶ କହିଛନ୍ତି, ବିଜେପି କଥାରେ ଜଣେ ଦୁଇଜଣ ବିଭ୍ରାନ୍ତ କରୁଛନ୍ତି । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ଅଛି । ତାଙ୍କ ଗାଡ଼ିରେ ମୁଁ ବ୍ୟକ୍ତିଗତ କାମରେ ୨/୩ ଦିନ ତଳେ ଯାଇଥିଲି । କିନ୍ତୁ, ନିର୍ବାଚନବେଳେ ମୁଁ କୌଣସି ବିଜେପି ନେତାଙ୍କ ସହ କଥା ବି ହୋଇନି । ଯେଉଁମାନେ କ୍ଷମତା ଲୋଭୀ ସେମାନେ ଦଳ ବିରୋଧୀ କାମ କରୁଥିବେ, ମୁଁ ନୁହେଁ । ଯିଏ ମୋ’ ନାଁରେ ଅଭିଯୋଗ ଆଣୁଛନ୍ତି, ବିଜେପି ନେତାଙ୍କ ସହ ତାଙ୍କର ମାଳମାଳ ଫଟୋ ଦେଖିବାକୁ ମିଳୁଛି । ବିଜେଡିକୁ କେହି ଭାଙ୍ଗିପାରିବେନି ବୋଲି ନୃପେଶ କହିଛନ୍ତି । 

ବିଧାନସଭା ନିର୍ବାଚନ ସମୟରୁ ଏକାମ୍ର ଓ ମଧ୍ୟ ଭୁବନେଶ୍ୱରରେ ବିଜେଡି ଟିକଟକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ଉଗ୍ର ରୂପ ନେବାରେ ଲାଗିଛି । ଆଗକୁ ଏ ବିବାଦ ଆହୁରି ତେଜିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.