ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ବାପାଙ୍କୁ ଆଇନ ଅଧ୍ୟାପକଙ୍କ ହତ୍ୟା ଘଟଣା: ଜେଲ୍‌ ଗଲା ପିତୃହନ୍ତା, ୨୭ ଲକ୍ଷ ଋଣ କରିଥିଲେ

ଭୁବନେଶ୍ୱର,୦୫/୦୭: ମଞ୍ଚେଶ୍ୱର ଥାନା ରଙ୍ଗମାଟିଆସ୍ଥିତ ଡିଏଚପିଏଲ୍‌ ଆପାର୍ଟମେଣ୍ଟରେ ବାପାକୁ ପୁଅ ହତ୍ୟା କରିବା ଘଟଣାରେ ନୂଆ କଥା  ପଦାକୁ ଆସୁଛି । କେବଳ ଋଣ ବୋଝ ପାଇଁ ବାପା ସୁନିଲ ଚୌଧୁରୀଙ୍କୁ ଉଚ୍ଚଶିକ୍ଷିତ ପୁଅ ଅନିରୁଦ୍ଧ ହତ୍ୟା କରିଛି ନା ଅନ୍ୟ କିଛି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏବେ ପୁଲିସ୍‌ ଜାଣିବାକୁ ପାଇଛି ପୁଅକୁ ଋଣ ବୋଝରୁ ମୁକ୍ତ କରିବା ଲାଗି ବାପା ଅନୀଲ ନିଜ ନାମରେ ଥିବା ଏକ ଜମି ବିକିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ତା’ ପୂର୍ବରୁ ପୁଅ ଅନିରୁଦ୍ଧ ବାପାଙ୍କୁ ବୁଝି ନପାରି ତାଙ୍କ ପ୍ରାଣ ନେଇଗଲା । 

ଡିସିପି ପ୍ରତୀକ ସିଂହ କହିଛନ୍ତି, ଅନିରୁଦ୍ଧ ବିଦେଶରେ ଏଲ୍‌ଏଲ୍‌ଏମ୍‌ ଡିଗ୍ରୀ କରିଛନ୍ତି । ବାପା ସୁନୀଲ ତାଙ୍କୁ ପଢ଼ିବା ଲାଗି ବିଦେଶ ପଠାଇବା ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରିଥିଲେ । ପାଠ ପଢ଼ା ସରିଥିଲା । ଓଡ଼ିଶା ଆସି ଚାକିରି କରିଥିଲେ । ଯେଉଁ ବିଶ୍ୱବିଦ୍ୟାଳୟରେ ସେ ଲ’ ପ୍ରଫେସର ଭାବେ ପାଠ ପଢ଼ାଉଥିଲେ ସେଠାରେ ସାର୍ଟିଫିକେଟ୍‌ ଦେଇ ପାରିନଥିଲେ । ସେଥିପାଇଁ ସମୟ ମାଗିଥିଲେ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅନିରୁଦ୍ଧଙ୍କ ଠାରୁ ଏନେଇ ଏକ ଚୁକ୍ତିନାମା ଲେଖାଇ ନେଇଥିଲେ । ଚୁକ୍ତିରେ ଉଲ୍ଲେଖ ଥିଲା ସମୟ ଭିତରେ ସାର୍ଟିଫିକେଟ୍‌ ନ ଦେଲେ ଚାକିରି ହରାଇାବାକୁ ପଡିବ । ଏଥିରେ ଅନିରୁଦ୍ଧ ରାଜି ହୋଇଥିଲେ । 

ସେପଟେ ଅନିରୁଦ୍ଧ ବାହା ହେବା ପରେ ବହୁ କରଜ କରିଥିଲେ । ଦୁବାଇ, ସିଙ୍ଗାପୁର ଆଦି ବିଦେଶ ଭ୍ରମଣ କରିବା ସହ ବହୁ ବାଜେ ଖର୍ଚ୍ଚ କରି ପ୍ରାୟ ୨୭ ଲକ୍ଷ ଟଙ୍କା କରଜ କରିଦେଇଥିଲେ । ତାଙ୍କ ନିଜ ଦରମା ପଇସାରେ ସ୍ତ୍ରୀଙ୍କୁ ନେଇ ଚଳିବା ଅନିରୁଦ୍ଧଙ୍କ ପକ୍ଷରେ ସମ୍ଭବ ହେଉନଥିଲା । ତେଣୁ ବାପାଙ୍କ ହାତକୁ ଅପେକ୍ଷା କରିବାକୁ ପଡ଼ୁଥିଲା । ଏହା ଭିତରେ ସେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ସାର୍ଟିଫିକେଟ୍‌ ମାଗିଥିଲେ । ହେଲେ ସେ ଦେଇ ପାରିନଥିଲେ । ଚୁକ୍ତି ମୁତାବକ ସେ ଚାକିରିରୁ ଇସ୍ତଫା ଦେଇଥିଲେ । ଏହାକୁ ନେଇ ଅଧିକ ମାନସିକ ଚାପରେ ରହୁଥିଲେ । 

ତେଣୁ ନିଜେ ଚଳିବା ଓ କରଜ ଶୁଝିବାକୁ ସେ ବାପାଙ୍କୁ ଟଙ୍କା ମାଗୁଥିଲେ । ଏମିତିକି କିଛି ଜମି ବିକି ତାଙ୍କୁ ଟଙ୍କା ଦେବାକୁ କହୁଥିଲେ । ମାତ୍ର ବାପା ସୁନୀଲ ବାଜେ ଖର୍ଚ୍ଚ ପାଇଁ ଟଙ୍କା ଦେବେ ନାହିଁ ବୋଲି ରୋକଠେକ୍‌ ଶୁଣାଇ ଦେଇଥିଲେ । ଏହାକୁ ନେଇ ୮ ଦିନ ପୂର୍ବେ ବାପା ଓ ପୁଅଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା । ୩ ଦିନ ପୂର୍ବେ ଅନିରୁଦ୍ଧଙ୍କ ସ୍ତ୍ରୀ ବାପଘରକୁ ଚାଲିଯାଇଥିଲେ । କରଜ ବୋଝ ଓ ସ୍ତ୍ରୀ ବାପଘରକୁ ଚାଲିଯିବା ଭଳି ଘଟଣାରେ ବେଶ୍‌ ବିବ୍ରତ ହୋଇପଡ଼ିଥିଲେ ଅନିରୁଦ୍ଧ । ସେ ନିଜ ଫ୍ଲାଟ୍‌ ଛାଡି ବାପା-ମା’ଙ୍କ ପାଖକୁ ପଳାଇ ଆସିଥିଲେ । ଟଙ୍କା କଥାକୁ ନେଇ ଘରେ ମଧ୍ୟ ପାଟିତୁଣ୍ଡ ହୋଇଥିଲା । 

ସେପଟେ ତାଙ୍କ କେୟାର ଟେକର ଆଲୋକ କହିଛନ୍ତି, ପୁଅ ଅନିରୁଦ୍ଧକୁ ନ ଜଣାଇ କିଛି ଦିନ ତଳେ ପୁରୀରେ ଥିବା ଏକ ଜମି ବିକ୍ରି କରିବାକୁ ଚାହିଁଥିଲେ । ଏନେଇ ଦରଦାମ ଛିଡ଼ିନଥିଲା । ବାବୁ ୪୦ ଲକ୍ଷ କହୁଥିଲା ବେଳେ କିଣିବା ଲୋକ ୩୨ ଲକ୍ଷ କହୁଥିଲା । ବାବୁଙ୍କର ଲକ୍ଷ୍ୟ ଥିଲା ଜମି ବିକ୍ରି କରିବା ପରେ ସେ ଟଙ୍କା ପୁଅକୁ ଦେବା । ହେଲେ ଜମି ବିକିବା ପୂର୍ବରୁ ଅନିରୁଦ୍ଧ ତାଙ୍କ ବାପାଙ୍କୁ ଛୁରି ଭୁସି ହତ୍ୟା କରିଦେଲେ । 

ଗୁରୁବାର ସୁନୀଲଙ୍କ ଶବ ସତ୍କାର ସରିଛି । ପୁଲିସ୍‌ ଅନିରୁଦ୍ଧଙ୍କୁ କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବରୁ ତାକୁ ବିଚାର ବିଭାଗୀୟ ହାଜତ(ଝାରପଡ଼ା ଜେଲ୍‌)କୁ ପଠାଇ ଦିଆଯାଇଛି । ବାପାଙ୍କୁ ମାରିବା ପରେ ଅନିରୁଦ୍ଧଙ୍କ ମନରେ ଟିକେ ବି ଦୁଃଖ ନାହିଁ । ସେ ଥାନାରୁ ଜେଲ୍‌ ପର୍ଯ୍ୟନ୍ତ ସବୁ ଠି ବିନ୍ଦାସ ରହୁଥିଲେ । ହେଲେ ରାତିରେ ଜେଲ୍‌ରେ ଖାଇନଥିଲେ । 

ସେ ଦୀର୍ଘ ୧୦ ବର୍ଷ ହେବ ମୃତ ସୁନୀଲଙ୍କ ପଡ଼ୋଶୀମାନେ ତାଙ୍କ ପରିବାର ସଦସ୍ୟ ସମସ୍ତଙ୍କୁ ଭଲ ଭାବେ ଜାଣିଛନ୍ତି । ଅନିରୁଦ୍ଧ ଶାନ୍ତ ସ୍ୱଭାବର ଥିଲେ । ସେ ତାଙ୍କ ବାପାଙ୍କୁ ହତ୍ୟା କରିଛି ବୋଲି କେହି ଗ୍ରହଣ କରିପାରୁନାହାନ୍ତି । ସେପଟେ ବୋହୂ କଥାରେ ପଡ଼ି ସମ୍ପତ୍ତି ପାଇଁ ବାପାକୁ ମାରି ଦେଇଥିବା ପଡୋଶୀମାନେ କହିଛନ୍ତି । ଅନିରୁଦ୍ଧଙ୍କ ମା’ ଏବେ ବାରମ୍ବାର ଚେତା ହରାଉଛନ୍ତି ।  ତେବେ ଡିସିପି ଶ୍ରୀ ସିଂହ କହିଛନ୍ତି, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ । ସେମାନଙ୍କୁ ପଚରାଉଚରା କରାଯିବ । ଅନିରୁଦ୍ଧ ପତ୍ନୀଙ୍କୁ ବି ଜେରା କରାଯିବ ବୋଲି ଡିସିପି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.