ନୂଆଦିଲ୍ଲୀ: ଅଶାନ୍ତ ହୋଇପଡିଛି ପଡୋଶି ଦେଶ ନେପାଳ। ରାଜତନ୍ତ୍ର ଓ ହିନ୍ଦୁ ଶାସନକୁ ସମର୍ଥନ କରି ବାହାରିଥିବା ଏକ ରାଲିରେ ନେପାଳି ସୁରକ୍ଷା କର୍ମୀ ଓ ସମର୍ଥକ ମାନଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଅନେକ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି।
ପୋଲିସ ଓ ସମର୍ଥକ ମାନଙ୍କ ମଧ୍ୟରେ ହୋଇଥିବା ଏହି ସଂଘର୍ଷ ଅତ୍ୟନ୍ତ ଉଗ୍ର ରୂପ ଧାରଣ କରିଛି। ସମର୍ଥକ ମାନେ ଉତ୍ୟକ୍ତ ହୋଇ ଅନେକ ଘର ଓ ଗାଡିରେ ନିଆଁ ଲଗାଇ ଦେଇଛନ୍ତି। ଅନ୍ୟପଟେ ପରିସ୍ଥିତିକୁ ନିଜ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ଏକାଧିକ ଲୁହ ବୁହା ଗ୍ୟାସ ସହ ରବର ବୁଲେଟର ପ୍ରୟୋଗ କରିଥିବା ଜଣାପଡିଛି। ନେପାଳର ଟିଙ୍କୁନେ, ସିନାମଙ୍ଗଲ ଓ କୋଟେସ୍ୱର ଅଞ୍ଚଳରେ ପୋଲିସ କର୍ଫ୍ୟୁ ଜାରି କରିଥିବା ଜଣାପଡିଛି।
ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ହୋଇଥିବା ରିପୋର୍ଟ ମୁତାବକ, ନେପାଳରେ ରାଜତନ୍ତ୍ର ଓ ହିନ୍ଦୁ ଶାସନକୁ ସମର୍ଥନ କରି ସମର୍ଥକମାନେ ଏକ ରାଲିର ଆୟୋଜନ କରିଥିଲେ। ଏଣୁ ବିଶୃଙ୍ଖଳାକୁ ଏଡେଇବା ପାଇଁ ସୁରକ୍ଷା କର୍ମୀମାନଙ୍କୁ ନିୟୋଜିତ କରାଯାଇଥିଲା। ତେବେ ସମର୍ଥକମାନେ ପ୍ରଥମେ ପୋଲିସ ଉପରେ ପଥର ମାଡ କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀମାନେ ଭିଡ ନିୟନ୍ତ୍ରଣ କରିବାକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲେ।
ଉଭୟ ସୁରକ୍ଷା କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ଉତକ୍ଷିପ୍ତ ସମର୍ଥକମାନେ ନିକଟସ୍ଥ ଏକ ବିଜନେସ କମ୍ଲେକ୍ସ, ସପିଂ ମଲ, ଏକ ରାଜନୈତିକ ଦଳ ହେଡକ୍ୱାଟର ଓ ଏକ ଗଣମାଧ୍ୟମ ସଂସ୍ଥାରେ ନିଆଁ ଲଗାଇଦେଇଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ଏକାଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।
ଆପଣଙ୍କୁ ଜଣାଇଖୁ ଯେ ୨୦୦୮ ମସିହାରେ ସଂସଦରେ ଆଗତ ନିୟମ ଅନୁସାରେ ନେପାଳର 240 ବର୍ଷ ଧରି ଚାଲିଥିବା ରାଜତନ୍ତ୍ରକୁ ଉଚ୍ଛେଦ କରାଯାଇଥିଲା। ନେପାଳକୁ ଏକ ହିନ୍ଦୁ ରାଷ୍ଟ୍ରରୁ ହଟାଇ ଏହାକୁ ଏକ ଧର୍ମ ନିରପେକ୍ଷ, ସଂଘୀୟ, ଗଣତାନ୍ତ୍ରୀକ ଗଣତନ୍ତ୍ର ଦେଶ ଭାବେ ଘୋଷଣା କରାଯାଇଥିଲା। ତେବେ ଏହାପରେ ନେପାଳରେ ଅନେକ ରାଜନୈତିକ ଅସ୍ଥିରତା ଦେଖାଯାଇଥିଲା। ବିଗତ ୧୬ ବର୍ଷ ମଧ୍ୟରେ ନେପାଳରେ ୧୩ ଥର ସରକାର ପରିବର୍ତ୍ତନ ହେଲାଣି। ଏହାସହ ନେପାଳର ଅର୍ଥନୀତିରେ ଅବନତି ପରିଲକ୍ଷିତ ହେବା ସହ ଦେଶରେ ଦୁର୍ନିତି ମଧ୍ୟ ଚରମ ସ୍ତରରେ ପହଞ୍ଚିଛି।
ଏହାର ବିରୋଧ କରି ନେପାଳର ଯୁବକମାନେ ନେପାଳରେ ଫୁଣିଥରେ ରାଜତନ୍ତ୍ର ଫେରାଇ ଆଣିବାକୁ ଚାହୁଁଛନ୍ତି। ନେପାଳର ରାଜା ଜ୍ଞାନେନ୍ଦ୍ର ଶାହ ମଧ୍ୟ ନେପାଳରେ ରାଜତନ୍ତ୍ର ଫେରିଆସୁ ବୋଲି ଘୋଷଣା କରିଛନ୍ତି। ଏଥିପାଇଁ ନେପାଳ ଲୋକମାନେ ତାଙ୍କ ସମର୍ଥନରେ ରାଲି ଆରମ୍ଭ କରିଛନ୍ତି। ତେବେ ଏହି ହିଂସା କାଠମାଣ୍ଡୁ ଅଞ୍ଚଳକୁ ନ ବ୍ୟାପିବା ପାଇଁ ଶତାଧିକ ସୁରକ୍ଷା କର୍ମିଙ୍କୁ ନେପାଳ ସରକାର କାଠମାଣ୍ଡୁ ଅଞ୍ଚଳରେ ନିୟୋଜିତ କରିଛନ୍ତି।