ପ୍ରମୂଖ ଖବର
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ସାଧାରଣ ଜନତାଙ୍କ ପାଇଁ ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଦରବାର, ପ୍ରଥମ ଶୁଣାଣିରେ ଭୂମିହୀନ ବୃଦ୍ଧଙ୍କୁ ଜାଗା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ଵର, ୦୧/୦୭ : ଦୀର୍ଘ ୧୬ ବର୍ଷ ପରେ ସାଧାରଣ ଜନତାଙ୍କ ପାଇଁ ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଦରବାର। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୋହନ ମାଝୀ। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଉପସ୍ଥିତ ଅଛନ୍ତି। ନିଜର ଦୁଃଖ ଶୁଣାଇବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ଲୋକ ଧାଇଁ ଆସିଛନ୍ତି। ମୁଖ୍ୟମନ୍ତ୍ରୀ କେନ୍ଦୁଝର ଆନନ୍ଦପୁରରୁ ଆସିଥିବା ବୃଦ୍ଧଙ୍କ ପ୍ରଥମ ଅଭିଯୋଗ ଶୁଣିଛନ୍ତି। ପ୍ରଥମ ଶୁଣାଣିରେ ଭୂମିହୀନ ବୃଦ୍ଧଙ୍କୁ ଜାଗା ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବ ସରକାରରେ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ପତ୍ର ଗ୍ରହଣ କରାଯାଉଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଆସୁନଥିଲେ। ସରକାର ବଦଳିବା ସହ ଏହି ଧାରା ବଦଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସକାଳୁ ସକାଳୁ ଆସି ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଛନ୍ତି। ଗୋଟି ଗୋଟି କରି ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ଲୋକଙ୍କ ଦୁଃଖ ବୁଝିଛନ୍ତି। ୧୫ ବର୍ଷ ସମସ୍ୟାର ମାତ୍ର ୧୦ ମିନିଟରେ ସମାଧାନ କରିଛନ୍ତି।  

ଅଭିଯୋଗ ଶୁଣାଣି ପାଇଁ କିଭଳି କରିବେ ନାମ ପଞ୍ଜୀକରଣ ?

ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ ଦେବା ପାଇଁ ପ୍ରଥମେ ନିଜ ନାଁ ପଞ୍ଜୀକରଣ କରିବାକୁ ହେବ। ୱେବସାଇଟ୍‌, ପୋର୍ଟାଲ, ଚିଠି ଓ ଇ-ମେଲ ମାଧ୍ୟମରେ ନାଁ ପଞ୍ଜୀକରଣ କରିହେବ। ଲୋକେ ୟୁନିଟ୍‌-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ଖୋଲିଥିବା ୧୦ଟି କାଉଣ୍ଟରରେ ସିଧାସଳଖ ଅଭିଯୋଗ ପଞ୍ଜୀକରଣ କରିପାରିବେ । ସକାଳ ୯ଟାରୁ ଦିନ ୧୨ଟା ଯାଏ ଏଠାରେ ନାମ ପଞ୍ଜୀକରଣ ଚାଲିବ ।  www.janasunani.odisha.gov.in ୱେବସାଇଟ୍‌କୁ ଯାଇ ଲୋକେ ନାମ ପଞ୍ଜୀକରଣ କରିବେ। ୱେବସାଇଟ୍‌ରେ ପ୍ରଥମେ ନିଜର ପୂରା ନାମ ଓ ମୋବାଇଲ ନମ୍ବର ଦେବା ସହ ଏକ ପାସ୍‌ୱାର୍ଡ ଦେଇ ସାଇନ ଅପ୍‌ କରିବାକୁ ହେବ। ଏହାପରେ ଲଗ୍‌ ଇନ୍‌ କରି ନିଜ ଅଭିଯୋଗ ପଞ୍ଜୀକରଣ କରିବାକୁ ପଡ଼ିବ। ଏହାପରେ ଯାଇ ନିଜ ପାଳି ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । 

ସେହିଭଳି ୬୩୭୦୯୫୧୯୩୦ ହ୍ୱାଟସ୍‌  ଆପ୍‌ ନମ୍ବରକୁ ମେସେଜ୍‌ କରି ନିଜ ନାମ ପଞ୍ଜୀକରଣ କରିହେବ । ଇ-ମେଲ୍‌ ଓ ଚିଠି ମାଧ୍ୟମରେ ମଧ୍ୟ ପଞ୍ଜୀକରଣ କରିପାରିବେ ।  ଦିନ ୧୧ଟାରୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ଆରମ୍ଭ କରିବେ । ପ୍ରତି ସୋମବାର ଏହି ଅଭିଯୋଗ ଶୁଣାଣି ଚାଲିବ । ମୁଖ୍ୟମନ୍ତ୍ରୀ ଯେଉଁ ସମ୍ମିଳନୀ କକ୍ଷରେ ବସି ଅଭିଯୋଗ ଶୁଣିବେ ସେଠାରେ ଏକକାଳୀନ ୩୦ ଜଣ ଲୋକ ବସିପାରିବେ । ଏହାଛଡ଼ା ଅନ୍ୟ ସମସ୍ତଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯିବ । ସମସ୍ତଙ୍କ ପାଇଁ ପାନୀୟଜଳ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି । 

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସବୁ ବିଭାଗର ମନ୍ତ୍ରୀମାନେ ଉପସ୍ଥିତ ରହିବେ ବୋଲି ନିଜେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସବୁ ବିଭାଗର ସମସ୍ୟା ଶୁଣିବା ସହ ଅଭିଯୋଗକୁ ସଂପୃକ୍ତ ବିଭାଗକୁ ପଠାଇବେ । ବିଭାଗୀୟ ମନ୍ତ୍ରୀମାନେ ତ୍ୱରିତ ପଦକ୍ଷେପ ନେଇ ଅଭିଯୋଗ ସମାଧାନ ବ୍ୟବସ୍ଥା କରିବେ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସୁବିଧାରେ ନାମ ପଞ୍ଜୀକରଣ ପାଇଁ ବାରିକେଡ୍‌ ବ୍ୟବସ୍ଥା ହୋଇଛି । ଲୋକେ ପ୍ରଥମେ ଧାଡ଼ିରେ ରହି ପଞ୍ଜୀକରଣ କରିବେ । ଲୋକଙ୍କୁ ବର୍ଷା ଓ ଖରାରୁ ରକ୍ଷା ପାଇଁ ପର୍ଯ୍ୟାପ୍ତ ସେଡ୍‌ ବ୍ୟବସ୍ଥା ହୋଇଛି । ଦିବ୍ୟାଙ୍ଗଙ୍କୁ ଛିଡ଼ା ନ କରି ବସାଇବା ସୁବିଧା କରାଯାଇଛି । ଜରୁରିକାଳୀନ ଚିକିତ୍ସା ପାଇଁ ଅଭିଯୋଗ ପ୍ରକୋଷ୍ଠ ପରିସରରେ ଆଶୁ ଚିକିତ୍ସା ସୁବିଧା ରହିବ । ଏଠାରେ କ୍ୟାପିଟାଲ ହସ୍ପିଟାଲର ଡାକ୍ତର ନିୟୋଜିତ ହେବେ । ପ୍ରାଥମିକ ଚିକିତ୍ସା ସେବା ପାଇଁ ସବୁ ସୁବିଧା ରହିବ । ଗୋଟିଏ ଆମ୍ବୁଲାନ୍ସ ମଧ୍ୟ ମହଜୁଦ ରହିବ । ଏହାବାଦ୍‌ ମୁଖ୍ୟମନ୍ତ୍ରୀଙ୍କ ବିଶ୍ରାମ ପାଇଁ ଏକ ସ୍ୱତନ୍ତ୍ର ବିଶ୍ରାମ କକ୍ଷ ରହିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.