ଭୁବନେଶ୍ବର, ୨୩।୨ : ମହାକୁମ୍ଭ ଅବସରରେ ପ୍ରୟୋଗ ରାଜ୍ ତ୍ରିବେଣୀ ସଙ୍ଗମ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ବୁଡ ପକାଇଛନ୍ତି। ପ୍ରୟାଗରେ ପବିତ୍ର ମହାକୁମ୍ଭରେ ବୁଡ ପକାଇବା ଏକ ଅସାଧାରଣ ସୌଭାଗ୍ୟ ଏବଂ ଏକ ଗଭୀର ଆଧ୍ୟାତ୍ମିକ ଅନୁଭୂତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହା ବିଶ୍ୱାସ, ପରମ୍ପରା ଏବଂ ଇଶ୍ୱରୀୟତାର ଏକ ମିଳନ । ତ୍ରିବେଣୀ ସଙ୍ଗମରେ ଥିବା ପବିତ୍ର ସ୍ନାନ ପ୍ରାଣର ଶୁଦ୍ଧତା, ମାନବିକତାର ଏକତା , ଜ୍ଞାନ ଏବଂ ଭକ୍ତିର ଅନନ୍ତ ପ୍ରବାହର ପ୍ରତୀକ ଅଟେ।ଦେଶ ତଥା ଦେଶ ବାହାରେ ଥିବା କୋଟି କୋଟି ଭକ୍ତ ଏଠାରେ ଅପାର ବିଶ୍ବାସ ସହିତ ଏକାଠି ହେଉଛନ୍ତି। ଏହି ପରିବେଶ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଆଧ୍ୟାତ୍ମିକ ନୈତିକତାର ପ୍ରତିଫଳନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥକୁ ଫୋନରେ କଥା ହୋଇ ପ୍ରୟାଗରାଜରେ ଏଭଳି ପ୍ରସ୍ତୁତି ପାଇଁ ଧନ୍ୟବାଦ ଜଣାଇଥିଲେ। ଏଥିସହ ଉତ୍ତରପ୍ରଦେଶ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ପ୍ରୟାଗରାଜରେ ବୁଡ ପକାଇବା ଓ ଆଳତି କରାଇବାରେ ସହଯୋଗ କରିଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।