ଉମରକୋଟ,୨୩/୨ : ଓଡିଶା ଛତିଶଗଡ଼ ସୀମାନ୍ତ ଉଦନ୍ତୀ ସୀତାନଦି ଅଭୟାରଣ୍ୟର ଉରୁତୁଲି ଘାଟ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଆହତ ହୋଇଥିବା କଲରାପତରିଆ ବାଘର ରାୟପୁର ଜଙ୍ଗଲ ସଫାରିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୫ଟା ସମୟରେ କଲରାପତରିଆ ବାଘ ଗୁରୁତର ହୋଇଥିବା ଖବର ବନ ବିଭାଗ ପାଇ, ବିଭାଗର ଏକ ଦଳ ଏହାକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଗରିଆବନ୍ଧଠାରେ ପ୍ରାଥମିକ ଚିକିତ୍ସା କରିଥିଲେ। କଲରାପତରିଆ ବାଘର ଅବସ୍ଥା ବିଗିଡି ଚାଲିଥିବାରୁ ବନ ବିଭାଗ ଉନ୍ନତ ଚିକିତ୍ସା ପାଇଁ ଏହାକୁ ରାୟପୁର ଜଙ୍ଗଲ ସଫାରିକୁ ପଠାଇ ଦେଇଥିଲେ । ଡାକ୍ତରଙ୍କ ଦଳ ସେଠାରେ ପହଞ୍ଚିବା ମାତ୍ରେ ସେମାନେ ତୁରନ୍ତ ଆବଶ୍ୟକ ଚିକିତ୍ସା ଆରମ୍ଭ କରିଥିଲେ, କିନ୍ତୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଯୋଗୁଁ କଲରାପତରିଆ ବାଘ ମୃତ୍ୟୁର ମୁଖ୍ୟ କାରଣ ବୋଲି ଅନୁମାନ କରାଯାଉଛି।