ତାଳଚେର, ୨୩/୦୨: ଦୁଇ ପରିବାରର ସହମତିରେ ଧୁମ୍ଧାମରେ ବାହାଘର ଓ ଭୋଜିଭାତ ହେଲା । ବରକନ୍ୟା ଘରକୁ ଫେରିଲେ । ତିନିଦିନ ଶାଶୂଘରେ ରହିବା ପରେ ନବବଧୂ ଚତୁର୍ଥୀ ଦିନ ସକାଳୁ ହଠାତ୍ ପ୍ରେମିକ ସାଙ୍ଗରେ ଯିବାକୁ ଜିଦ୍ ଧରିଲେ । ବହୁ ବୁଝାସୁଝା ପରେ ବି ସେ ଶୁଣିଲେନି । ଏକା ଜିଦ୍ ସେ ପ୍ରେମିକ ସହ ରହିବେ । ଶେଷରେ ଥାନାକୁ କଥା ଗଲା । ଦୁଇ ପରିବାର ଲୋକଙ୍କ ଉପସ୍ଥିତିରେ ଚୁକ୍ତିନାମା ଲେଖି ପ୍ରେମିକ ସାଙ୍ଗରେ ଯାଇଛନ୍ତି ନବବଧୂ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତାଳଚେର ଥାନା ଇଲାକାରେ ।
ସୂଚନା ଅନୁଯାୟୀ, ତାଳଚେର ଟାଉନ୍ ଅଞ୍ଚଳର ଜଣେ ଯୁବକଙ୍କର ବଅଁରପାଳ ଥାନା ଇଲାକାର ଜଣେ ଯୁବତୀଙ୍କ ସହ ବିବାହ ଠିକ୍ ହୋଇଥିଲା । ସେ ଥିଲେ ଘରର ବଡ଼ ଝିଅ । ବିବାହ ସ୍ଥିର ହେବା ପରେ ସମ୍ପୃକ୍ତ ଯୁବତୀ ତାଙ୍କ ପ୍ରେମିକ ସହ ଫେରାର୍ ହୋଇଯାଇଥିଲେ । ଯେହେତୁ ବିବାହ ସ୍ଥିର ହୋଇସାରିଛି ସମ୍ପୃକ୍ତ ଯୁବତୀଙ୍କ ସାନ ଭଉଣୀକୁ ପରିବାର ଲୋକ ଧାର୍ଯ୍ୟ ସ୍ଥାନରେ ବିବାହ କରିବାକୁ କହିଥିଲେ । ସେତେବେଳେ ସାନ ଭଉଣୀ ତାଙ୍କର ଅନ୍ୟ ଜଣେ ଯୁବକ ସହ ପ୍ରେମ ସମ୍ପର୍କ ଥିବା ଜଣାଇବାକୁ ସାହସ ଜୁଟାଇ ପାରିନଥିଲେ । ପରିବାର ଲୋକଙ୍କ ବାଧ୍ୟବାଧକତାରେ ବିବାହ କରିବାକୁ ହଁ ଭରିଥିଲେ । ଗତ ୧୮ ତାରିଖରେ ବୈଦିକ ରୀତିନୀତି ଅନୁଯାୟୀ ବିବାହ ସମ୍ପନ୍ନ ହୋଇଥିଲା । ଭୋଜିଭାତ ହସଖୁସି ଭିତରେ ତିନି ଦିନ ଧରି ଶାଶୂଘରେ ରହିଥିଲେ ନବବଧୂ । ମାତ୍ର ଭିତରେ ଭିତରେ ପ୍ରେମିକକୁ ଝୁରୁଥିଲେ।
ଶୁକ୍ରବାର ଚତୁର୍ଥୀ ଥିବା ବେଳେ ସକାଳେ ହଠାତ୍ ନବବଧୂ ଏ ପ୍ରସଙ୍ଗରେ ମୁହଁ ଖୋଲିଥିଲେ । ୭ ବର୍ଷ ଧରି ସେ ଜଣେ ଯୁବକଙ୍କୁ ପ୍ରେମ କରୁଥିବା ଓ ତାଙ୍କୁ ବିବାହ କରିବାକୁ ଚାହୁଁଥିବା ଶାଶୂଘର ଲୋକଙ୍କୁ ନବବଧୂ ସାହସ ଜୁଟାଇ ଜଣାଇଥିଲେ । ନିଜ ଇଚ୍ଛା ବିରୋଧରେ ପରିବାର ଲୋକଙ୍କ ବାଧ୍ୟବାଧକତାରେ ବିବାହ କରିଥିବା କହିବା ସହ ଏଠାରେ ରହିବାକୁ ଚାହୁଁନଥିବା ଜଣାଇଥିଲେ । ଏହାଶୁଣି ନବବିବାହିତ ଯୁବକ ଓ ତାଙ୍କ ପରିବାର ଲୋକ ସ୍ତବ୍ଧ ହୋଇଯାଇଥିଲେ । ନବବଧୂଙ୍କ ପରିବାର ଲୋକେ ଆସି ତାଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେ କୌଣସି କଥା ଶୁଣିନଥିଲେ । ଗୋଟିଏ ଜିଦ୍ ସେ ପ୍ରେମିକ ସହ ରହିବେ । ଶେଷରେ କଥା ତାଳଚେର ଥାନାକୁ ଯାଇଥିଲା । ସେଠାରେ ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ନବବଧୂ ଚୁକ୍ତିନାମା ଲେଖି ପ୍ରେମିକଙ୍କ ସହ ଯାଇଥିଲେ । ଏବେ ସେ ଯେଉଁ ଯୁବକଙ୍କୁ ବିବାହ କରିଛନ୍ତି ଓ ଛାଡ଼ିଯାଉଛନ୍ତି ତାଙ୍କୁ ଭବିଷ୍ୟତରେ କୌଣସି ପ୍ରକାର ହଇରାଣ ହରକତ କରିବେ ନାହିଁ ବୋଲି ଚୁକ୍ତିନାମାରେ ଉଲ୍ଲେଖ କରିଛନ୍ତି । ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।