ଝାରସୁଗୁଡ଼ା,୨୩/୦୨: ଶ୍ରୀମନ୍ଦିର ‘ଅମୃତ ଅନ୍ନ’ରେ ବ୍ୟବହାର ହେବ ଝାରସୁଗୁଡ଼ା ଜିଲ୍ଲା ୧୯ ଖଣ୍ଡ ମୌଜାର ଚଇତୁ ମୁଗ । ହୀରାକୁଦ ଜଳଭଣ୍ଡାର ନିକଟବର୍ତ୍ତୀ ଅଞ୍ଚଳରେ ବହୁଳ ପରିମାଣରେ ଉତ୍ପାଦିତ ହେଉଥିବା ଏହି କିସମର ମୁଗ ସ୍ୱାଦିଷ୍ଟ ଏବଂ ସୁଗନ୍ଧଯୁକ୍ତ । ଏହାର ସ୍ୱତନ୍ତ୍ରତା ରହିଛି । ସଂପୂର୍ଣ୍ଣ ଜୈବିକ ପ୍ରଣାଳୀରେ ଏହାର ଚାଷ କରାଯାଉଛି ।
ମହାପ୍ରଭୁଙ୍କ ଭୋଗ ପାଇଁ ଆବଶ୍ୟକ ଚଇତୁ ମୁଗ ଯୋଗାଇବାକୁ ଦେଶୀ ବିହନ ଧାନ ସଂରକ୍ଷକ ତଥା ଜୈବିକ କୃଷିକୁ ପ୍ରୋତ୍ସାହନ ଦେଉଥିବା ଚାଷୀ ସୁଦାମ ସାହୁଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏନେଇ ସେ ‘ପ୍ରମେୟ’କୁ ସୂଚନା ଦେଇଛନ୍ତି । ଝାରସୁଗୁଡ଼ାର ଚଇତୁ ମୁଗ ଶ୍ରୀଜିଉଙ୍କ ଭୋଗରେ ଲାଗିବ ବୋଲି ଜଣାପଡ଼ିବା ପରେ ଜୈବିକ କୃଷିକୁ ଆପଣାଇଥିବା ଜିଲ୍ଲା ଚାଷୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖାଦେଇଛି ।
ଶ୍ରୀମନ୍ଦିରରେ ଖୁବ୍ଶୀଘ୍ର କାର୍ଯ୍ୟକାରୀ ହେବ ‘ଅମୃତ ଅନ୍ନ' ପ୍ରକଳ୍ପ । ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ପ୍ରସ୍ତୁତ ଶସ୍ୟ ଓ ପନିପରିବାରେ ଠାକୁରଙ୍କ ଭୋଗ ପ୍ରସ୍ତୁତ ହେବ । ମହାପ୍ରସାଦ ଓ କୋଠଭୋଗରେ ଜୈବିକ ଚାଉଳ ବ୍ୟବହାର କରାଯିବ । ନିକଟରେ ଶେଷ ହୋଇଥିବା ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମରେ ଏହି ପ୍ରସ୍ତାବ ଦିଆଯାଇଥିଲା । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶ୍ରୀମନ୍ଦିର ପ୍ରଶାସକ ତଥା କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀଙ୍କ ସହ ବିସ୍ତୃତ ଆଲୋଚନା କରିସାରିଛନ୍ତି ।
ଝାରସୁଗୁଡ଼ାର ଚାଷୀ ସୁଦାମ ସାହୁ ଏବଂ ନିଆଳିର ଚାଷୀ ନଟବର ଷଡ଼ଙ୍ଗୀ ଶ୍ରୀମନ୍ଦିରରେ ଜୈବିକ ଶସ୍ୟ ଓ ପନିପରିବା ବ୍ୟବହାରକୁ ଗୁରୁତ୍ୱ ଦେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ଏହାକୁ ରାଜ୍ୟ ସରକାର ମଧ୍ୟ ଗୁରୁତ୍ୱର ସହ ନେଇଛନ୍ତି । ଗତ ୧୨ ତାରିଖରେ ରାଜ୍ୟ କୃଷି ଭବନରେ ବୈଠକ ଡକାଯାଇ ଏସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି । ଠାକୁରଙ୍କ ଭୋଗରେ ଲାଗିବାକୁ ଥିବା ଜୈବିକ ଚାଉଳ ଓ ମୁଗ କିପରି ସୁବିଧାରେ ସଂଗ୍ରହ କରାଯିବ ସେ ନେଇ ବୈଠକରେ ଶ୍ରୀମନ୍ଦିର ପ୍ରଶାସକ ଶ୍ରୀ ପାଢ଼ୀ ଗୁରୁତ୍ୱ ଦେଇଥିଲେ ।
ଚାଷୀ ସୁଦାମ ସାହୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପଶ୍ଚିମ ଓଡ଼ିଶାରେ ବହୁଳ ପରିମାଣରେ ଜୈବିକ ଉପାୟରେ ଦେଶୀ କିସମ ଝିଲ୍ଲି ଧାନ ଚାଷ ହେଉଛି । ଏହି ଧାନରୁ ପ୍ରସ୍ତୁତ ଚାଉଳ ଶ୍ରୀମନ୍ଦିରକୁ ଯୋଗାଇ ଦିଆଯିବ । ଆଗାମୀ ଖରିଫ୍ ଋତୁରୁ ଏହା ଯେପରି ନିୟମିତ ଯୋଗାଣ ହେବ ସେହି ଦାୟିତ୍ୱ ତାଙ୍କୁ ଦିଆଯାଇଛି । କୋଠ ଭୋଗ ପ୍ରସ୍ତୁତ ପାଇଁ ଦିନକୁ ଏକ କୁଇଣ୍ଟାଲ ଚାଉଳ ଏବଂ ୨୫ କିଲୋଗ୍ରାମ ମୁଗ ଦରକାର । ଷାଠିଏ ପଉଟି ଭୋଗରେ ୭ରୁ ୮ କୁଇଣ୍ଟାଲ ଚାଉଳ ଏବଂ ପ୍ରାୟ ଦୁଇ କୁଇଣ୍ଟାଲ ମୁଗ ଲାଗିଥାଏ । କୋଠ ଭୋଗ ପାଇଁ ଅପେକ୍ଷାକୃତ କମ୍ ପରିମାଣର ମୁଗ ଆବଶ୍ୟକ ।
ସେଇଥିପାଇଁ ଲଖନପୁର ବ୍ଲକର ୧୯ ଖଣ୍ଡ ମୌଜାରେ ଉତ୍ପାଦନ ହେଉଥିବା ଚଇତୁ ମୁଗକୁ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଛି । ତଦନୁଯାୟୀ ଆବଶ୍ୟକ ମୁଗ ଯୋଗାଇବେ ବୋଲି ସେ ବୈଠକରେ ପ୍ରସ୍ତାବ ଦେବା ପରେ ତାଙ୍କୁ ଏ ଦିଗରେ ଆଗେଇବା ପାଇଁ କୁହାଯାଇଛି । ଚଇତୁ ମୁଗ ବିହନ ଯେଭଳି ମିଶ୍ରିତ ହେବ ନାହିଁ ଏବଂ ଝିଲ୍ଲି ଧାନର ପବିତ୍ରତା ଯେପରି ରକ୍ଷା ହେବ³ ସେ ଦିଗରେ ଦାୟିତ୍ୱବାନ୍ ହୋଇ କାମ କରିବେ ବୋଲି ସଂକଳ୍ପ ନେଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନର ଏଭଳି ନିଷ୍ପତ୍ତି ଝାରସୁଗୁଡ଼ା ଜିଲ୍ଲା ୧୯ ଖଣ୍ଡ ମୌଜାର ଚଇତୁ ମୁଗକୁ ବଡ଼ ସ୍ୱୀକୃତି ବୋଲି କହିଛନ୍ତି ଚାଷୀ ସୁଦାମ ।