ପ୍ରମୂଖ ଖବର
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଟାହିଟାପରା ଭିତରେ ଜାଗିଲା ସ୍ୱାଭିମାନ, ଆଉ ଭିକ ନମାଗି ଗୋରୁ ଜଗୁଛି ଛୁଟା

Published By : Prameya | February 11, 2025 12:46 PM

ବଲାଙ୍ଗିର ୧୧/୦୨: ମୁଣ୍ଡ ଗୁଞ୍ଜିବାକୁ ଥିଲା ଖଣ୍ଡେ ଚାଳିଆ ଘର । ଅଧ ଏକର ଚାଷ ଜମିରେ ବର୍ଷକ ପାଇଁ ଏଣୁତେଣୁ ଅମଳ ହେଇଯାଉଥିଲା । ତଥାପି ୪ ପ୍ରାଣୀଙ୍କୁ ଚଳେଇବା ପାଇଁ ଗାଁ ଗାଁ ବୁଲି ଭିକ ମାଗୁଥିଲେ ‘ଛୁଟା’ । ନିଜକୁ ଅପରାଗ ଭାବି ସବୁଥାଇ ଦୀର୍ଘ ୧୫ବର୍ଷ ଧରି ଭିକ୍ଷାବୃତ୍ତି କରୁଥିଲେ । ଦୁଇବର୍ଷ ତଳେ ଲୋୟର ସୁକତେଲ ପ୍ରକଳ୍ପ ପାଣିରେ ଗାଁ ବୁଡ଼ିଲା । ବିସ୍ଥାପିତଙ୍କୁ ପ୍ରଶାସନ ଜବରଦସ୍ତ ଆଣି ଅସ୍ଥାୟୀ କଲୋନିରେ ରଖିଲା । ମୁଣ୍ଡ ଗୁଞ୍ଜିବାକୁ ସରକାର ଛାତ ସିନା ଦେଲେ; ହେଲେ ପରିବାର ଖାଇବେ କ’ଣ ? ପୁଣି ‘ଛୁଟା’ ହାତରେ ବ୍ୟାଗ ଏବଂ ବାଡ଼ି ଖଣ୍ଡିଏ ଧରି ଭିକ ମାଗିବାକୁ ବାହାରିଲେ । ଗାଁ କଥା ଅଲଗା ଥିଲା, ଥଇଥାନ କଲୋନିରେ ଭିକ ମାଗିବା ପାଇଁ ହଟହଟା ହେବାକୁ ପଡ଼ିଲା । ବାମ ହାତ-ଗୋଡ଼ ଅଚଳ ସତ୍ତେ୍ୱ ଭେଣ୍ଡିଆ ପିଲା ଭିକ ମାଗୁଥିବା ଦେଖି ଲୋକେ ଧିକ୍କାର କଲେ । ଟାହିଟାପରା ଭିତରେ ସ୍ୱାଭିମାନ ଜାଗିଲା । ଛୋଟ ପୁଅର ଭବିଷ୍ୟତ ପାଇଁ ‘ଛୁଟା’ ଭିକ ମାଗିବା ଛାଡ଼ିଦେଲେ । ଏବେ ସେ ଗାଁରେ ଗୋରୁ ଜଗୁଛନ୍ତି । ଯାହା ରୋଜଗାର କରୁଛନ୍ତି; ହସଖୁସିରେ ଚଳୁଛି ପରିବାର । 

ଲୋୟର ସୁକତେଲ ପ୍ରକଳ୍ପ ପାଇଁ ବିସ୍ଥାପନର ଅନେକ ଘଟଣା ଭିତରେ ‘ଛୁଟା’ ଓରଫ ଅକ୍ଷୟ ପଟନିଆଙ୍କ ଜୀବନ କାହାଣୀ ଦୃଷ୍ଟାନ୍ତମୂଳକ । ଲୋୟର ସୁକତେଲ ବୁଡ଼ି ଅଞ୍ଚଳ ଅନ୍ତର୍ଗତ ବନଛୋରପାଲିରେ ସେ ରହୁଥିଲେ । ଥଇଥାନ ପରେ ଏବେ କୁସମେଲ ଅସ୍ଥାୟୀ କଲୋନିରେ ସପରିବାର ରହୁଛନ୍ତି । ଅକ୍ଷୟଙ୍କ ପରିବାର କହିଲେ ବୁଢ଼ୀ ମା’ ଫଟୁ, ସ୍ତ୍ରୀ ଲଳିତା ଏବଂ ଅଢ଼େଇ ବର୍ଷର ପୁଅ ଆଦିତ୍ୟ । ବନଛୋରପାଲିରେ ସେମାନଙ୍କ ୦.୨ ଡିସିମିଲର ଘରଡିହ ଏବଂ ପ୍ରାୟ ଅଧ ଏକର ଚାଷ ଜମି ଥିଲା । ବିବାହ ପୂର୍ବରୁ ପ୍ରାୟ ୧୬ବର୍ଷ ତଳେ ଅକ୍ଷୟ ଗାଁ ପିଲାଙ୍କ ସହ ବେଙ୍ଗାଲୁରୁ ଦାଦନ ଯାଇଥିବାବେଳେ ଇଟାଭାଟିରେ ଦୁର୍ଘଟଣାର ଶିକାର ହେଲେ । ଦାଦନ ସର୍ଦ୍ଦାର ତାଙ୍କୁ ପ୍ରାଥମିକ ଚିକିତ୍ସା କରାଇ ଘରେ ଆଣି ଛାଡ଼ିଦେଲା । ଧାରକରଜ କରି ଚିକିତ୍ସା ହେଲା । ମାତ୍ର ଅକ୍ଷୟଙ୍କ ଗୋଟିଏ ହାତ ଏବଂ ଗୋଟିଏ ଗୋଡ଼ ଆଉ କାମ କଲା ନାହିଁ । କଷ୍ଟେମଷ୍ଟେ ଉଠି ଭିନ୍ନକ୍ଷମ ପ୍ରମାଣପତ୍ରଟିଏ କରି ଭତ୍ତା ପାଇବାର ଉଦ୍ୟମ କଲେ । ମାତ୍ର ବିଫଳ ହେବାରୁ ଭିକ୍ଷାବୃତ୍ତିକୁ ଆପଣାଇନେଲେ । 

ଇତିମଧ୍ୟରେ ସେ ବାହା ହୋଇ ତାଙ୍କ ପୁଅକୁ ଅଢ଼େଇ ବର୍ଷ ହେଲାଣି । ଲୋୟର ସୁକତେଲରେ ଘର ବୁଡ଼ିବା ପରେ ନିଜ ନାଁରେ କୌଣସି ସ୍ଥାୟୀ ପଟ୍ଟା ନ ଥିବାରୁ ଅକ୍ଷୟଙ୍କ ସମ୍ପୂର୍ଣ୍ଣ ପରିବାକୁ ଭୂମିହୀନ ଗଣନା କରି ପ୍ରଶାସନ କୁସମେଲ ଅସ୍ଥାୟୀ କଲୋନିରେ ଥଇଥାନ କଲା । ସେଠାକୁ ଗଲା ପରେ ଅକ୍ଷୟ ପୁଣି ଭିକ ମାଗିଲେ । ହେଲେ ଲୋକେ ତାଙ୍କୁ ଶରୀରରେ ବଳ ଥାଇ ଭିକ ମାଗୁଥିବାରୁ ଟାହିଟାପରା କଲେ । ଛୋଟ ପୁଅକୁ ଅନ୍ୟ ପିଲାଏ ଭିକାରିର ପୁଅ କହି ଚିଡ଼ାଇବା ତାଙ୍କୁ କଷ୍ଟ ଦେଇଥିଲା । ତେଣୁ ପ୍ରାୟ ୬ ମାସ ହେବ ଭିକ ମାଗିବା ଛାଡ଼ି ନିକଟ ଗାଁର ଜଣଙ୍କ ଘରେ ଏବେ କାମ (କୁଠିଆ) କରୁଛନ୍ତି ‘ଛୁଟା’ । ମାଲିକଙ୍କ ଗାଈ, ମଇଁଷି ଜଗୁଛନ୍ତି । ଦୈନିକ ଶହେ ଟଙ୍କା ମଜୁରି ମିଳୁଛି । ଗୋଟିଏ ବେଳା ଖାଇବାକୁ ମଧ୍ୟ ପାଉଛନ୍ତି । ସେପଟେ ମା’ଙ୍କୁ ମିଳୁଥିବା ଭତ୍ତା ଏବଂ ଘରେ ବାଉଁଶରୁ ତିଆରି ସାମଗ୍ରୀ ବିକି ଘର ଚଳାଉଛନ୍ତି । ଦୀର୍ଘବର୍ଷ ଧରି ବିଭିନ୍ନ କାରଣ ଦର୍ଶାଇ ଅକ୍ଷୟଙ୍କ ଭତ୍ତା ହୋଇପାରୁ ନ ଥିବାରୁ ସମ୍ପୂର୍ଣ୍ଣ ପରିବାର ସରକାରୀ ଯୋଜନାରୁ ବାଦ୍‌ ପଡୁଥିବା କ୍ଷୋଭର ସହ ସେ କହିଛନ୍ତି । ଏସମ୍ପର୍କରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ୍‌ ହୋତା କହିଛନ୍ତି, ଅକ୍ଷୟଙ୍କ ଏଭଳି ପରିବର୍ତ୍ତନ ଅନ୍ୟ ପାଇଁ ଉଦାହରଣ । ତାଙ୍କୁ ଭିନ୍ନକ୍ଷମ ଭତ୍ତା, ରାସନ କାର୍ଡ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ କିଭଳି ଯୋଗାଇ ଦିଆଯାଇପାରିବ; ସେ ଦିଗରେ ସେ ପଦକ୍ଷେପ ନେବେ ବୋଲି କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.