ମାଲକାନଗିରି : ରାସ୍ତା ନଥିବାରୁ ଗାଁ କୁ ଗଲା ନାହିଁ ଆମ୍ବୁଲାନ୍ସ । ଭାରରେ ୬କିଲୋମିଟର ବୋହି ହସ୍ପିଟାଲକୁ ନେଉ ଥିବା ବେଳେ ବାଟରେ ଅସୁସ୍ଥ ଯୁବତୀର ଚାଲିଗଲା ଜୀବନ। ସୂଚନା ଆଧାରରେ, ପାହାଡ଼ ଉପରୁ ଭାରରେ ଜଣେ ଅସୁସ୍ଥ ଯୁବତୀଙ୍କୁ ଚିକିତ୍ସା ନିମନ୍ତେ ସ୍ବାସ୍ଥ୍ୟକେନ୍ଦ୍ରକୁ ବୋହି ଆଣୁଥିଲେ ପରିବାର ଲୋକେ। ହେଲେ ଡାକ୍ତରଖାନାରେ ପହଁଚିବା ଆଗରୁ ଅଧାବାଟରେ ଯୁବତୀଙ୍କ ପ୍ରାଣବାୟୁ ଉଡ଼ିଗଲା। ଏପରି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ପାହାଡିଆ କାତ୍ରାକୁଣ୍ତ ଗ୍ରାମରେ।
ଜ୍ବରରେ ପୀଡିତ ସେହି ଗ୍ରାମର ଜିଗୁଡୁ ଗୋଲରୀଙ୍କ ଝିଅ ସଞ୍ଜିତା ଗୋଲରୀ ଗତ କିଛି ଦିନ ହେବ ଜ୍ଵରରେ ପୀଡ଼ିତ ଥିଲେ। ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ଆମ୍ବୁଲାନ୍ସ କାତ୍ରାକୁଣ୍ତକୁ ଯାଇପାରୁ ନଥିବାରୁ ପାହାଡ଼ିଆ ଓ ଖରାପ ରାସ୍ତାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଆଜି ତାଙ୍କୁ ପରିବାର ଲୋକେ ଚେୟାରକୁ ଭାର କରି ହସ୍ପିଟାଲକୁ ନେଉଥିଲେ।
ଗୋବିନ୍ଦପାଲି ସ୍ବାସ୍ଥ୍ୟକେନ୍ଦ୍ର ଆଣିବା ବେଳେ ଅଧବାଟରେ ସଞ୍ଜିତାଙ୍କ ମୃତ୍ୟୁ ହୋଇଥିଲା। ପ୍ରାୟ ୬ କିଲୋମିଟର ପାଦରେ ଚାଲି ସଞ୍ଜିତାଙ୍କୁ ଭାର ବୋହି କରି ପରିବାର ଲୋକେ ଆଣୁଥିଲେ। କିନ୍ତୁ ଖରାପ ରାସ୍ତା ପାଇଁ ଠିକ୍ ସମୟରେ ସଞ୍ଜିତା ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ପାରି ନଥିବାରୁ ,ତାଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି ।
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉ ଥିଲେ ମଧ୍ୟ, ଗାଁ କୁ ଭଲ ରସ୍ତାଟିଏ ନଥିବାରୁ ଅକାଳରେ ଚାଲିଗଲା ଜଣେ ଯୁବତୀଙ୍କ ଜୀବନ।