ଭୁବନେଶ୍ୱର,୧୩/୦୪: ଆମେ ସରକାରକୁ ଆସିବା ପରେ ପ୍ରଥମ ଥର ଉପନିର୍ବାଚନ ହେବାକୁ ଯାଉଛି । ବିଜେପି ପ୍ରସ୍ତୁତ ଅଛି । ଆମେ ଉଭୟ ପଞ୍ଚାୟତ ଓ ପୌର ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିବୁ । ଯେଉଁଠି ଚିହ୍ନ ଦିଆଯିବ, ସେଠି ବିଜେପି ଭଲ କରିବ । ଯେଉଁଠି ଚିହ୍ନ ନଥିବ, ସେଠାରେ ମଧ୍ୟ ସମର୍ଥକଙ୍କୁ ଠିଆ କରାଇ ଜିତାଇବ ବିଜେପି ବୋଲି ଦାବି କରିଛନ୍ତି ବିଜେପିର ଏକାମ୍ର ବିଧାୟକ ବାବୁ ସିଂ ।
ସେହିପରି ବିଜେଡିର ବରିଷ୍ଠ ନେତା ତଥା ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର କହିଛନ୍ତି, ବିଜେଡିକୁ ନିର୍ବାଚନ ପାଇଁ ଭୟ ନାହିଁ । ବିଜେପିର ଭୟ ରହିଛି । ତେଣୁ ୧୦ ମାସ ହେବ ନିର୍ବାଚନ କରାଉ ନଥିଲେ । ଆଗାମୀ ସମୟରେ ନିର୍ବାଚନରେ ବିଜେଡି ଭଲ କରିବ ବୋଲି ଶ୍ରୀ ମିଶ୍ର ମଧ୍ୟ ଦାବି କରିଛନ୍ତି । କଂଗ୍ରେସର ଯୁବନେତା ନିଶିକାନ୍ତ ମିଶ୍ର କହିଛନ୍ତି, ପଞ୍ଚାୟତ ସ୍ତରରେ ଖାଲି ପଡ଼ିଥିବା ନିର୍ବାଚିତ ପଦବି ପୂରଣ ପାଇଁ ପ୍ରାଥମିକ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଶା କରୁଛୁ କଂଗ୍ରେସ ତା’ର ପୂର୍ବ ସ୍ଥିତି ଫେରିପାଇବ । ପଞ୍ଚାୟତ ସ୍ତରରେ କଂଗ୍ରେସ ପୁଣି ମଜଭୁତ ହେବ ବୋଲି ଶ୍ରୀ ମିଶ୍ର ଦୃଢୋକ୍ତି ବାଢ଼ିଛନ୍ତି ।
ଉଲ୍ଲେଖଯୋଗ୍ୟ, ରାଜ୍ୟର ବିଭିନ୍ନ ପଞ୍ଚାୟତରେ ଖାଲିପଡ଼ିଛି ୧୧୩୪ଟି ନିର୍ବାଚିତ ସଦସ୍ୟ ପଦବି । ସେହି ପଦବିଗୁଡ଼ିକ ମଧ୍ୟରୁ ୫ ଜିଲ୍ଲା ପରିଷଦ ସଭ୍ୟ, ୪୫ ସରପଞ୍ଚ, ୪୧ ସମିତି ସଭ୍ୟ ଓ ୨୭୨ ୱାର୍ଡ ସଭ୍ୟ(ମେମ୍ବର) ପାଇଁ ହେବ ଉପନିର୍ବାଚନ । ଏହା ବ୍ୟତୀତ ୭୭୧ ୱାର୍ଡରେ ହେବ ନୂଆ ୱାର୍ଡ ସଭ୍ୟ ନିର୍ବାଚନ । ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।