ସମ୍ବଲପୁର, ୧୪।୨ ; ପବିତ୍ର ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖୁବେଲ ଏବଂ ହୀରାକୁଦ ଠାରେ ମେରୁଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ ଖୁବେଲ ସ୍ଥିତ ମନ୍ଦିରରେ ମା' ଦକ୍ଷିଣକାଳୀ ଏବଂ ବାବା ସିଦ୍ଧେଶ୍ୱରଙ୍କ ଦର୍ଶନ କରିଥିଲେ । ପରେ ହୀରାକୁଦ ଠାରେ ମା’ ଦଣ୍ଡକାଳୀ ମନ୍ଦିରରେ ଦର୍ଶନ କରିବା ସହ ମେରୁ ଯାତ୍ରାରେ ସମବେତ ଜନସାଧାରଣଙ୍କ ସହ ଯୋଗଦେଇଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ଉପସ୍ଥିତ ଜନସାଧାରଣଙ୍କୁ ପବିତ୍ର ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀର ଶୁଭେଚ୍ଛା ଜଣାଇଥିଲେ ।
ସେ କହିଥିଲେ ଶିବ ଓ ଶକ୍ତି ଉପାସନାର ପର୍ବ ହେଉଛି ମେରୁ ଯାତ୍ରା । ଏହି ଯାତ୍ରା ଆମ ଲୋକପରମ୍ପରାରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ହଜାର ହଜାର ସଂଖ୍ୟାରେ ନାଗରିକମାନେ ଏହି ଯାତ୍ରାରେ ଏକାଠି ହେବା ଆମ ସମାଜରେ ଭକ୍ତି, ନିଷ୍ଠା ଓ ଆଧ୍ୟାତ୍ମିକତା ଭାବାବେଗର ପରିଚୟ ଦେଉଛି । ମେରୁ ଯାତ୍ରାରେ ସାମିଲ ହେବା ମୋର ସୌଭାଗ୍ୟ । ତେବେ ଓଡ଼ିଆ ନୂଆ ବର୍ଷ ସମସ୍ତଙ୍କ ପାଇଁ ଆନନ୍ଦ, ଉଲ୍ଲାସ ଏବଂ ସମ୍ଭାବନାର ବର୍ଷ ହେଉ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା'ସମଲେଶ୍ୱରୀଙ୍କ ପାଖରେ ସମାଜର ମଙ୍ଗଳ କାମନା କରିଥିଲେ।