ସମ୍ବଲପୁର, ୧୮।୭: ସମ୍ବଲପୁର ବୁର୍ଲା ଠାରେ ମହିଳା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ବୁର୍ଲା କପ୍ - ୨୦୨୫ର ପ୍ରଦର୍ଶନୀ ମ୍ୟାଚରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ୨୦୩୬ ଅଲିମ୍ପିକ ପାଇଁ ଓଡ଼ିଆ ପିଲାଙ୍କ ଭାଗିଦାରୀକୁ ବଢାଇବା ପାଇଁ ପ୍ରୟାସ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆହ୍ୱାନ କରିଛନ୍ତି ।
‘ବୁର୍ଲା ଆଥଲେଟିକ୍ ଆସୋସିଏସନ’ ପକ୍ଷରୁ ଆୟୋଜିତ ଏହି ଫୁଟବଲ ପ୍ରତିଯୋଗିତା ସମାରୋହରେ ସେ କହିଛନ୍ତି ଯେ ଫୁଟବଲ ମୋର ଅତ୍ୟନ୍ତ ପ୍ରିୟ ଖେଳ । ବୁର୍ଲା, ହୀରାକୁଦ ସମେତ ସମ୍ବଲପୁରରେ ଫୁଟବଲ ଖେଳ ପ୍ରତି ଯୁବବର୍ଗଙ୍କ ଆଗ୍ରହ ବଢିବା ବହୁତ ସୁଖର କଥା । ଏହି ଅଞ୍ଚଳରେ ଖେଳୁଆଡ ମନୋଭାବକୁ ବଢାଇବା ଦିଗରେ ଏହି ପ୍ରତିଯୋଗିତାର ଆୟୋଜନ ପ୍ରଶଂସନୀୟ । ମହିଳା ଫୁଟବଲର ଆୟୋଜନ କରି କ୍ରୀଡ଼ା କ୍ଷେତ୍ରରେ ନାରୀଶକ୍ତିଙ୍କୁ ସେମାନଙ୍କ ଦକ୍ଷତା ଓ ପରାକାଷ୍ଠାକୁ ପ୍ରମାଣିତ କରିବାର ଏକ ପ୍ଲାଟଫର୍ମ ଦେଇଥିବାରୁ ଆସୋସିଏସନର ସମସ୍ତ ସଦସ୍ୟଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।
ବୁର୍ଲା ସମେତ ସମ୍ବଲପୁରରେ କ୍ରୀଡାର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ଯୋଜନା କରିବା ଦରକାର । ବିଶେଷ ଭାବରେ ୨୦୩୬ ଅଲିମ୍ପିକରେ ଓଡ଼ିଆ ପିଲାମାନେ କିପରି ଅଧିକରୁ ଅଧିକ ଭାଗ ନେବେ, ଏଥିପାଇଁ ଆମେ ସମସ୍ତେ ପ୍ରୟାସ କରିବା ଦରକାର ବୋଲି ସେ କହିଥିଲେ ।