ନୂଆଦିଲ୍ଲୀ: ଚେନ୍ନାଇର ଜଣେ ୨୪ ବର୍ଷିୟ ବକ୍ସରଙ୍କୁ ହତ୍ୟା କରାଯାଇଛି। ଏକ ଗୋଷ୍ଠୀ ତାଙ୍କୁ ଗୋଡେଇ ଗୋଡେଇ ଅତି ନିର୍ମମ ଭାବେ ହତ୍ୟା କରିଛି। ତେବେ ଆକ୍ରମଣକାରୀଙ୍କ କବଳରୁ ଉକ୍ତ ବକ୍ସରଙ୍କୁ ବଞ୍ଚାଇବା ପାଇଁ ତାଙ୍କ ସାଙ୍ଗ ଚେଷ୍ଟା କରିଥିବାରୁ ତାଙ୍କୁ ଗୁରୁତର ଆଘାତ ଲାଗିଥିବା ନେଇ ସୂଚନା ମିଳିଛି।
ଚେନ୍ନାଇର ତ୍ରିପ୍ଲିକେନ ଅଞ୍ଚଳର ଦାନୁଷ ଜଣେ ବକ୍ସର ଭାବେ ବିଭିନ୍ନ ପ୍ରତିଯୋଗିତାରେ ତାମିଲନାଡୁ ପକ୍ଷରୁ ଭାଗନେଇ ଆସୁଥିଲେ। ତେବେ ସେ ଚେନ୍ନାଇରେ ହେବାକୁ ଥିବା ଆସନ୍ତା ପୋଲିସ ଚୟନରେ ଭାଗ ନେବାକୁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ଦୁଇ ସପ୍ତାହ ତଳେ ତାଙ୍କ ଅଞ୍ଚଳରେ ହୋଇଥିବା ଗଣ୍ଡଗୋଳରେ ସମ୍ପୃକ୍ତି ଥିବା ନେଇ ତାଙ୍କ ବିରୋଧରେ ମାମଲା ଦାଏର କରାଯାଇଥିଲା।
ସୂଚନା ମୁତାବକ, ବୁଧବାର ରାତିରେ ଦାନୁଷଙ୍କୁ ତାଙ୍କ ଘର ପାଖରେ ଠିଆ ହୋଇଥିଲାବେଳେ ଏକ ଗୋଷ୍ଠି ତାଙ୍କୁ ଆକ୍ରମଣ କରିବା ପାଇଁ ଘେରି ଯାଇଥିଲା। ଆକ୍ରମଣକାରୀମାନେ ତାଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିବାପରେ ସେ ଖସିଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ରକ୍ତମୁଖା ଆକ୍ରମଣକାରୀମାନେ ତାଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ ଜାରି ରଖିଥିଲେ। ତେବେ ନିକଟରେ ଥିବା ତାଙ୍କୃ ବନ୍ଧୁ ଅରୁଣ ଆକ୍ରମଣକାରୀ ମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଆକ୍ରମଣକାରୀମାନେ ତାଙ୍କୁ ମଧ୍ୟ ଛାଡିନଥିଲେ। ଅରୁଣ ମଧ୍ୟ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ମରଣ ସହ ସଂଘର୍ଷ କରୁଛନ୍ତି।
ତେବେ ଏହି ଘଟଣା ଘଟିବା ପରେ ଆଇସ ହାଉସ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ଛାନଭିନ ଆରମ୍ଭ କରିଛି। ପ୍ରଥମେ ପୋଲି ଦାନୁଷଙ୍କ ମୃତ ଶରୀରକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ତେବେ ଧାନୁଷଙ୍କ ସାଙ୍ଗ ଅରୁଣଙ୍କ ବେକରେ ଗୁରୁତର ଆଘାତ ଲାଗିବାରୁ ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ପୋଲିସ ନିଜଆଡୁ ଏକ ମାମଲା ରୁଜୁକରି ଆକ୍ରମଣକାରୀ ମାନଙ୍କୁ ଚିହ୍ନଟ କରିବାପାଇଁ ତଦନ୍ତ ଆରମ୍ଭ କରିଛି ବୋଲି ସୂଚନା ପ୍ରଦାନ କରିଛି।