ପ୍ରୟାଗରାଜ ୩୧/୦୧: ଗୁରୁବାର ଥିଲା ମହାକୁମ୍ଭର ୧୮ତମ ଦିନ । ସନ୍ଧ୍ୟା ୪ଟା ସୁଦ୍ଧା ୧,୭୭ କୋଟି ଲୋକ ସଙ୍ଗମରେ ବୁଡ଼ ପକାଇଥିଲେ । ଅଦ୍ୟାବଧି ୨୭.୫୮ କୋଟି ଶ୍ରଦ୍ଧାଳୁ ସଙ୍ଗମ ସ୍ନାନ କରିସାରିଛନ୍ତି । ଗତକାଲି ମୌନୀ ଅମାବାସ୍ୟାରେ ପ୍ରାୟ ୮ କୋଟି ଲୋକ ବୁଡ଼ ପକାଇଥିଲେ । କିନ୍ତୁ ମୌନୀ ଅମାବାସ୍ୟା ସ୍ନାନ ସମୟରେ ସଙ୍ଗମ ତଟରେ ଅଘଟଣ ଘଟିଥିଲା । ଦଳାଚକଟାରେ ୩୦ ଲୋକ ପ୍ରାଣ ହରାଇଲେ । ୬୦ରୁ ଅଧିକ ଆହତ ହେଲେ । ଦଳାଚକଟାରେ ପ୍ରାଣ ହରାଇଥିବା ଶ୍ରଦ୍ଧାଳୁଙ୍କ ପରିବାର ପ୍ରତି ପ୍ରଧାନମନ୍ତ୍ରୀ ମୋଦି ସମଦେବନା ଜଣାଇବା ସହିତ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାର ଯାଞ୍ଚ୍ ଲାଗି ଏକ ୩ ଜଣିଆ ନ୍ୟାୟିକ ଆୟୋଗର ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ମଧ୍ୟ ଘୋଷଣା କରିଛନ୍ତି ।
ଯେଉଁ ସଙ୍ଗମ ତଟରେ ସ୍ନାନ କରିବା ଲାଗି ଦଳାଚକଟା ସ୍ଥିତି ଉପୁଜିଲା, ତା’ର ସ୍ୱତନ୍ତ୍ର ମହତ୍ୱ ରହିଛି । କୁମ୍ଭ ମେଳାରେ ‘ସଙ୍ଗମ ନୋଜ୍’ ଶବ୍ଦର ବ୍ୟାପକ ପ୍ରୟୋଗ ହେଉଛି । ଅନେକ ଲୋକ ଏହାର ବାସ୍ତବ ମହତ୍ୱ ଏବଂ ଆଖଡ଼ାମାନଙ୍କ ସହ ଏହାର ଗଭୀର ସମ୍ପର୍କ ବିଷୟରେ ଅଜ୍ଞ । ‘ସଙ୍ଗମ ନୋଜ୍’ ସେହି ପବିତ୍ର ସଙ୍ଗମ ସ୍ଥଳୀ, ଯେଉଁଠି ଗଙ୍ଗା, ଯମୁନା ଓ ଅଦୃଶ୍ୟ ସରସ୍ୱତୀ ନଦୀର ମିଳନ ହୋଇଛି । ଏହି ସଙ୍ଗମ ସ୍ଥଳୀରେ ଗଙ୍ଗା ଜଳ ଟିକିଏ କାଦୁଆ ଦିଶେ । ଯମୁନା ଜଳ ଟିକିଏ ନୀଳ । ଉଭୟ ପରସ୍ପର ଭିତରେ ବିଲୀନ ହୋଇ ମଧ୍ୟ ସ୍ପଷ୍ଟ ଦୃଶ୍ୟମାନ ହେଉଛନ୍ତି । ଏହି ସଙ୍ଗମ ବିନ୍ଦୁରେ ଯମୁନା ଶେଷରେ ଗଙ୍ଗାରେ ବିଲୀନ ହୋଇଛି । ଏହି ମିଳିତ ନଦୀର ଧାରା ବଙ୍ଗୋପସାଗରକୁ ଲମ୍ବିଛି । ସଙ୍ଗମର ଠିକ୍ ସମ୍ମୁଖରେ ତିକୋନା ଘାଟ ଅବସ୍ଥିତ । ଏହା ହିଁ ‘ସଙ୍ଗମ ନୋଜ୍’ ନାମରେ ପରିଚିତ ।
ପ୍ରାକୃତିକ ଅବକ୍ଷୟ ଯୋଗୁ ଘାଟର ଆକୃତିରେ ପରିବର୍ତ୍ତନ ହେଉଛି । ଏହା ସଙ୍ଗମ ନୋଜ୍କୁ ଗଡ଼ାଣିଆ ତଟରେ ରୂପାନ୍ତରିତ କରିଛି । କୁମ୍ଭ ଓ ମହାକୁମ୍ଭ ଭଳି ଭବ୍ୟ ଆଧ୍ୟାତ୍ମିକ ଆୟୋଜନ ସମୟରେ ଏହି ସଙ୍ଗମ ସ୍ଥଳୀ ଖାସ୍କରି ଶାହୀ ଆଖଡ଼ାମାନଙ୍କର ଅମୃତ ସ୍ନାନ ପାଇଁ ସଂରକ୍ଷିତ ରହେ । ଏଥିପାଇଁ ସାଧାରଣ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରି ଏଠାରେ ବ୍ୟାରିକେଡ୍ କରାଯାଇଥାଏ । ସାଧୁ-ସନ୍ଥମାନେ ଏଠାରେ ଧାର୍ମିକ ଅନୁଷ୍ଠାନ ସହିତ ଅମୃତ ସ୍ନାନ କରନ୍ତି । ସାଧାରଣ ଶ୍ରଦ୍ଧାଳୁ ଅନ୍ୟ ଘାଟରେ ବୁଡ଼ ପକାନ୍ତି ଏବଂ ଡଙ୍ଗା ଜରିଆରେ ମୁଖ୍ୟ ସଙ୍ଗମ ସ୍ଥଳକୁ ଯାଇଥାନ୍ତି । କେବଳ ମହାକୁମ୍ଭରେ ନୁହେଁ, ପ୍ରୟାଗରାଜର ବାର୍ଷିକ ମାଘ ମେଳା, ପୌଷ ପୂର୍ଣ୍ଣିମା, ମକର ସଂକ୍ରାନ୍ତି, ମୌନୀ ଅମାବାସ୍ୟା, ବସନ୍ତ ପଞ୍ଚମୀ, ମାଘ ପୂର୍ଣ୍ଣିମା ଓ ମହା ଶିବରାତ୍ରିରେ ମଧ୍ୟ ଏହି ସଙ୍ଗମ ସ୍ଥଳୀ ସାଧୁ-ସନ୍ଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନାର ପ୍ରମୁଖ ସ୍ଥଳୀ ହୋଇଥାଏ । ଅନ୍ୟ ଦିନମାନଙ୍କରେ ସାଧାରଣ ଭକ୍ତଙ୍କୁ ସଙ୍ଗମ ଘାଟରେ ବୁଡ଼ ପକାଇବାର ଅନୁମତି ମିଳେ ।